ଏମିତି ସୁରକ୍ଷିତ ରଖନ୍ତୁ ନିଜ ଆଧାର କାର୍ଡର ଡାଟା, ଜାଣନ୍ତୁ ସହଜ ଉପାୟ

ନୂଆଦିଲ୍ଲୀ ୩/୧୨: ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥୋରିଟି ଅଫ୍ ଇଣ୍ଡିଆ ଦ୍ୱାରା ଜାରି ହେଉଥିବା ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ସବୁ କାମରେ ଏହା ଦରକାର ପଡେ । ନିକଟରେ ଅର୍ଥମନ୍ତ୍ରୀ ବ୍ୟାଙ୍କମାନଙ୍କୁ ଗ୍ରାହକଙ୍କ ବ୍ୟାଙ୍କ ଖାତାରେ ଆଧାର ଲିଙ୍କ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅର୍ଥାତ୍ ବ୍ୟାଙ୍କର ପ୍ରତି ଖାତା ଆଧାର ସହିତ ଯୋଡିହେବା ଉଚିତ୍ । ଯେଉଁ ଖାତାରେ ଆଧାର ସଂଯୋଗ କରାଯାଇନି ୩୧ ମାର୍ଚ୍ଚ ୨୦୨୧ ଭିତରେ ଯୋଡାଯିବ । ସେହିପରି ପାନ୍-ଆଧାର ମଧ୍ୟ ପରସ୍ପର ସହିତ ଲିଙ୍କ ହେବା ବାଧ୍ୟତାମୂଳକ । ଏମିତି ହୋଇନଥିଲେ ପାନ୍ କାର୍ଡକୁ ଅମାନ୍ୟ କରିଦିଆଯିବ ।

ତେବେ ଅଧିକାଂଶ ସମୟରେ ଆଧାରର ଡାଟା ସୁରକ୍ଷା ନେଇ ଲୋକମାନେ ଚିନ୍ତିତ ରୁହନ୍ତି । କାର୍ଡଧାରକଙ୍କ ମନରେ ଆଧାର ଲିକ୍ ହେବା ନେଇ କିମ୍ବା ଆଧାର ସୂଚନା ଜରିଆରେ ବ୍ୟାଙ୍କ ଖାତା ହ୍ୟାକ୍ ହେବା ନେଇ ଡର ରହିଥାଏ । ଏଭଳି କ୍ଷେତ୍ରରେ ୟୁଆଇଡିଏଆଇ କାର୍ଡଧାରୀଙ୍କୁ ଆଧାର ନମ୍ବର ଲକ୍ କରିବା ନେଇ ପରାମର୍ଶ ଦେଇଥାଏ । କାର୍ଡଧାରୀ ଆଧାର ନମ୍ବରକୁ ଲକ୍ କରିବା ପାଇଁ ଆଧାରରେ ରେଜିଷ୍ଟର୍ଡ ମୋବାଇଲ୍ ନମ୍ବରର ସାହାଯ୍ୟ ନେଇପାରିବେ । ଅର୍ଥାତ୍ ଆପଣ ଏସଏମଏସ ଜରିଆରେ ଆଧାର ନମ୍ବରକୁ ଲକ୍ କରିପାରିବେ ।

ଏଥିପାଇଁ ସର୍ବପ୍ରଥମେ ଏସଏମଏସରେ GETOTP ଲେଖି ସ୍ପେଶ୍ ଦେବାକୁ ପଡିବ । ଏହା ପରେ ନିଜ ଆଧାର ନମ୍ବରର ଶେଷ ୪ ଡିଜିଟ୍ସ ଲେଖି ୧୯୪୭ କୁ ପଠାଇବାକୁ ପଡିବ । ଏହି ଏସଏମଏସ ପରେ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ୬ ଅଙ୍କର ଓଟିପି ରିସିଭ୍ ହେବ । ଏହା ପରେ ଆପଣଙ୍କୁ ଆଉ ଏକ ମେସେଜ୍ ପଠାଇବାକୁ ପଡିବ । ଏଥିପାଇଁ LOCKUID  ପରେ ସ୍ପେଶ୍ ଦେଇ ଆଧାର ନମ୍ବରର ଶେଷ ୪ ଅଙ୍କ ଓ ସ୍ପେଶ୍ ଦେଇ ୬ ଅଙ୍କର ଓଟିପି ୧୯୪୭କୁ ପଠାଇ ଦିଅନ୍ତୁ । ଏବେ ଆପଣଙ୍କ ଆଧାର ନମ୍ବର ଲକ୍ ହୋଇଯିବ ।