ମହାଜାଲିଆତି -ମିଛ ମାପଦଣ୍ଡରେ ଆକାଶଛୁଆଁ ବେପାର

ମିଛ ମାପଦଣ୍ଡରେ ଆକାଶଛୁଆଁ ବେପାର । ଜାଲିଆତିରେ ବଡ଼ ଲାଭ । ଏମିତି ଏକ ଖେଳର ନାଁ ହେଉଛିଟିଆର୍‌ପି (ଟେଲିଭିଜନ ରେଟିଂ ପଏଣ୍ଟ୍‌) । ସମଗ୍ର ଦେଶରେ ଏବେ ଟିଆର୍‌ପିକୁ ନେଇ ଚାଲିଛି ହୋ ହଲ୍ଲା । ଟିଆର୍‌ପି ଚୋରି କରି ଟିଭି ଚାନେଲ୍‌ ପୁଳା ପୁଳା ବିଜ୍ଞାପନ ହାତେଇ ମାଲାମାଲ ହେବାର ରହସ୍ୟ ପଦାକୁ ଆସିଛି । ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ୍‌ ଏ ଜାଲିଆତିରେ ସଂପୃକ୍ତ ଥିବା ମୁମ୍ବାଇ ପୁଲିସ ତଦନ୍ତରୁ ଜାଣିଛି । ନାୟକ ଏବେ ଖଳନାୟକ ।

ସ୍କାନର୍‌ରେ ଟିଆର୍‌ପି ସ୍କାମ୍‌ ।

ଏକ ବନାମ ଅନେକ । ରିପବ୍ଲିକ୍‌ ବନାମ ଅନ୍ୟ ସମସ୍ତେ । ଯୁଦ୍ଧଂଦେହି ମୁଦ୍ରାରେ ଟିଭି ଚାନେଲ୍‌ । ଗୋଇ ଖୋଳାଖୋଳିରେ କମ୍ପୁଛି ଟିଭି ପରଦା । ଟିଭିରେ ଚାଲିଛି ଚୋର-ପୁଲିସ ଖେଳ । କିଏ ସାଧୁ ଆଉ କିଏ ଚୋର ତା’ର ବିଶ୍ଲେଷଣ କରି ନିଜେ ନିଜ ପିଠି ଥାପଡ଼ଉଛନ୍ତି, ସାର୍ଟିଫିକେଟ୍‌ ଦେଉଛନ୍ତି ଟିଭି ଚାନେଲ୍‌ । ଦର୍ଶକ ଆଉ ବିଜ୍ଞାପନଦାତାଙ୍କୁ ପେଣ୍ଡୁ ଭଳି ଖେଳୁଛନ୍ତି । ବିଶ୍ୱାସରେ ବିଷ ଦେଇ ମଜା ଉଠାଉଛନ୍ତି ।
ଅଧିକ ରେଟିଂ, ଅଧିକ ବିଜ୍ଞାପନ । ଟିଆର୍‌ପି ଚୋରି କର, ବଜାରରୁ ଅଧିକ ବିଜ୍ଞାପନ ଭିଡ଼ । ଟିଭି ଚାନେଲର ‘ଏକ୍ସକ୍ଲୁସିଭ୍‌’ ନ୍ୟୁଜ୍‌ ଭଳି ଏହା ମଧ୍ୟ ‘ଏକ୍ସକ୍ଳୁସିଭ୍‌’ ସ୍କାମ୍‌ । ଏବେ ଏ ଜାଲିଆତି ଧରାପଡ଼ିବା ପରେ ତାକୁ
ନେଇ ଚର୍ଚ୍ଚା, ତର୍କ ଆଉ ବିତର୍କ । ବଡ଼ଚୋରିରେ ସଂପୃକ୍ତ ବଡ଼ ଚୋରମାନଙ୍କର ଏ କାଣ୍ଡ ଏବେ ପାଲଟିଛି ବଡ଼ ଖବର । ବିଜ୍ଞାପନଦାତା ମୁଣ୍ଡରେ ହାତ ଦେଇଛନ୍ତି । ଟିଭି ମିଡିଆର ୨୫ ହଜାର କୋଟିର ବିଜ୍ଞାପନ ଉପରେ ଏବେ ଅନିଶ୍ଚୟତାର କଳାବାଦାଲ ।

