ମାଲ୍ୟାଙ୍କୁ ଝଟକା, ବ୍ରିଟେନ କୋର୍ଟରେ ପ୍ରତ୍ୟର୍ପଣ ବିରୋଧୀ ଆବେଦନ ଖାରଜ

ଲଣ୍ଡନ,୮।୪: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଆଜି ଲଣ୍ଡନର କୋର୍ଟରୁ ମିଳିଛି ବଡ ଝଟକା। ସୂଚନା ଅନୁସାରେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ବିରୋଧରେ ହୋଇଥିବା ଆବେଦନକୁ ଲଣ୍ଡନ କୋର୍ଟ ଖାରଜ କରିଦେଇଛନ୍ତି। ଏହାର ଅର୍ଥ ଏବେ ମାଲ୍ୟା ତାଙ୍କର ପ୍ରତ୍ୟର୍ପଣ ବିରୋଧରେ ହାଇକୋର୍ଟରେ ଆବେଦନ କରିପାରିବେ ନାହିଁ ଓ ତାଙ୍କୁ ଭାରତ ଫେରାଇ ଆଣିବାର ରାସ୍ତା ସଫା ହୋଇଯାଇଛି।
୬୩ ବର୍ଷୀୟ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ କରିବାର ପ୍ରଥମ ନିର୍ଦେଶଗତ ଡିସେମ୍ବର ୧୦ରେ ୱେଷ୍ଟମିନିଷ୍ଟର କୋର୍ଟ ମୁଖ୍ୟ ମାଜିଷ୍ଟ୍ରେଟ୍ ଏମ୍ମା ଅର୍ବୁଥନାଟ ମଞ୍ଜୁରୀ ପ୍ରଦାନ କରିଥିଲେ। ମାଜିଷ୍ଟ୍ରେଟ୍ ତାଙ୍କ ରାୟରେ କହିଥିଲେ ଯେ ଭାରତୀୟ ବ୍ୟାଙ୍କଗୁଡ଼ିକରୁ ଠକେଇ ଏବଂ ଋଣ ଖିଲାପି ନେଇ ମାଲ୍ୟାଙ୍କ ବିରୋଧରେ ପ୍ରର୍ଯ୍ୟାପ୍ତ ପ୍ରମାଣ ରହିଛି। ଏହାପରେ ବ୍ରିଟେନ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ସାଜିଦ୍ ଜାଭେଦ ଏହି ପ୍ରତ୍ୟର୍ପଣକୁ ମଞ୍ଜୁରୀ ପ୍ରଦାନ କରିଥିଲେ।
ବ୍ରିଟେନର ଗୃହମନ୍ତ୍ରଣାଳୟ ନିଜର ବୟାନରେ କହିଛି ସମସ୍ତ ମାମଲାକୁ ଧ୍ୟାନରେ ରଖି ଗୃହମନ୍ତ୍ରୀ ମାଲ୍ୟାଙ୍କ ପ୍ରତ୍ୟର୍ପଣ ନିର୍ଦେଶକ ଉପରେ ନିଜର ସ୍ବାକ୍ଷର କରିଛନ୍ତି। ଗୃହମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ୩ ଫେବୃଆରୀରେ ଗୃହମନ୍ତ୍ରୀ ସମସ୍ତ ପ୍ରସଙ୍ଗ ଉପରେ ସାବଧାନପୂର୍ବକ ବିଚାର କରି ବିଜୟ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ କରିବାର ନିର୍ଦେଶରେ ସ୍ବାକ୍ଷର କରିଛନ୍ତି।ଏହି ପ୍ରତ୍ୟର୍ପଣ ମଞ୍ଜୁରୀ ବିରୋଧରେ ମାଲ୍ୟା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ କୋର୍ଟ ମାଲ୍ୟାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଉଲ୍ଳେଖନୀୟ ଯେ, ମାଲ୍ୟା ଭାରତର ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୯୦୦୦ କୋଟି ଟଙ୍କା ଠକି ନେଇଛନ୍ତି।