ବାଣ ବିସ୍ଫୋରଣରେ ଭୁଷୁଡିଲା ଘର ଛାତ: ୨ ନାବାଳକ ମୃତ, ଜଣେ ଗୁରୁତର

ପଣ୍ଡୁଆ, ୭/୫: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍‌ ତୁମୁସିଂହା ଥାନା ଅନ୍ତର୍ଗତ ସୋଗର ନୂଅସାହିରେ ବୁଧବାର ପୂର୍ବାହ୍ନରେ ଏକ ଅଘଟଣ ଘଟିଛି । ବାଣ ବିସ୍ଫୋରଣରେ ଘରର ଛାତ ଉଡ଼ି ଯାଇଛି । ସେହି ଘର ଭିତରେ ଖେଳୁଥିବା ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମୃତକ ହେଲେ ସରୋଜ ସାହୁଙ୍କ ପୁଅ ସାଇ (୭) ଓ ପଡ଼ୋଶୀ ମନୋଜ କୁମାର ସାହୁଙ୍କ ପୁଅ କୃଷ୍ଣ(୮) । ସରୋଜଙ୍କ ବଡ଼ପୁଅ ସମ୍ବିତଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବିକ ନୂଅସାହି ଗ୍ରାମର ସରୋଜ ସାହୁଙ୍କର ପଣ୍ଡୁଆ ବଜାରରେ ଏକ ପୂଜା ସାମଗ୍ରୀ ଦୋକାନ ରହିଛି । ଲକ୍‌ଡାଉନ୍‌ ଯୋଗୁଁ ଦୋକାନ ବନ୍ଦ ରହିଥିବା ବେଳେ ପୂଜା ସାମଗ୍ରୀ, ସୋଲ୍‌, ଖଲି,ଚଉପତି, ବାଣ ଆଦି ସାମଗ୍ରୀକୁ ସେ ଘରେ ମହଜୁଦ୍‌ ରଖିଥିଲେ । ଆଜି ପୂର୍ବାହ୍ନରେ ସେହି ଘରେ ସରୋଜଙ୍କ ଦୁଇ ପୁଅ ସମ୍ବିତ, ସାଇଙ୍କ ସମେତ ପଡ଼ୋଶୀ ମନୋଜ ସାହୁଙ୍କ ପୁଅ କୃଷ୍ଣ ଖେଳୁଥିଲେ । ପ୍ରାୟ ସାଢ଼େ ୧୦ଟାରେ କୌଣସି କାରଣରୁ ସେହି ଘରେ ନିଆଁ ଲାଗି ଯାଇଥିଲା । ନିଆଁ ସ୍ପର୍ଶରେ ଆସି ସୋଲ୍‌, ଖଲି, ଚଉପତି ଆଦି ଜଳି ବାଣରେ ନିଆଁ ଧରିଥିଲା । ପ୍ରଚଣ୍ଡ ବିସ୍ଫୋରଣରେ ଘରର ଛାତ ଉଡ଼ିଯିବା ସହ କାନ୍ଥ ଭୁଶୁଡ଼ି ପଡ଼ିଥିଲା । ୩ଜଣ ନାବାଳକ ଘର ଭିତରେ ଫସି ରହିଥିଲେ । ଶବ୍ଦଶୁଣି ପରିବାର ଲୋକ ଓ ସାହି ପଡ଼ୋଶୀ ଏକାଠି ହୋଇଥିବା ବେଳେ ବାଣ ବିସ୍ଫୋରଣ ହେଉଥିବା ସହ ନିଆଁ ହୁ ହୁ ହୋଇ ଜଳୁଥିବାରୁ ତିନି ନାବାଳକଙ୍କୁ ଘରୁ ଉଦ୍ଧାର କରିପାରିନଥିଲେ ।

କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିବା ପରେ ଘରୁ ତିନି ନାବାଳକଙ୍କୁ ଉଦ୍ଧାର କରାଯାଇ ମୁମୂର୍ଷୁ ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ଡାକ୍ତର ସାଇ ଓ କୃଷ୍ଣଙ୍କୁ ମୃତ ଘୋଷଣା କରିଥିଲେ । ସମ୍ବିତଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ପୁଲିସ ମୃତକ ଦ୍ୱୟଙ୍କ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ପୁଲିସ୍‌ ତାହାର ତଦନ୍ତ ଆରମ୍ଭ କରିଛି । ବେଆଇନ୍‌ ଭାବେ ଘରେ ବାଣ ଗଚ୍ଛିତ ରଖିଥିବା ଅଭିଯୋଗରେ ପୁଲିସ ସରୋଜଙ୍କ ନାମରେ ମାମଲା ରୁଜୁ କରିଛି ।

   ସମ୍ବନ୍ଧିତ ଖବର


ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…

ବାଇକ୍‌ରେ ଯାଉଥିଲେ, ଚଢ଼ିଗଲା ଟ୍ରକ୍: ଅଜା-ନାତିଙ୍କ ଚାଲିଗଲା ଜୀବନ

ଉତ୍ତରପ୍ରଦେଶ ଆମେଠିରେ ଦଳିତ ଗାଁ ମୁଖିଆଙ୍କ ସ୍ବାମୀକୁ ଜୀଅନ୍ତା ଜଳାଇ ହତ୍ୟା…

ମୁହାଁ ମୁହିଁ ଧକ୍କା ହେଲା ଟ୍ରକ୍‌ : ଗୁରୁତର ଡ୍ରାଇଭରଙ୍କୁ ହସ୍ପିଟାଲରେ ଭର୍ତ୍ତି

ହାତୀ ଆକ୍ରମଣରେ ଜଣେ ମୃତ, ସୁରକ୍ଷା ଦାବି କଲେ ସ୍ଥାନୀୟ ଲୋକେ