କ’ଣ ଟିଆର୍‌ପି, କାହିଁକି ଜାଲିଆତି ଟିଆର୍‌ପି ନିକିତିରେ ତଉଲାଯାଏ ଟିଭି ଚାନେଲ୍‌ର ଲୋକପ୍ରିୟତା । ଏହି ରେଟିଂ ଆଧାରରେ କର୍ପୋରେଟ୍‌ ସଂସ୍ଥା ନିଜ ବ୍ରାଣ୍ଡର ପ୍ରଚାର ଓ ବିକ୍ରି ବଢ଼ାଇବାକୁ ବିଜ୍ଞାପନ ଦିଅନ୍ତି । ଟିଆର୍‌ପି ମାଧ୍ୟମରେ ଜାଣିହୁଏ କେଉଁ ଚାନେଲକୁ ଅଧିକ ଦର୍ଶକ ପସନ୍ଦ କରୁଛନ୍ତି । କେଉଁ କାର୍ଯ୍ୟକ୍ରମ ଅଧିକରୁ ଅଧିକ ଲୋକ ଦେଖୁଛନ୍ତି । ଯାହାର ରେଟିଂ ଅଧିକ ରହେ ବିଜ୍ଞାପନଦାତା ଚଢ଼ା ଦାମରେ ତାକୁ ବିଜ୍ଞାପନ ଦିଅନ୍ତି, କିଏ ଦେଶର ନମ୍ବର ୱାନ୍‌? କେଉଁ ନ୍ୟୁଜ୍‌ ଚାନେଲ ପ୍ରଥମ ପସନ୍ଦ? ଏହା ଜାଣିବାକୁ ଏଯାଏ ଆଧୁନିକ ଜ୍ଞାନକୌଶଳଯୁକ୍ତ ପଦ୍ଧତି ଆପଣାଇନି ବାର୍କ । ପୁଣୁଣାକାଳିଆ ଢାଞ୍ଚାରେ ଟିଆର୍‌ପି ଦେଖାଯାଉଛି । ଟାମ୍ପରିଂ ବଢ଼ି ଚାଲିଛି । ମାତ୍ର ୪୪ ହଜାର ମିଟର୍‌ କେମିତି ନିର୍ଣ୍ଣୟ କରିବ ଦେଶର ୧୪୦ କୋଟି କ’ଣ ଦେଖିବାକୁ ଚାହୁଁଛନ୍ତି? ରେଟିଂ ମାପିବା ପଦ୍ଧତି ବଦଳାଇ ସ୍ୱଚ୍ଛ ପ୍ରକ୍ରିୟା ଆଣିବାକୁ ବାର୍କ ୩ ବର୍ଷ ତଳୁ ହଁ ମାରିଲାଣି । ମାତ୍ର ଏଯାଏ ଯଥା ପୂର୍ବଂ ତଥା ପରଂ ।

ମହା ଜାଲିଆତି ଲକ୍ଷ୍ୟ ଥାଏ ସଂପୃକ୍ତ ବ୍ରାଣ୍ଡ ଅଧିକ ଦର୍ଶକଙ୍କ ନିକଟରେ ପହଞ୍ଚିବ । ବଜାରରେ ‘ବ୍ରାଣ୍ଡ ଭାଲ୍ୟୁ’ ବଢ଼ିବ । ସାପ୍ତାହିକ ଲୋକପ୍ରିୟତାର ପ୍ରମାଣପତ୍ର ହେଉଛି ଏହି ଟିଆର୍‌ପି । ଟିଆର୍‌ପି ବା ରେଟିଂ ମାପିବାର ଦାୟିତ୍ୱ ନେଇଛି ‘ବାର୍କ’ (ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ୍‌) । ବାର୍କ ଦେଶର ବିଭିନ୍ନ ସହରରେ ବିଜୁଳି ମିଟର୍‌ ଭଳି ବାରୋମିଟର୍‌ ଲଗାଇଛି । ଏ ମିଟରରୁ ମିଳୁଥିବା ନମୁନା ତଥ୍ୟ ଆଧାରରେ
