PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

କରୋନା ନେଲା ଦୁଇ ଯୋଦ୍ଧାଙ୍କ ଜୀବନ: ପୁରୀରେ କନେଷ୍ଟବଳ ଓ ଖୋର୍ଦ୍ଧାରେ ଏଏସ୍‌ଆଇଙ୍କ ମୃତ୍ୟୁ

ପୁରୀ/ଖୋର୍ଦ୍ଧା, ୧୦/୦୮: ମହାମାରୀ କରୋନାରେ ଦୁଇ ପୁଲିସ ଯୋଦ୍ଧାଙ୍କ ଜୀବନ ଯାଇଛି । କରୋନା ସହ ସମ୍ମୁଖ ଲଢ଼େଇ କରୁ କରୁ ସେମାନଙ୍କ ଜୀବନ ଦୀପ ଲିଭିଯାଇଛି । ଏହି ଦୁଇ ଯୋଦ୍ଧା ହେଲେ ପୁରୀ ଜିଲ୍ଲାର କନେଷ୍ଟବଳ ଶୁଭ୍ରାଂଶୁ ଶେଖର ପ୍ରଧାନ (୫୦) ଏବଂ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ଗମ୍ଭାରୀମୁଣ୍ଡା ବିଟ ହାଉସର ଏଏସ୍‌ଆଇ ମୁରଲୀଧର ବଳୀୟାରସିଂ (୫୭) । ଦୁଇ ଜିଲ୍ଲାରେ ପ୍ରଥମ ଥର ପାଇଁ କରୋନାରେ ପୁଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି । ଉଭୟଙ୍କୁ ପୁଲିସ ବାହିନୀ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ଦିଆଯିବା ପରେ ଅନ୍ତିମ ସଂସ୍କାର କରାଯାଇଛି ।

କୋଭିଡ୍‌ ସଂକ୍ରମଣରେ ପ୍ରାଣ ହରାଇଥିବା ଶୁଭ୍ରାଂଶୁ ଶେଖର ପ୍ରଧାନ (୫୦) ଓରଫ ଟୁଟୁ ପୁରୀ ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ସଂଘ ସଭାପତି ଥିଲେ । ରବିବାର ଅପରାହ୍ନରେ ୱାଟର ୱାର୍କସ ରୋଡସ୍ଥିତ କୋଭିଡ୍‌ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ଘଟିଥିଲା । କୋଭିଡ ଯୋଦ୍ଧା ଭାବେ ଏହା ଜିଲ୍ଲାର ପ୍ରଥମ ମୃତ୍ୟୁ । ପୌରାଞ୍ଚଳରେ କରୋନା ମୃତ୍ୟୁରେ ଏହା ପ୍ରଥମ ଓ ଜିଲ୍ଲାରେ ପଞ୍ଚମ ବୋଲି ଜଣାଯାଇଛି ।

ସଂକ୍ରମଣ ପୂର୍ବରୁ ଦୀର୍ଘ ଚାରିମାସ ଧରି ଶୁଭ୍ରାଂଶୁ କୋଭିଡ୍‌ ଡ୍ୟୁଟିରେ ଥିଲେ । ଗତକାଲି ତାଙ୍କର ସ୍ୱାବ ରିପୋର୍ଟ ପଜିଟିଭ୍‌ ଆସିବା ପରେ ରେଡ୍‌କ୍ରସ ରୋଡସ୍ଥିତ କୋଭିଡ୍‌ ହେଲଥ କେୟାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପୁଲିସ ରିଜର୍ଭରେ ଟୁଟୁଙ୍କ ମୃତ୍ୟୁ ନେଇ ଶୋକର ଛାୟା ଖେଳିଯାଇଛି । ପୁଲିସ ସେବାର ଜଣେ କୋଭିଡ୍‌ ଯୋଦ୍ଧା ରୂପେ ତାଙ୍କୁ ସମ୍ମାନିତ କରାଯାଇଛି ।

ସିଦ୍ଧମହାବୀର ଇଲାକାରେ ଟୁଟୁଙ୍କ ପରିବାର ରହୁଛନ୍ତି । ତାଙ୍କର ମର ଶରୀରକୁ ମଙ୍ଗଳା ନଦୀ ମୁହାଣ ଡାହାଣପଟ ନଦୀ ପଠାରେ ସତ୍କାର କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି । ଉଲ୍ଲେଖନୀୟ କୋଭିଡ୍‌ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ହେଲେ ଏହି ସ୍ଥାନରେ ଶବ ସତ୍କାର କରାଯିବ ବୋଲି ଜିଲ୍ଲା ପ୍ରଶାସନ ଘୋଷଣା କରିଥିଲା ।

ସେହିପରି ଖୋର୍ଦ୍ଧା ଜିଲ୍ଲାରେ ପ୍ରାଣ ହରାଇଥିବା କରୋନା ଯୋଦ୍ଧାଙ୍କ ମୁରଲୀଧର ବଳୀୟାରସିଂଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ବାଙ୍କୋଇ ଗ୍ରାମରେ । ସେ ଗତବର୍ଷ ମାର୍ଚ୍ଚ ମାସରେ ବାଣପୁର ଥାନାରେ ଏଏସ୍‌ଆଇ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । ଗତ ୨୩ ତାରିଖରେ ବାଣପୁର ଥାନା ଏବଂ ଏହାର ଅଧିନରେ ଥିବା ନାଚୁଣୀ ଓ ଗମ୍ଭାରୀମୁଣ୍ଡା ଫାଣ୍ଡିର ୧୦ ପୁଲିସ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ବଳୀଆରସିଂ ଅନ୍ୟତମ ଥିଲେ । ସେ ଗତମାସ ୨୩ ତାରିଖରେ କରୋନାରେ ସଂକ୍ରମିତ ହୋଇଥିବା ଚିହ୍ନଟ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ଘଟିଛି ।