ଫଡନବିସ୍‌-ରାଜ ଠାକରେଙ୍କ ସମେତ କିଛି ନେତାଙ୍କ ସୁରକ୍ଷା ହ୍ରାସ କଲେ ଉଦ୍ଧବ ସରକାର, ବିଜେପି କହିଲା…

ମୁମ୍ବାଇ,୧୦/ ୦୧: ପଶ୍ଚିମବଙ୍ଗ ପରେ ମହାରାଷ୍ଟ୍ର ରାଜନୀତିକୁ ନେଇ ଚର୍ଚ୍ଚା ଲାଗି ରହିଛି। ମହାରାଷ୍ଟ୍ରର ଉଦ୍ଧବ ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ଯାହାକୁ ନେଇ ରାଜନୈିତକ ବୟାନବାଜି ଦେଖିବାକୁ ମିଳିଛି। ମହାରାଷ୍ଟ୍ର ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିପକ୍ଷ ଦଳ ନେତା ଦେବେନ୍ଦ୍ର ଫଡନବିସ ଓ ତାଙ୍କ ପରିବାର, ଉତ୍ତର ପ୍ରଦେଶର ପୂର୍ବତନ ରାଜ୍ୟପାଳ ରାମ ନାଏକ ଓ ମହାରାଷ୍ଟ୍ର ନବନିର୍ବାଣ ସେନାର ପ୍ରମୁଖ ରାଜ ଠାକରେଙ୍କ ସୁରକ୍ଷା ହ୍ରାସ କରିଛନ୍ତି।

କେବଳ ସେତିକି ନୁହେଁ ଏହା ବ୍ୟତୀତ ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ, ସୁଧୀର ମୁନଙ୍ଗଟିଓ୍ଵାର ସହିତ କିଛି ବିଜେପି ନେତାଙ୍କ ସୁରକ୍ଷା କଭରକୁ ହଟାଇ ଦେଇଛି ମହାରାଷ୍ଟ୍ର ସରକାର। ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ବିଜେପି ଟାର୍ଗେଟ କରିଛି। ବିଜେପି ମୁଖପାତ୍ର କେଶବ ଉପାଧ୍ୟାୟ ଉଦ୍ଧବ ଠାକରେ ସରକାରଙ୍କ ନିଷ୍ପତ୍ତିକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି।

ମିଳିଥିବା ସୂଚନା ମୁତାବିକ ଫଡନବିସଙ୍କ ନିକଟରୁ ଜେଡ ପ୍ଲସ୍‌ ସୁରକ୍ଷା ହଟାଇ ଏସ୍କର୍ଟ ସହିତ ୟାଇ ପ୍ଲସ୍‌ ସୁରକ୍ଷା ଯୋଗାଇଛନ୍ତି ସରକାର। ଏଥିସହିତ ବୁଲେଟ୍‌ ପ୍ରୁଫ ଗାଡ଼ି ମଧ୍ୟ ଫରୋଇ ନେଇଛି ଉଦ୍ଧବ ସରକାର। ଏଥିସହିତ ଉଦ୍ଧବ ସରକାର ମହାରାଷ୍ଟ୍ର ବିଧାନ ପରିଷଦରେ ବିରୋଧୀ ନେତା ପ୍ରବୀଣ ଦରେକର ଓ ବିଜେପି ବିଧାୟକ ପ୍ରସାଦ ଲାଡଙ୍କ ସୁରକ୍ଷାକୁ ମଧ୍ୟ କମ କରାଯାଇଛି। ଅନ୍ୟପଟେ ରାଜ ଠାକରେଙ୍କ ଜେଡ୍‌ ଶ୍ରେଣୀର ସୁରକ୍ଷାକୁ ଓ୍ଵାଇ ପ୍ଲସ୍ ଶ୍ରେଣୀରେ ବଦଳା ଯାଇଛି। ଯାହାକୁ ନେଇ ମହାରାଷ୍ଟ୍ରରେ ରାଜନୈିତିକ ବୟାନବାଜି ଦେଖିବାକୁ ମିଳିଛି।