କେଉଁ ଚାନେଲ୍‌ର କେତେ ରେଟିଂ ତାହା ପ୍ରତି ସପ୍ତାହରେ ବିଶ୍ଳେଷଣ କରି ‘ବାର୍କ’ ସୂଚନା ଦିଏ । ପ୍ରତି ଗୁରୁବାର ରେଟିଂ ଫଳ ପ୍ରକାଶ ପାଏ । ଏହାକୁ ଏହାକୁ ବିଜ୍ଞାପନ ଏଜେନ୍ସି ମାପଦଣ୍ଡ ଭାବେ ଗ୍ରହଣ କରି ବିଜ୍ଞାପନ ଦିଅନ୍ତି ।

ପରିସଂଖ୍ୟାନ କହୁଛି, ଦେଶରେ ୨୮ କୋଟି ଘର ମଧ୍ୟରୁ ୧୯ କୋଟି ୭୦ ଲକ୍ଷ ଘରେ ଅଛି ଟିଭି । ୮୩ କୋଟି ୬୦ ଲକ୍ଷ ଦର୍ଶକ ଥିଲା ବେଳେ ସାରା ଦେଶରେ ମାତ୍ର ୪୪ ହଜାର ଘରେ ଲାଗିଛି ଏ ମିଟର୍‌ । ଦେଶର ମାତ୍ର ୪୪ ହଜାର ପରିବାରର ପସନ୍ଦକୁ ସାରା ଦେଶର ପସନ୍ଦ ଭାବେ ଗ୍ରହଣ କରିବା କେତେ ଯୁକ୍ତିଯୁକ୍ତ ତାହାକୁ ନେଇ ବହୁବାର ପ୍ରଶ୍ନ ଉଠିଥିଲେ ହେଁ ଏଯାଏ ବାର୍କର ରେଟିଂକୁ ଜାତୀୟ
ମାପଦଣ୍ଡ ଭାବେ ଗ୍ରହଣ କରାଯାଉଛି ।

ରେଟିଂ ଯେଉଁଠି ବିଜ୍ଞାପନ ସେଇଠି । ତେଣୁ କେମିତି କୌଶଳ କରି ଟିଆର୍‌ପି ବଢ଼େଇ ହେବ ତା’ର ବାଟ ଖୋଜିଥାନ୍ତି ଟିଭି ଚାନେଲ୍‌ । ମସଲାଦିଆ ବିତର୍କ ହେଉ ଅବା ରଙ୍ଗଦିଆ ଖବର ପରିବେଷଣ, ଦର୍ଶକଙ୍କୁ ଭିଡ଼ି ରେଟିଂ ବଢ଼ାଇବାକୁ ସବୁପ୍ରକାର ଉଦ୍ୟମ କରନ୍ତି ଟିଭି ସଂପାଦକ । ମୁଣ୍ଡରେ ବିଜ୍ଞାପନ ରାଜସ୍ୱ ଆୟର ଖଣ୍ଡା ଝୁଲୁଥାଏ । ତେଣୁ ରେଟିଂ ହାତେଇବାକୁ କିଛି ଚାନେଲ ଜାଲିଆତି କରି ବର୍ଷ ବର୍ଷ ଧରି ମିଛ ରେଟିଂ ଦେଖାଇ ବିଜ୍ଞାପନ ବଜାରକୁ ଲୁଟିଛନ୍ତି ତା’ର ପର୍ଦ୍ଦା ହଟାଇଛି ମୁମ୍ବାଇ ପୁଲିସ୍‌ । ମୁମ୍ବାଇ ପୁଲିସ ଦର୍ଶାଇଛି, ଦେଶର ଆଗଧାଡ଼ିର ଇଂଲିଶ ନ୍ୟୁଜ୍‌ ଚାନେଲ ‘ରିପବ୍ଲିକ୍‌’ ଓ ମରାଠି ଚାନେଲ ‘ଫକତ ମରାଠୀ’ ଓ ‘ବକ୍ସ ସିନେମା’ ଟିଆରପି ଚୋରି କରିଛନ୍ତି ।

