ଲକ୍‌ଡାଉନ୍‌ରେ ଫସିଛି ଅଢ଼େଇ ଲକ୍ଷ ଟ୍ରକ୍‌ : ହୋଟେଲ, ଢାବା ବନ୍ଦ ଥିବାରୁ ଖାଇବାକୁ ପାଉନାହାନ୍ତି ଟ୍ରକ୍‌ ଚାଳକ

ନୂଆଦିଲ୍ଲୀ ୨୫।୩ : କରୋନା ଭୂତାଣୁକୁ ନେଇ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଛି । ଜାତୀୟ ଓ ରାଜ୍ୟ ରାଜପଥଗୁଡ଼ିକରେ ସ୍ଥିତି ଏବେ ଶୂନ୍‌ଶାନ୍‌ ପାଲଟିଛି । ଏଭଳି ସ୍ଥିତିରେ ବିଭିନ୍ନ ରାଜପଥରେ ପାଖାପାଖି ଅଢ଼େଇ ଲକ୍ଷ ଟ୍ରକ ଫସିରହିଥିବା ଜଣାପଡ଼ିଛି । ଏହି ଟ୍ରକ୍‌ର ଡ୍ରାଇଭରମାନେ ବିଭିନ୍ନ କାରଖାନା ଅଥବା ଗୋଦାମରୁ ସାମଗ୍ରୀ ବାହାର କରି ଆଣିଛନ୍ତି । କିନ୍ତୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ କର୍ଫ୍ୟୁ କବଳରେ ପଡ଼ିଛନ୍ତି । ପରିସ୍ଥିତି ଏମିତି ହୋଇଛି ଯେ ସେମାନଙ୍କୁ ପାଖଆଖରେ କୌଣସି ଖାଦ୍ୟ ପଦାର୍ଥ କିମ୍ୱା ପିଇବାକୁ ପାଣି ମିଳୁନାହିଁ । ଏମିତି କି ଏମାନେ ଫେରିପାରୁ ନାହାନ୍ତି । ଅଧିକାଂଶ ଡ୍ରାଇଭରଙ୍କ ନିକଟରେ ଥିବା ଟଙ୍କା ସରିବାକୁ ବସିଲାଣି ।

ସଡ଼କ ପରିବହନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଇଣ୍ଡିଆନ କାଉନସିଲ ଅଫ ଟ୍ରାନ୍ସପୋର୍ଟ ରିସର୍ଚ୍ଚ ଆଣ୍ଡ ଟ୍ରେନିଙ୍ଗ୍‌ର ବରିଷ୍ଠ ସଦସ୍ୟ ଏସ୍‌ ପି ସିଂହ କହିଛନ୍ତି, ଜମ୍ମୁ ଔଦ୍ୟୋଗିକ କ୍ଷେତ୍ର, ହିମାଚଳ ପ୍ରଦେଶର ବଦ୍ଦି-ନାଲାଗଡ଼ ଔଦ୍ୟୋଗିକ କ୍ଷେତ୍ର ଓ ପଞ୍ଜାବ-ହରିୟାନାରୁ ବିଭିନ୍ନ ସାମଗ୍ରୀ ଆଣି ହଜାର ହଜାର ଟ୍ରକ୍‌ ଦେଶର ବିଭିନ୍ନ ଅଂଶକୁ ନେଇ ଯାଉଥିଲେ । ୩-୪ ଦିନ ହେଲା ଟ୍ରକ୍‌ଗୁଡ଼ିକ ବାହାରିଥିଲେ । କିନ୍ତୁ ସେମାନେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଲାଗୁ କରାଯାଇଛି । ଫଳରେ ସେମାନେ ବିଭିନ୍ନ ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ଧାଡ଼ି ବାନ୍ଧି ଅଟକିଛନ୍ତି । ଏଭଳି ସ୍ଥିତିରେ କୌଣସି ଢାବା କିମ୍ୱା ହୋଟେଲ ଖୋଲା ନ ଥିବାରୁ ସେମାନେ ଖାଇବାକୁ କିଛି ପାଉନାହାନ୍ତି । ସାଙ୍ଗରେ ଯାହା କିଛି ନେଇଥିଲେ ସେ ସବୁ ସରିଆସିଲାଣି । ସେମାନେ ଖାଇବେ କ’ଣ ଏବଂ ରହିବେ କେଉଁଠି, ତାହାକୁ ନେଇ ସେମାନଙ୍କ ଚିନ୍ତା ବଢ଼ିଛି । ଏମାନେ ଯଦି ଠିକଣା ସମୟରେ ନିଜ ଗନ୍ତବ୍ୟସ୍ଥଳରେ ନ ପହଞ୍ଚନ୍ତି, ତେବେ ସେଠାରେ ସମସ୍ୟା ଉପୁଜିପାରେ । ଅଧିକାଂଶ ଟ୍ରକ ଚାଳକଙ୍କ ନିକଟରେ ପେଟ୍ରୋଲ ଭରିବା ପାଇଁ ଫ୍ଲିଟ କାର୍ଡ ତ ରହିଛି, କିନ୍ତୁ ପର୍ଯ୍ୟାପ୍ତ ନଗଦ ଟଙ୍କା ନାହିଁ ।

