ଅନ୍ଧବିଶ୍ବାସ: ବଞ୍ଚିଯିବା ଭ୍ରମରେ ମୃତ ଦୁଇଭାଇଙ୍କ ଶବକୁ ରାତିସାରା ଲୁଣରେ ପୋତିକି ରଖିଲେ ଗ୍ରାମବାସୀ, ଆଉ ଏବେ…

ଇନ୍ଦୋର,୨୦।୮: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ନକଲି ପୋଷ୍ଟ କାରଣରୁ ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ ଅନ୍ଧବିଶ୍ବାସର ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ପୋଖରୀରେ ବୁଡି ମରିଯାଇଥିବା ଦୁଇ ଭାଇଙ୍କ ମୃତଦେହକୁ ଏକ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ   ଜୀବିତ ହେବା ଭ୍ରମରେ ରାତିସାରା ଲୁଣ ଭିତରେ ପୋତିକି ରଖାଯାଇଥିଲା।

ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ପକ୍ଷରୁ ଆଜି କୁହାଯାଇଛି ଯେ, ଏହି ଘଟଣା ଖୁବ୍ ଆଶ୍ଚର୍ଯ୍ୟଜନକ। ଏହା ଜିଲ୍ଲା ମୁଖ୍ୟାଳୟ ଠାରୁ ୩୦ କିଲୋମିଟର ଦୂର ସାମ୍ବେର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଘଟିଛି। ସାମ୍ବେର ହେଉଛି ଉତ୍ତର ପ୍ରଦେଶର ଲୋକ ସ୍ବାସ୍ଥ୍ୟମନ୍ତ୍ରୀ ତୁଳସୀରାମ ସିଲାଓ୍ବଟଙ୍କ ନିର୍ବାଚନୀ ମଣ୍ଡଳୀ। ପୋଖରୀରେ ରବିବାର ଗାଧୋଇବା ସମୟରେ ଦୁଇ ଭାଇ କମଳେଶ(୨୦ ବର୍ଷ)  ଓ ହରିଶ(୧୮ ବର୍ଷ) ବୁଡି ଯାଇଥିଲେ।ତାଙ୍କୁ ପୋଖରୀ ଭିତରୁ ବାହାର କରି ସାମ୍ବେର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଣାଯାଇଥିଲା। କିନ୍ତୁ ​ଡାକ୍ତର ସେଠାରେ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ଯୁବକଙ୍କ ପରିବାର ଲୋକ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ପୋଷ୍ଟକୁ ଦେଇ  ମୃତଦେହକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଦୁଇ କ୍ବିଣ୍ଟାଲ ଲୁଣ ଦେଇ ରାତିସାରା ପୋତି ଦେଇଥିଲେ। ଏହି ଖବର ଯେତେବେଳେ ଜଣାପଡିଥିଲା ପ୍ରଶାସନ ଠାରୁ ନେଇ ପୋଲିସ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯୁବକଙ୍କ ପରିବାର ଲୋକ ଏଭଳି କରିବାର କାରଣ ହେଉଛି ଏକ ସୋସିଆଲ ମିଡିଆ ପୋଷ୍ଟରେ ସେମାନେ ଦେଖିଥିଲେ ମୃତ ବ୍ୟକ୍ତିଙ୍କୁ ରାତିସାରା ଲୁଣ ଭିତରେ ରଖିଲେ ବଞ୍ଚିଯାଇଥାନ୍ତି।

ପୋଲିସ ଏହି ଖବର ପାଇବା ପରେ ଗତକାଲି ଦୁଇ ଯୁବକଙ୍କ ପୋଷ୍ଟମର୍ଟମ କରିଥିଲା, ଏହାପରେ ଅନ୍ତିମ ସଂସ୍କାର କରାଯାଇଥିଲା।  ତେବେ ଦୁଇ ଭାଇଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୁଣ ଦେଇ ରଖିବାର ଫଟୋ ସୋସିଆଲ ମିଡିଆାରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯାହାଫଳରେ ସ୍ବାସ୍ଥ୍ୟବିଭାଗର କାର୍ଯ୍ୟପ୍ରଣାଳୀକୁ ନେଇ ପ୍ରଶ୍ନ ଉଠିଛି। ଘଟଣା ସମ୍ପର୍କରେ ମୁଖ୍ୟ ଚିକିତ୍ସା ଓ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି, ମୋତେ ଏ ବିଷୟରେ ସୂଚନା ମିଳିଥିଲା। ଡାକ୍ତର ମୋତେ କହିଥିଲେ ଗ୍ରାମବାସୀଙ୍କ ଚାପ ଯୋଗୁଁ ସେ ନିରୁପାୟ ହୋଇଯାଇଥିଲେ। ତେଣୁ ଦୁଇ ଯୁବକଙ୍କ ମୃତଦେହକୁ ହସ୍ପିଟାଲରେ ଲୁଣ ଦେଖି ରଖିବାର ଅନ୍ଧବିଶ୍ବାସ ଘଟଣାକୁ ରୋକି ପାରିନଥିଲେ।