ଯେଉଁ ଘରେ ବାର୍କ ମିଟର ବସାଇଛି ସେ ଘର ମାଲିକଙ୍କୁ ଏ ଚାନେଲ ପକ୍ଷରୁ ମାସିକ ୫ ଶହ ଟଙ୍କା ଲେଖାଏଁ ଲାଞ୍ଚ ଦିଆଯାଉଛି । ସେମାନେ ଏ ନିର୍ଦ୍ଦିଷ୍ଟ ଚାନେଲ୍‌କୁ ଖୋଲି ରଖିଥାନ୍ତି । ଚାନେଲ୍‌ ଦେଖନ୍ତୁ ବା ନ ଦେଖନ୍ତୁ, ମିଟରରେ କିନ୍ତୁ ରେଟିଂ ବଢ଼ିଥାଏ । ମାସିକ ହାତଗଣତି କିଛି ଟଙ୍କା ଘର ମାଲିକମାନଙ୍କୁ ଲାଞ୍ଚ ଦେଇ ବିଜ୍ଞାପନ ବଜାରରୁ ଶହ ଶହ କୋଟି ଉଠାଇବାରେ ସକ୍ଷମ ହୋଇଛନ୍ତି ଏ ଚାନେଲ୍‌ । ହିସାବ କହୁଛି, ଦେଶରେ ୯୦୦ ଚାନେଲ୍‌ ଥିଲା ବେଳେ ୬୦୦ ବାର୍ଷିକ ଦେୟ ଦେଇ ବାର୍କରେ ପଞ୍ଜୀକୃତ ହୋଇଛନ୍ତି । ଇଂଲିଶ ନ୍ୟୁଜ୍‌ ଚାନେଲକୁ ଦେଶରେ ମାତ୍ର ୧ ପ୍ରତିଶତ ଲୋକ ଦେଖୁଥିଲା ବେଳେ ପ୍ରାୟ ୮ ଶହ ମିଟର୍‌ରୁ ଏ ଚାନେଲ୍‌ର ନମୁନା ଆସୁଛି । ମୁମ୍ବାଇ ସହରରେ କେବଳ ଲାଗିଛି ୨ ହଜାର ମିଟର୍‌ । ଯଦି ମିଟର୍‌ ଲାଗିଥିବା ଘର ମାଲିକଙ୍କ ସଂପର୍କରେ ସୂଚନା ପାଇ ସେମାନଙ୍କୁ ପ୍ରଲୋଭିତ କରି ୫୦ଟି ମିଟରକୁ ଲମ୍ବା ସମୟ ଚଳାଇ ରଖିପାରିଲେ ୪ ନଂ ଇଂଲିଶ ନ୍ୟୁଜ୍‌ ଚାନେଲ ୧ ନଂ ହୋଇପାରିବ । ଏ ନମ୍ବର ୱାନ୍‌ ସାର୍ଟିଫିକେଟ୍‌ରେ ବିଜ୍ଞାପନ ଆୟ ବଢ଼ିଯିବ ଢେରଗୁଣ ।

ପଇସାର ଲୋଭ ପାଇଁ ଜାଲିଆତିର ପର୍ଦ୍ଦାଫାସ କରୁଥିବା ମିଡିଆ ଏବେ ଜାଲିଆ ବୋଲି ମାନପତ୍ର ପାଇଛି । ନୂଆ ବୋତଲ, ପୁରୁଣା ମଦ ଟିଭିର ଏକ୍ସକ୍ଳୁସିଭ୍‌ ମାର୍କା ନ୍ୟୁଜ୍‌ ଭଳି ଟିଆର୍‌ପି ସ୍କାମ କିନ୍ତୁ ଏକ୍ସକ୍ଳୁସିଭ୍‌ ନୁହେଁ । ୩୦ ବର୍ଷ ତଳୁ ରେଟିଂ ଜାଲିଆତି ନେଇ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆସିଛି । ଅଭିଯୋଗ ପୁରୁଣା ହେଲା