କାଳିଆ ଯୋଜନାରେ ୧୭୦ କୋଟିର ସ୍କାମ; ଚାଷୀଙ୍କୁ ନାଲିଆଖି ଦେଖାଇଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବ

ଭୁବନେଶ୍ୱର,୧୯ ।୯(ବ୍ୟୁରୋ): ‘କାଳିଆ’ ଯୋଜନା ନା ରେ ରାଜ୍ୟ ସରକାର ସ୍କାମ କରିଛନ୍ତି ।ଶାସକ ବିଜେଡି ନିର୍ବାଚନ ଜିତିବା ଓ କ୍ଷମତା ଆପଣେଇବା ପାଇଁ କାଳିଆ ଯୋଜନା ଲାଗୁ କରିଥିଲା । ଦଳୀୟ କର୍ମୀମାନଙ୍କୁ ହିତାଧିକାରୀ ଚିହ୍ନଟ କରି ଏହି ଯୋଜନା ମାଧ୍ୟମରେ ଟଙ୍କା ବାଣ୍ଟିଲା । ଆଉ ଏବେ ନିର୍ବାଚନ ସରିବା ପରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରି ଅର୍ଥ ଫେରାଇବା କହି ଚାଷୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରୁଛି । ଅଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ବଂଟନ କରି ପରେ ସେମାନଙ୍କୁ ଜେଲ୍‌ ପଠାଇବା ଭଳି ଏବେ କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ଟଙ୍କା ଆଦାୟ କରିବା ପାଇଁ ଉଦ୍ୟମ କରୁଛି । ଯୋଗ୍ୟ ଚାଷୀ ପରିବାର ବି ଆଶଙ୍କା ଭିତରେ ରହିଛି କାଳେ ତାଙ୍କୁ ଅଯୋଗ୍ୟ ଘୋଷଣା କରି ଅର୍ଥ ଆଦାୟ କରାଯିବ ନଚେତ୍‌ ଜେଲ୍‌ ପଠାଯିବ । ମାତ୍ର ସରକାରଙ୍କ ଏଭଳି ନାଲିଆଖି ଧମକ ଚମକ ଚଳିବ ନାହିଁ । ବିଜେପି ଆବଶ୍ୟକ ହେଲେ ରାଜରାସ୍ତାକୁ ଓହ୍ଳାଇବ, ଚାଷଈ ପରିବାର ପଛରେ ଛିଡ଼ା ହେବ ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ।
 

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, କାଳିଆ ଯୋଜନା ହେଉଛି ଧୁଆଁବାଣ । ଏହି ଯୋଜନାରେ ହୋଇଥିବା ମହାଘୋଟାଲାର ପର୍ଦ୍ଦାଫାଶ ହେବା ଦରକାର । କାଳିଆ ଯୋଜନାରେ ହିତାଧିକାରୀ ତାଲିକାର ତଦନ୍ତ ଏକ ନିରପେକ୍ଷ ଯାଞ୍ଚ ଏଜେନ୍‌ସୀ ଦ୍ୱାରା କରାଯାଉ । ନିଜ କ୍ଷମତାକୁ ଅପବ୍ୟବହାର କରି ଅଯୋଗ୍ୟ ହିତାଧିକାରୀମାନଙ୍କୁ ଏହି ଯୋଜନାରେ ସାମିଲ କରି ରାଜ୍ୟ ରାଜକୋଷରୁ ୧୭୦ କୋଟି ଟଙ୍କା ଅପବ୍ୟୟ କରିଥିବା ବିଭାଗୀୟ ମନ୍ତ୍ରୀ ଓ ସରକାରୀ ଅଫିସରମାନଙ୍କ ସମେତ ମୁଖ୍ୟମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ଆକାଉଣ୍ଟରୁ ବଳକା ଅର୍ଥ ଆଦାୟ କରାଯାଉ ।   

ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି, କାଳିଆ ଯୋଜନାର ହିତାଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ କୃଷି ମନ୍ତ୍ରୀ ଅରୁଣ ସାହୁ କହିଥିଲେ “କାଳିଆ ଯୋଜନାରେ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଛନ୍ତି । ସରକାର ସେମାନଙ୍କଠାରୁ ପଇସା ଫେରାଇବେ । ମାତ୍ର କୃଷି ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରି କହିଲେ ଯେ ୩୨ ହଜାର ହେଉଛନ୍ତି ଅଯୋଗ୍ୟ । କୃଷି ମନ୍ତ୍ରୀ ସତ ନା କୃଷି ବିଭାଗ କଥା ସତ ତାହା ଅସ୍ପଷ୍ଟ । କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରିମାନଙ୍କୁ ତାଲିକାରେ କିଏ ସାମିଲ କଲା ? ଏଥିପାଇଁ ଦାୟୀ କିଏ ? ଏବେ ଏହି ସ୍କାମ ପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି । କାଳିଆ ଯୋଜନାକୁ ରାଜ୍ୟ ସରକାର ତରବରିଆ ଭାବେ ଆରମ୍ଭ କରିଥିଲେ । ନିରପେକ୍ଷ ତଦନ୍ତ ହେଲେ ୨୦ ଲକ୍ଷରୁ ଉଧ୍ୱର୍ ଅଯୋଗ୍ୟ ହିତାଧିକାରୀ ବାହାରିବେ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଓ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

   ସମ୍ବନ୍ଧିତ ଖବର


ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ଆଜି ଧରାପୃଷ୍ଠରେ ଅବତରଣ କରିବେ ମା’ ଗଜଲକ୍ଷ୍ମୀ: ସବୁଠି କୋଭିଡ୍‌ ନିୟମ ଅନୁସାରେ ହେବ ପୂଜା, ଦର୍ଶନ କରିବେନି ଭକ୍ତ

ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ, ଆଜି କ୍ରାଇମବ୍ରାଞ୍ଚ କର୍ତ୍ତୃପକ୍ଷଙ୍କୁ ଭେଟିବେ ଆଦିତ୍ୟଙ୍କ ମା’

ପୁଣି କରୋନାରେ ଆଖିବୁଜିଲେ ୧୧ ଜଣ ଆକ୍ରାନ୍ତ: ମୃତ୍ୟୁସଂଖ୍ୟା ୧୩ଶହ ପାର୍

ପାର୍ବଣ ପରେ ବଢ଼ିଲା କରୋନା: ପୁଣି ଚିହ୍ନଟ ହେଲେ ୧୫୪୭ ଜଣ ଆକ୍ରାନ୍ତ, ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୮ ହଜାର ଟପିଲା

ପୁଣି ଏକ ସାଙ୍ଘାତିକ ଅଭିଯୋଗ : ଏଥର ୪ ଶ୍ରମିକଙ୍କ ନାଁରେ ଜିଏସ୍‌ଟି ଠକେଇ !