ଟୁଇନ୍‌ ସିଟିରେ ସେପ୍ଟେମ୍ବର ୧ ରୁ ଟ୍ରାଫିକ୍‌ ନିୟମ କଡ଼ାକଡି଼: ଦାୟିତ୍ବ ନେଲେ ଲେଡି ଡବଙ୍ଗ ଡିସିପି ସାଗରିକା

ଭୁବନେଶ୍ୱର ୨୬/୮: ଆସନ୍ତା ସେପ୍ଟେମ୍ବର ପହିଲାରୁ ଆସୁଛି ନୂଆ ଟ୍ରାଫିକ୍‌ ନିୟମ । ଏଥର ଟ୍ରାଫିକ୍‌ ଉଲଂଘନକାରୀକୁ ଲାଗିବ ଅଧିକ ଆଇନ୍‌ ଛାଟ । ନିୟମ ଲଂଘିଲେ, ପୂର୍ବଅପେକ୍ଷା ପ୍ରାୟ ଦୁଇଗୁଣା ତଣ୍ଡ ଗଣିବାକୁ ପଡିବ । ଏନେଇ ରାଜଧାନୀ ରାସ୍ତାରେ କମିଶନରେଟ୍‌ ପୁଲିସ ଲଗାଇଛି ହୋର୍ଡିଂ । ନୂଆ ନିୟମ ଓ ନୂଆ ଜରିମାନା ନେଇ ଏହି ହୋର୍ଡିଂ ଜରିଆରେ ଗାଡି଼ଚାଳକଙ୍କୁ ସଚେତନତା କରାଯାଉଛି ।

ଟ୍ରାଫିକ୍‌ ପୁଲିସ ପକ୍ଷରୁ ରାଜଧାନୀର ୫ଟି ବିଭିନ୍ନ ସ୍ଥାନରେ ଏହି ହୋର୍ଡିଂ ଲଗାଯାଇଛି । ଏଜି ଛକ, ଟ୍ରାଫିକ୍‌ ଥାନା ସାମ୍ନା, ନାଲ୍‌କୋ ଛକ, କିଟ୍‌ କଲେଜ ସାମ୍ନା ଓ ଜୟଦେବ ବିହାର ଛକରେ ଗାଡିଚାଳକଙ୍କ ପାଇଁ ହୋର୍ଡିଂ ରହିଛି । ଏଥିରେ ଆଗକୁ ଆସୁଥିବା ନିୟମାବଳୀ ଓ ଜରିମାନା ସମ୍ପର୍କରେ ସବିଶେଷ ବିବରଣୀ ରହିଛି । ଏହି ପ୍ରକ୍ରିୟା ଯୋଗେ ଗାଡିଚାଳକଙ୍କୁ ଆଗୁଆ ସଚେତନତା ବାର୍ତ୍ତା ବାଣ୍ଟିବାକୁ ଯୋଜନା ରଖିଛି କମିଶନରେଟ ପୁଲିସ ।

ଆଇନ୍‌ ଲଙ୍ଗିଲେ, କେତେ ତଣ୍ଡ ଗଣିବେ?
୧.ହେଲମେଟ ନ ପିନ୍ଧିଲେ, ୧ ହଜାର ଟଙ୍କା ଫାଇନ୍‌ ଦେବାକୁ ପଡିବ ।
୨.ସିଗ୍‌ନାଲ ନ ମାନିଲେ, ୫ ହଜାର ଟଙ୍କା ଜରିମାନା
୩. ସିଟ୍‌ବେଲ୍ଡ ନ ବାନ୍ଧିଲେ, ୧ ହଜାର ଟଙ୍କା
୪.ମଦ୍ୟପାନ କରି ଗାଡି଼ ଚଳାଇଲେ, ୧୦ ହଜାର ଟଙ୍କା

୫.ବାଇକ୍‌ରେ ୩ ଜଣ ବସି ଗାଡି଼ ଚଳାଇଲେ, ୫ ହଜାର ଟଙ୍କା
୬. ମୋବାଇଲ୍‌ରେ କଥା ହୋଇ ଗାଡି଼ ଚଳାଇଲେ, ୫ ହଜାର ଟଙ୍କା
୭. ବିନା ଲାଇସେନ୍ସରେ ଗାଡି ଚଳାଇଲେ, ୫ ହଜାର ଟଙ୍କା
୮.ଆମ୍ବୁଲାନ୍ସକୁ ବାଟ ନ ଛାଡି଼ଲେ, ୧୦ ହଜାର ଟଙ୍କା
୯.ଯୋଗ୍ୟତା ଅନୁସାରେ ଗାଡି଼ ନ ଚଳାଇଲେ, ୫ ହଜାର ଟଙ୍କା
୧୦. ବେପରୁଆ ଭାବେ ଗାଡି଼ ଚଳାଇଲେ, ୫ ହଜାର ଟଙ୍କା

ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ଓଭରଟେକିଂ ବ୍ୟାନ୍‌
ରବୀନ୍ଦ୍ରମଣ୍ଡପରୁ ଏୟାର୍‌ପୋର୍ଟ ଦେଇ ଯାଉଛନ୍ତି କି? ସାମ୍ନା ଗାଡିକୁ ଓଭରଟେକିଂ କରିବାକୁ ଆଦୌ ଦୁଃସାହସ କରିବେନି । କାହିଁକି ନା, ଏହି ରାସ୍ତାରେ ଓଭରଟେକିଂ ବ୍ୟାନ୍‌ କରିବାକୁ ଯାଉଛି କମିଶନରେଟ୍‌ ପୁଲିସ । ଏନେଇ ଆସନ୍ତାକାଲିଠାରୁ ରାସ୍ତାରେ ଯାଉଥିବା ଗାଡିଚାଳକଙ୍କୁ ସଚେତନ କରାଯିବ । କିଛି ଦିନର ବ୍ୟବଧାନ ପରେ ଓଭରଟେକିଂ କଲେ, ଗାଡ଼ିଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ରାଫିକ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏହି ରାସ୍ତାରେ ସଚିବାଳୟ ଓ ବିଧାନସଭା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଦପ୍ତର ରହିଛି । କ୍ୟାପିଟାଲ ହସ୍ପିଟାଲ ଭଳି ସମ୍ବେଦନଶୀଳ ପ୍ରତିଷ୍ଠାନ ବି ଅଛି । ଏଣୁ ଏହି ରାସ୍ତାରେ ଏଭଳି ଟ୍ରାଫିକ୍‌ କଟକଣା ଲଗାଯାଇଥିବା କୁହାଯାଇଛି ।

ଦାୟିତ୍ୱ ନେଲେ ଟ୍ରାଫିକ୍‌ ଡିସିପି ସାଗରିକା :- ଟୁଇନ୍‌ ସିଟିର ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆଣିବାକୁ ଆସିବ ନୂଆ ସ୍କିମ୍‌ । ଖୁବ୍‌ ଶୀଘ୍ର ଏନେଇ ରୋଡମ୍ୟାପ୍‌ ପ୍ରସ୍ତୁତ ହେବ । କମିଶନରେଟ୍‌ ପୁଲିସରେ ଟ୍ରାଫିକ୍‌ ଡିସିପି ଦାୟିତ୍ୱ ସମ୍ଭାଳିଥିବା ସାଗରିକା ନାଥ ଏହା ପ୍ରକାଶ କରିଛନ୍ତି । ସେ ଆଜି ମୁଖ୍ୟାଳୟରେ ଡିସିପି ଭାବେ ଦାୟିତ୍ୱ ନେଇଥିଲେ । ପ୍ରଥମ ଦିନରେ ଟ୍ରାଫିକ୍‌ର ବରିଷ୍ଠ ଅଧିକାରୀଙ୍କ ଏକ ବୈଠକ ଡକାଇଥିଲେ । ଏଥିରେ ସ୍ମାର୍ଟସିଟି ଓ ସିଲଭର ସିଟିର ଟ୍ରାଫିକ୍‌ ପରିଚାଳନାର ବ୍ୟବସ୍ଥା ପଚାରି ବୁଝିଥିଲେ । ସମସ୍ତ ଛକରେ ଥିବା ଟ୍ରାଫିକ୍‌ ସମସ୍ୟା ସମ୍ପର୍କରେ ବି ଆଲୋଚନା କରିଥିଲେ ।

ଏନେଇ ସେ ଗଣମାଧ୍ୟମକୁ କହିଛନ୍ତି, ଆମ ଟିମ୍‌ ପ୍ରସ୍ତୁତ ଅଛି । ଟ୍ରାଫିକ୍‌ ପରିଚାଳନା ପାଇଁ ତତ୍ପର ଅଛୁ । ତେବେ ଜଟିଳ ହୋଇଥିବା ଟ୍ରାଫିକ୍‌ ସମସ୍ୟାରୁ ମୁକ୍ତି ପାଇଁ କିଛି ନୂଆ ସ୍କିମ୍‌ ଲାଗୁ କରିବାକୁ ପଡି଼ବ । ଏଥିପାଇଁ ତୟାରି ଆରମ୍ଭ ହୋଇଯାଇଛି । କିଛି ଦିନ ମଧ୍ୟରେ କାର୍ଯ୍ୟକାରୀ କରାଯିବ । ସାଧାରଣ ଜନତାଙ୍କଠାରୁ ସହଯୋଗ ଆଶା କରୁଛୁ । ଏହି ମିଟିଂରେ ଟ୍ରାଫିକ୍‌ ଏସିପି କିଶୋର କୁମାର ପାଣିଗ୍ରାହୀ, ଟ୍ରାଫିକ୍‌ ଥାନା ଆଇଆଇସି ସୁରେନ୍ଦ୍ର ବଳ ଓ ପ୍ରମୋଦ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

   ସମ୍ବନ୍ଧିତ ଖବର


ସମ୍‌ରେ ସଫଳ କିଡ୍‌ନୀ ପ୍ରତିରୋପଣ – ରୋଗୀଙ୍କୁ ଉତ୍କୃଷ୍ଟ ସେବା ଯୋଗାଉଛି ସମ୍ ଅଲ୍ଟିମେଟ୍ ମେଡିକେୟାର

ଭୁବନେଶ୍ୱରରେ ପିସ୍ତଲ ଡିଲ୍‌ର ପର୍ଦ୍ଦାଫାସ : ସ୍କର୍ପିଓରୁ ଉଦ୍ଧାର ହେଲେ କଲଗାର୍ଲ !

ରାଜଧାନୀରେ ବନ୍ଧୁକ ଡିଲ୍‌ ବେଳେ ମହିଳା ସମେତ ୩ ଗିରଫ, ଖସିଗଲେ ବିକିବାକୁ ଆସିଥିବା ବ୍ୟବସାୟୀ

ମହଙ୍ଗା ପଡ଼ିଲା ନାବାଳିକାଙ୍କ ଉଲଗ୍ନ ଫଟୋ ଭାଇରାଲ କରିବା – ଗିରଫ ହେଲେ ଯୁବକ

ବଢ଼ିଲା ବିଦ୍ୟୁତ୍‌ ଦର …

କରୋନାରେ ଆଉ ୧୫ ସଂକ୍ରମିତଙ୍କ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୭୩୬ରେ ପହଞ୍ଚିଲା