ଏସ୍‌ ପି ସିଂହ କହିଛନ୍ତି, ବିହାର ଏବଂ ଉତ୍ତର ପ୍ରଦେଶରେ ସବୁଠୁ ଅଧିକ ଟ୍ରକ ଫସିରହିଛି । ଏହି ଟ୍ରକ୍‌ର ଚାଳକମାନେ ପୂର୍ବୋତ୍ତର ରାଜ୍ୟ ଯଥା ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଓଡ଼ିଶା ଅଭିମୁଖେ ଆସୁଥିଲେ । ରବିବାର ଜନତା କର୍ଫ୍ୟୁ ହେବା ଯୋଗୁ ସେମାନଙ୍କ ଚଳାଚଳ ବନ୍ଦ ହୋଇଯାଇଥିଲା । ଏହା ପରଦିନ ଲକ୍‌ଡାଉନ୍‌ ଆରମ୍ଭ ହୋଇଯିବାରୁ ପରିସ୍ଥିତି ଆହୁରି ଖରାପ ହୋଇଯାଇଛି । ସେପଟେ ପଞ୍ଜାବ ଓ ହରିୟାନାରେ ସ୍ଥିତି ଅଧିକ ଖରାପ ହୋଇଛି । କାରଣ ସେଠାରେ ଆନ୍ତଃ ରାଜ୍ୟ କର୍ଫ୍ୟୁ ଲାଗୁ କରାଯାଇଛି । ଆନ୍ତଃ ରାଜ୍ୟ କର୍ଫ୍ୟୁ ଅର୍ଥ ଟ୍ରକ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଇପାରିବ ନାହିଁ । ଏହି କାରଣରୁ ଶନିବାର ଟ୍ରକଗୁଡ଼ିକ ଯେଉଁଠାରେ ଥିଲେ, ସେହିଠାରେ ହିଁ ଫସିରହିଛି । କୌଣସି ପରିସ୍ଥିତିରେ ଟ୍ରକ୍‌ ଡ୍ରାଇଭରମାନେ ଟ୍ରକ ଛାଡ଼ି ଅନ୍ୟତ୍ର ଯାଇପାରିବେ ନାହିଁ । କାରଣ ସାମଗ୍ରୀକୁ ସୁରକ୍ଷିତ ଭାବେ ରଖିବା ଦାୟିତ୍ୱ ସେମାନଙ୍କ ଉପରେ ରହିଛି । ସେମାନଙ୍କ ଟ୍ରକର ମୂଲ୍ୟ ପାଖାପାଖି ୩୦ ଲକ୍ଷ ଟଙ୍କା ହୋଇଥିବା ବେଳେ ସେଥିରେ ଥିବା ସାମଗ୍ରୀ ମୂଲ୍ୟ ପାଖାପାଖି ୨୦ ଲକ୍ଷ ଟଙ୍କା ହେବ । ତେଣୁ ଖାଇବା ପାଇଁ ଅନ୍ୟତ୍ର ଯିବାକୁ ସେମାନେ ଉଚିତ ମଣୁନାହାନ୍ତି ।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