ଗାଁ ମୁହାଁ ହେଲେ ଦୁଇ ଦନ୍ତା ହାତୀ: ଫସଲ ଉଜାଡ଼ିଲେ, ଇନ୍‌ଫୋସିଟି ପାଚେରି ଭାଙ୍ଗିଲେ

ଭୁବନେଶ୍ୱର/ଯାଁଳା ୮/୯ : ଭରତପୁର ଜଙ୍ଗଲରେ ଦୀର୍ଘଦିନ ଧରି ଡେରା ପକାଇଥିବା ଦୁଇ ଦନ୍ତା ‘ରାମୁ’ ଓ ‘ଖଣ୍ଡି’ ଯୋଡ଼ି ହୋଇ ଗାଁ ମୁହାଁ ହୋଇଛନ୍ତି । ଗତକାଲି ରାତିରୁ ଦୁଇ ଦନ୍ତା ଭରତପୁର ଜଙ୍ଗଲ ଛାଡ଼ି ଆଜି ରାତିରେ ଗଙ୍ଗପଡ଼ା ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି । ସେମାନଙ୍କୁ ଜଙ୍ଗଲକୁ ଘଉଡ଼ାଇବା ପାଇଁ ୪ ରେଞ୍ଜ୍‌ର ବନ କର୍ମଚାରୀ ନାକେଦମ୍‌ ହୋଇ ପଡ଼ିଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ଦୁଇ ଦନ୍ତା ଗଙ୍ଗପଡ଼ାରୁ ରତନପୁର ଜଙ୍ଗଲ ମୁହାଁ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
 

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ରାମୁ ଓ ଖଣ୍ଡି ଭରତପୁର ଜଙ୍ଗଲରୁ ବାହାରି ଅନ୍ଧାରୁଆ ଦାସପୁର ଦେଇ ଦେଉଳିଆ ମୁଣ୍ଡିଆକୁ ଆସିଥିଲେ । ସେଠାରୁ ଦୁଇ ହାତୀ ଦେଉଳିଆପାଟଣା, ମଦନପୁର ଓ ଅରିଶଲ ଗହିର ପଟେ ଇନ୍‌ଫୋସିଟି-୨ ଅଞ୍ଚଳରେ ପହଞ୍ଚିଥିଲେ । ଗଲାବେଳେ ବ୍ୟାପକ ଧାନ ଫସଲ ଦଳିଦେବା ସହ ଖାଇ ପଦା କରି ଦେଇଥିଲେ । ଇନ୍‌ଫୋସିଟି ଭିତରେ ପଶି ଦୁଇ ହାତୀ ବାଟ ନପାଇ ପଶ୍ଚିମପଟ ପାଚେରି ପ୍ରାୟ ୧୦୦ ମିଟର ଭାଙ୍ଗି ଦେଇଥିଲେ । ପାଚେରି ଭାଙ୍ଗିବା ପରେ ସକାଳ ହୋଇଯିବାରୁ ରାମୁ ଓ ଖଣ୍ଡି ଆଉ ଜଙ୍ଗଲକୁ ଫେରିପାରି ନଥିଲେ । ଦୁଇ ଦୀର୍ଘକାୟ ହାତୀଙ୍କୁ ଦେଖି ଲୋକେ ଭୟଭୀତ ହୋଇ ପଡ଼ିଥିଲେ । ଗାଁ ମୁଣ୍ଡରେ ଦୁଇ ହାତୀ ଥିବାରୁ ଅରିଶଲ, ଗୌଡ଼କାଶୀପୁର ଓ ହରପୁର ଅଞ୍ଚଳର ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ । କାଳେ ଦୁଇ ହାତୀ ଗାଁ ଭିତରେ ପଶିଯିବେ ସେଥିପାଇଁ ଚନ୍ଦକା ରେଞ୍ଜ୍‌, ସିଟି ରେଞ୍ଜ୍‌, ହଳଦିଆ ରେଞ୍ଜ୍‌ ଓ ଖୋର୍ଦ୍ଧା ରେଞ୍ଜ୍‌ର କର୍ମଚାରୀମାନେ ପହଞ୍ଚି ଦୁଇ ହାତୀଙ୍କୁ ଜଗି ରହିଥିଲେ ।