ପରେ ପୁଣି ନୂଆ ଅଭିଯାଗ ଆସିଛି । ମାତ୍ର ରେଟିଂ ଚୋରି ଧାରା ଜାରି ରହିଛି । ୨୦୦୨ରେ ଦୂରଦର୍ଶନର ତତ୍କାଳୀନ ନିର୍ଦ୍ଦେଶକ ଏସ୍‌ ୱାଇ କ୍ୟୁରେସୀ ପ୍ରଥମେ ଏଭଳି ଟାମ୍ପରିଂ ଅଭିଯୋଗ ଆଣିବାର ୧୦ ବର୍ଷ ପରେ ଏନ୍‌ଡିଟିଭିର ଷ୍ଟିଙ୍ଗ ଅପରେସନ ଧରିଥିଲା ରେଟିଂ ଚୋରି । ମାମଲା ନ୍ୟୁୟର୍କ କୋର୍ଟ ଯାଏ ଯାଇଥିଲା । ରେଟିଂ ମାପୁଥିବା ‘ଟାମ୍‌’ (ଟେଲିଭିଜନ ଅଡିଏନ୍ସ ମେଜରମେଣ୍ଟ) ବଦଳରେ ଆସିଲା ବାର୍କ । ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ, ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ(ଟ୍ରାଇ)ର ଗାଇଡ୍‌ଲାଇନରେ ଗଠିତ ବାର୍କରେ ପ୍ରସାରଣକାରୀ, ବିଜ୍ଞାପନଦାତା ଓ ବିଜ୍ଞାପନ ବିତରଣ ସଂସ୍ଥା ସଦସ୍ୟ ଅଛନ୍ତି । ବାର୍କରେ ପଞ୍ଜୀକୃତ ଚାନେଲଗୁଡ଼ିକ ପାଇଁ ସର୍ତ୍ତ ରହିଛି, ବାର୍କର ନିଷ୍ପତ୍ତିକୁ ମାନିବେ । ରେଟିଂ ଟାମ୍ପରିଂ ପାଇଁ କଳା କାରବାର କରିବେନି । ମାତ୍ର ଏ ସର୍ତ୍ତକୁ ଏବେ ଫୁ କରିଛନ୍ତି ଚାନେଲ୍‌ । ୨୦୧୮ରେ ରିପବ୍ଲିକ ବିରୋଧରେ ଟାମ୍ପରିଂ ଅଭିଯୋଗ ଆସିଥିଲା । ୨୦୧୬ରେ ଇଣ୍ଡିଆ ନ୍ୟୁଜ୍‌, ଟିଭି ୯ ତେଲୁଗୁ ଓ ଭି-୬ ନ୍ୟୁଜ୍‌ ଉପରେ ବେନିୟମ ରେଟିଂ କାରବାର ପାଇଁ ବାର୍କ ଜରିମାନା କରିଥିଲା । ମାତ୍ର ସତ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରୁଛୁ ବୋଲି ଦାବି କରୁଥିବା କିଛି ଚାନେଲ୍‌ ବେପାର ପାଇଁ ଅସତ୍ୟ ରାସ୍ତାରେ
ଯାଇ ଲାଭ ଉଠାଉଛନ୍ତି ।

ସ୍ୱଚ୍ଛତା ପାଇଁ କୁନ୍ଥକୁନ୍ଥ
