ଜାତିସଂଘରେ ଆମେରିକାର ନୂତନ ରାଷ୍ଟ୍ରଦୂତ ହେବେ କେଲି କ୍ରାଫ୍ଟ, ମନୋନୀତ କଲେ ଟ୍ରମ୍ପ

ଓ୍ବାଶିଂଟନ,୨୩।୨: ନିକି ହେଲିଙ୍କ ପରେ ଜାତିସଂଘରେ ଆମେରିକାର ନୂତନ ରାଷ୍ଟ୍ରଦୂତ ହୋଇପାରନ୍ତି କେଲି ନାଇଟ କ୍ରାଫ୍ଟ। ଆମେରିକା ରାଷ୍ଟ୍ରପତି ଡୋନାଲ୍ହୋ ଟ୍ରମ୍ପ କ୍ରାଫ୍ଟଙ୍କୁ ମନୋନୀତ କରିଥିବା ନେଇ ଘୋଷଣା କରିଛନ୍ତି। କ୍ରାଫ୍ଟ ୨୦୧୭ରୁ କାନାଡାରେ ଆମେରିକାର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟଭାର ଗ୍ରହଣ କରୁଛନ୍ତି। ସିନେଟରେ ମଞ୍ଜୁରୀ ମିଳିବା ପରେ ସେ ଭାରତୀୟ ବଂଶୋଦ୍ଭବ ନିକି ହେଲିଙ୍କ ସ୍ଥାନ ଗ୍ରହଣ କରିବେ। ୪୬ ବର୍ଷୀୟ ନିକି ହେଲି ଗତ ଅକ୍ଟୋବରରେ ଆମେରିକାର ରାଷ୍ଟ୍ରଦୂତ ପଦ ଛାଡିବାର ଘୋଷଣା କରିଥିଲେ।

ଦକ୍ଷିଣ କାରୋଲିନାର ରାଜ୍ୟପାଳ ରହିସାରିଥିବା ହେଲି କ୍ୟାବିନେଟରେ କୌଣସି ପଦରେ ନିଯୁକ୍ତ ହୋଇଥିବା ପ୍ରଥମ ଭାରତୀୟ-ଆମେରିକୀୟ ଥିଲେ। ସେ ତାଙ୍କ ପଦବୀରୁ ଇସ୍ତଫା ଦେବାପରେ ଟ୍ରମ୍ପ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହିଥର ନୋଟଙ୍କୁ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ପଦ ପାଇଁ ମନୋନୀତ କରିଥିଲେ। ତେବେ ସେ ଗତ ୧୬ ତାରିଖରେ ତାଙ୍କର ନାମାଙ୍କନ ଫେରାଇ ନେଇଥିଲେ। କ୍ରାଫ୍ଟଙ୍କ ନାମ ଘୋଷଣା କରିବା ପରେ ଟ୍ରମ୍ପ ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି କ୍ରାଫ୍ଟ ଖୁବ କୁଶଳତାର ସହ ଏପର୍ଯ୍ୟନ୍ତ ଆମ ଦେଶର ପ୍ରତିନିଧିତ୍ବ କରୁଥିଲେ। ମୋର ଆଶା ଜାତିସଂଘ ଭଳି ବଡ ମଞ୍ଚରେ ସେ ଦେଶ ପାଇଁ ଉପଯୁକ୍ତ ଭାବରେ ନେତୃତ୍ବ ନେଇପାରିବେ।