ଆଜି ସନ୍ଧ୍ୟାରେ ଦୁଇ ହାତୀ ପ୍ରଥମେ ପଳାସପୁର ଆଡ଼େ ବାହାରିଥିଲେ । ସେଠାରୁ ବାଟ କାଟି ଗଙ୍ଗପଡ଼ାକୁ ପଳାଇ ଆସିଥିଲେ । ପ୍ରାୟ ୨ ଘଣ୍ଟା ଧରି ଦୁଇ ହାତୀ ସେଠାରେ ୧୬ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବନ ବିଭାଗ କର୍ମଚାରୀମାନେ ବାଣ ଫୁଟାଇ ଘଉଡ଼ାଇ ଦେଇଥିଲେ । ହାତୀ ଭୟରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିବା ବେଳେ ବନବିଭାଗ ପକ୍ଷରୁ ପିତାପଲ୍ଲୀ-ଚନ୍ଦକା ରାସ୍ତାରେ କଡ଼ା ପାଟ୍ରୋଲିଂ ଜାରି ରହିଥିଲା । ଶେଷରେ ଦୁଇ ହାତୀ ଭାତଖୁରୀ ଦେଇ ରତନପୁର ଜଙ୍ଗଲ ଆଡ଼େ ବାହାରିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ କେଉଁ ମୁହୂର୍ତ୍ତରେ ଦୁଇ ହାତୀ ଆଖପାଖ ଗାଁରେ ପଶିଯିବେ ସେହି ଭୟରେ ବନ ବିଭାଗ ପକ୍ଷରୁ ସେମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।
 

ସୂଚନା ଥାଉକି, ଚନ୍ଦକା ଓ ଭରତପୁର ଜଙ୍ଗଲର ଶୋଭା ବର୍ଦ୍ଧନ କରୁଛନ୍ତି ଦୁଇ ଦୀର୍ଘକାୟ ଦନ୍ତା ‘ରାମୁ’ ଓ ‘ଖଣ୍ଡି’ । ରାମୁ ଖଣ୍ଡିଙ୍କ ଦୋସ୍ତି ବହୁଦିନର । ରାମୁ ସ୍ୱଭାବରେ ଶାନ୍ତ ହୋଇଥିବା ବେଳେ ଖଣ୍ଡି ଦୁର୍ଦ୍ଦାନ୍ତ । ସୁସ୍ଥ ସବଳ ଓ ଶାନ୍ତ ସ୍ୱଭାବ ହୋଇଥିବାରୁ ଥିବାରୁ ବନ ବିଭାଗ କର୍ମଚାରୀ ତା’ ନାମ ରାମୁ ରଖିଛନ୍ତି । ଖଣ୍ଡିର ଡାହାଣ ପଟ କାନ କଟି ଯାଇଥିବାରୁ ତା’ ନାମ ଖଣ୍ଡି ଦେଇଛନ୍ତି । ଦୁଇ ହାତୀ ଦୀର୍ଘଦିନ ଧରି ଭରତପୁର ଜଙ୍ଗଲରେ ସାଙ୍ଗ ହୋଇ ରହୁଛନ୍ତି । ଯୁଆଡ଼େ ବାହାରିଲେ ସାଙ୍ଗ ହୋଇ ଯାଉଛନ୍ତି । ରାମୁ ଓ ଖଣ୍ଡି ଭରତପୁର ଛାଡ଼ିବା ପରେ ସେଠାରେ ଆଉ ୩ଟି ମାକେନା ହାତୀ ଅଛନ୍ତି ।

   ସମ୍ବନ୍ଧିତ ଖବର


ସୁନା କି ଚାନ୍ଦି ନୁହେଁ, ଏଥର ସିଲଭର୍‌ ସିଟିରେ ଝଲସିବ ଜରି ମେଢ଼: ଅଳଙ୍କାର ଓ ଜରି ମେଢ଼ କାରିଗରଙ୍କର ବଢିଛି ଚାହିଦା

ରାଜ୍ୟରେ ଆଖି ବୁଜିଲେ ଆଉ ୧୫ ଜଣ ଆକ୍ରାନ୍ତ: ମୃତ୍ୟୁସଂଖ୍ୟା ୧୧୯୬କୁ ବୃଦ୍ଧି

ଦିନକରେ ଓଡ଼ିଶାରେ ୧୯୧୩ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୬ ହଜାର ଡେଇଁଲା

୨୦୨୧ରେ ୨୯ ଦିନ ସରକାରୀ ଛୁଟି, କର୍ମଚାରୀଙ୍କ ୯ଟି ଛୁଟି ବେକାର ଯିବ

ହାଇଦ୍ରାବାଦ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ନବୀନ: ୫ କୋଟି ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଟ୍ରେଲରକୁ ପିଟିଲା ସିମେଣ୍ଟ ବୋଝେଇ ଟ୍ରକ୍