କିଏ ଦେଶର ନମ୍ବର ୱାନ୍‌? କେଉଁ ନ୍ୟୁଜ୍‌ ଚାନେଲ ପ୍ରଥମ ପସନ୍ଦ? ଏହା ଜାଣିବାକୁ ଏଯାଏ ଆଧୁନିକ ଜ୍ଞାନକୌଶଳଯୁକ୍ତ ପଦ୍ଧତି ଆପଣାଇନି ବାର୍କ । ପୁଣୁଣାକାଳିଆ ଢାଞ୍ଚାରେ ଟିଆର୍‌ପି ଦେଖାଯାଉଛି । ଟାମ୍ପରିଂ ବଢ଼ି ଚାଲିଛି । ମାତ୍ର ୪୪ ହଜାର ମିଟର୍‌ କେମିତି ନିର୍ଣ୍ଣୟ କରିବ ଦେଶର ୧୪୦ କୋଟି କ’ଣ ଦେଖିବାକୁ ଚାହୁଁଛନ୍ତି? ରେଟିଂ ମାପିବା ପଦ୍ଧତି ବଦଳାଇ ସ୍ୱଚ୍ଛ ପ୍ରକ୍ରିୟା ଆଣିବାକୁ ବାର୍କ ୩ ବର୍ଷ ତଳୁ ହଁ ମାରିଲାଣି । ମାତ୍ର ଏଯାଏ ଯଥା ପୂର୍ବଂ ତଥା ପରଂ । ଦେଶରେ ଏବେ ଲାଗିଥିବା ପ୍ରାୟ ୬ କୋଟି ୨୦ ଲକ୍ଷ ଡିଟିଏଚ୍‌ ସେଟଟପ୍‌ ବକ୍ସରୁ ରିଟର୍ନ ପାଥ୍‌ ଡାଟା (ଆରପିଡି) ଜରିଆରେ ନମୁନା ପର୍ଯ୍ୟାୟକ୍ରମେ ସଂଗ୍ରହ କଲେ ଅଧିକ ସ୍ୱଚ୍ଛ ରେଟିଂ ମିଳିପାରନ୍ତା ବୋଲି ବିଶେଷଜ୍ଞମାନେ କହୁଛନ୍ତି । ମାତ୍ର ଏ ଦିଗରେ ମଠୁଆ ବାର୍କ ଯେଉଁଠିକୁ ସେଇଠି । ଏ ଦିଗରେ କିନ୍ତୁ ଅଧିକ ବିଳମ୍ବ ଟିଭି ମିଡିଆ ପାଇଁ ଘାତକ ହେବ । ବିଜ୍ଞାପନଦାତାମାନେ ଟିଭିରୁ ଡିଜିଟାଲ ପ୍ଲାଟଫର୍ମ (ନେଟ୍‌ଫ୍ଲିକ୍ସ, ଆମାଜାନ ପ୍ରାଇମ୍‌, ହଟଷ୍ଟାର, ଜି-ଫାଇଭ୍‌) କୁ ଡେଇଁବେ । ଆର୍ଥିକ ସଂକଟରୁ ଘୋଷାରି ହୋଇ ଚାଲୁଥିବା ନ୍ୟୁଜ୍‌ ଚାନେଲଗୁଡ଼ିକ ଆହୁରି ସଂକଟ ଭିତରକୁ ଠେଲି ହୋଇଯିବେ ।

କାଠଗଡ଼ାରେ ଟିଭି ମିଡିଆ
କଣ୍ଟେଣ୍ଟ ନୁହଁ ରେଟିଂ ପଛରେ ଦୌଡ଼ । ରାଜ୍ୟ କିମ୍ବା ଦେଶର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ଆଖି ବୁଜିଦିଅ । ଗୌଣ ପ୍ରସଙ୍ଗକୁ ଧରି ସ୍କ୍ରିନକୁ ଓହ୍ଲାଅ । ‘ନ୍ୟୁଜ୍‌ ରୁମ’କୁ ‘କୋର୍ଟ ରୁମ୍‌’ କରିଦିଅ । ଯେତେ ବଳ ସେତେ ଚିତ୍କାର । ତଥ୍ୟ ଓ ସୂଚନା କମ୍‌, ମନୋରଞ୍ଜନ ବେଶୀ । ଏକମାତ୍ର ଧ୍ୟାନ ରଖ, ଦର୍ଶକ ଯେମିତି ରିମୋଟ୍‌ରେ ଚାନେଲକୁ ବଦଳାଇ ଅନ୍ୟତ୍ର ନଯାଏ । ଏମିତି ଜାଲ ଫିଙ୍ଗି ଟେଲିଭିଜନ ନ୍ୟୁଜ୍‌ ଚାନେଲଗୁଡ଼ିକ ଦର୍ଶକଙ୍କୁ ଭଣ୍ଡେଇବାରେ ବ୍ୟସ୍ତ । ଯିଏ ଯେତେ ବଡ଼ ପାଟିରେ କଥା କହିଲା, ସେ କାଳେ ସେତିକି ବଡ଼ ଚାନେଲ୍‌ । ବିତର୍କ ବେଳେ ସାମ୍ବାଦିକ ‘ବିଗବସ୍‌’ ଭଳି ବ୍ୟବହାର କରୁଛନ୍ତି । ଘୃଣାର ବିଷ ମଂଜି ବୁଣୁଛନ୍ତି । ମାତ୍ର ଗଣମାଧ୍ୟମର ଏଭଳି ଅବକ୍ଷୟ ଏବେ କାଠଗଡ଼ାରେ । ସାଧାରଣ ଲୋକ ପ୍ରଶ୍ନ କଲେଣି, କି ପାଲା ଚଲେଇଛ? ନିଜେ ଡକାୟତ, ତୁମେ ପୁଣି ଚୋର ଧରୁଛ? ଆମ ଟିକସ ପଇସାରେ ସରକାରୀ ବିଜ୍ଞାପନ ପାଉଛ । ଟିଭି ଷ୍ଟୁଡିଓ କ’ଣ ତୁମ ବୈଠକ ଘର? ଗଣମାଧ୍ୟମ ପାଇଁ ଲକ୍ଷ୍ମଣରେଖା ଅଛି ନା ନାହିଁ? ମାତ୍ର ଏସ୍ୱର ଏଯାଏ ବଳ ଧରିନି । ‘ତୁ ତ ମୁତୁରୀ..ମୁଁ ତ ମୁତୁରୀ’ ଏ ନ୍ୟାୟରେ ଚାଲିଛନ୍ତି ଟିଭି ମିଡିଆ ।

ଟେଲିଭିଜନ୍‌ ଚ୍ୟାନେଲ ବଢ଼ି ବଢ଼ି ଚାଲିଛି । ଟିଭି ପାଇଁ କଣ୍ଟେଣ୍ଟ ନାହିଁ, ଟିଭି ସଂଖ୍ୟା କିନ୍ତୁ ବଢ଼ିଛି । ସାମ୍ବାଦିକତା, ନୈତିକତା, ଦାୟିତ୍ୱବୋଧ, ନୀତି ନିୟମ, ଲକ୍ଷ୍ମଣରେଖା ଏସବୁ ଏବେ ଭାରତୀୟ ଟେଲିଭିଜନ୍‌ ପାଇଁ ପୁରୁଣାକାଳିଆ ମାନସିକତା । ମସଲା ମାର, ଖବରକୁ ବନାଅ । ଏ ନୂଆ ଥିଓରୀରେ ବାଟ ଚାଲୁଛି ଆମ ମିଡିଆ । ଫେକ୍‌ ନ୍ୟୁଜ୍‌, ପେଡ୍‌ ନ୍ୟୁଜ୍‌ ପରେ ଟିଆର୍‌ପି ସ୍କାଣ୍ଡାଲ ମିଡିଆକୁ ଆହୁରି ଲୋକହସା କରାଇଛି । ଏ ଷଡ଼ଯନ୍ତ୍ର ପଦାକୁ ଆସିବା ପରେ ମିଡିଆ ଟ୍ରାଏଲ କରୁଥିବା ଚାନେଲ ଏବେ ଅନ୍ୟ ନ୍ୟୁଜ୍‌ ଚାନେଲ ଦ୍ୱାରା ଜେରା ହେଉଛି । ନ୍ୟୁଜ୍‌ ଚାନେଲଗୁଡ଼ିକ ଏବେ କୁସ୍ତି କରୁଛନ୍ତି । ଗଣମାଧ୍ୟମର ଏଭଳି ପରିବର୍ତ୍ତିତ ଆଚରଣ ଓ ଉଚ୍ଚାରଣ ଏବେ ବିତର୍କିତ ।