ଓଡ଼ିଶାରେ କରୋନା ଆହ୍ୱାନକୁ ସମ୍ଭାବନାର ରୂପ ଦେବା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୩/୫: ଓଡ଼ିଶାର ପ୍ରମୁଖ ସିଭିଲ୍‌ ସୋସାଇଟି ନେତୃତ୍ୱଙ୍କ ସହ କରୋନା ସମୟରେ ରାଜ୍ୟରେ ପରିସ୍ଥିତି, ଏହାର ତ୍ୱରିତ ମୁକାବିଲା ଓ ଲମ୍ବା ସମୟ ବିକାଶ ଯୋଜନା ଉପରେ ଶନିବାର ଭିଡିଓ କନଫରେନ୍‌ସିଂ ଯୋଗେ ବିସ୍ତୃତ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ କରୋନା ଆହ୍ୱାନକୁ ସମ୍ଭାବନାର ରୂପ ଦେବାକୁ ସେ ସିଭିଲ ସୋସାଇଟିର ନେତୃବୃନ୍ଦଙ୍କୁ ଆହ୍ୱାନ କରିଛନ୍ତି ।

ଏହି ଆଲୋଚନାରେ ସିଭିଲ୍‌ ସୋସାଇଟିର ପ୍ରମୁଖ ବ୍ୟକ୍ତିଗଣ କରୋନା ସମୟରେ ପ୍ରବାସୀ ଓଡ଼ିଆ ଭାଇ ଭଉଣୀଙ୍କ ଫେରିବା, ସେମାନଙ୍କ ଫେରିବା ପରେ ସଙ୍ଗରୋଧ ଓ ଜୀବିକା ପ୍ରସଙ୍ଗ ଉଠାଇଥିଲେ । ମନରେଗା ନିୟମରେ ସୁଧାର, ଚାଷ ସମସ୍ୟା, କୃଷି ଉତ୍ପାଦର

ବିପଣନ, ପିଡିଏସରେ ବଞ୍ଚୁଥିବା ଲୋକଙ୍କ ସମସ୍ୟା, ସଙ୍ଗରୋଧରେ ମହିଳାଙ୍କ ପାଇଁ ସୁବିଧା, ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ସମସ୍ୟା, ଜଙ୍ଗଲଜାତ ଦ୍ରବ୍ୟ ବିପଣନ ଆଦି ସମସ୍ୟା ଉପରେ ସିଭିଲ୍‌ ସୋସାଇଟିର ନେତୃବୃନ୍ଦ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ସମ୍ଭାବ୍ୟ ସମାଧାନ ଉପରେ ଆଲୋକପାତ କରିଥିଲେ । ସିଭିଲ୍‌ ସୋସାଇଟିର ସଦସ୍ୟଙ୍କ ମତ ମନ୍ତବ୍ୟ ଶୁଣିବା ସହ କରୋନାର ତତକାଳୀନ ମୁକାବିଲା ସହ ଏହି ଆହ୍ୱାନକୁ କିପରି ଓଡ଼ିଶା ପାଇଁ ଏକ ବଡ଼ ସୁଯୋଗରେ ପରିଣତ କରାଯାଇପାରିବ ଏଥିପାଇଁ ସମସ୍ତେ ମିଳିମିଶି କାମ କରିବାକୁ ଆହ୍ୱାନ ଜଣାଇଥିଲେ ।

ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ସେ ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ପାଇଁ କଥା ହୋଇଛନ୍ତି । ଏହି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏ ଦିଗରେ ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟ ଭିତରେ ସ୍ଥାୟୀ କର୍ମ ନିଯୁକ୍ତିର ସୁଯୋଗ ତିଆରି କରାଯିବ ତେବେ ଏହା ଓଡ଼ିଶାର ଅର୍ଥନୀତିକୁ ସୁଦୃଢ କରିବ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଜଣେ ଝିଅ ଲାପଟପ୍‌ ଧରି ବ୍ୟାଙ୍କ୍‌ ମିତ୍ର ଭାବରେ ଲୋକମାନଙ୍କ ଟଙ୍କା ବ୍ୟାଙ୍କ୍‌ ଖାତାରୁ ଉଠାଇବାର ଚିତ୍ର ସାମାଜିକ ଗଣମାଧ୍ୟମରେ ଦେଖିଥିଲେ । ବ୍ୟାଙ୍କ୍‌ ମିତ୍ର ବ୍ୟବସ୍ଥାକୁ ଦୃଢ କରିବା ପାଇଁ ମଧ୍ୟ ଉଦ୍ୟମ ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ । ଡିବିଟି ଦ୍ୱାରା ମଧ୍ୟସ୍ଥି ବ୍ୟବସ୍ଥା ନରହିଲେ ସାଧାରଣ ଲୋକ ଠକାମୀର ଶୀକାର ହେବେ ନାହିଁ ବୋଲି ସେ କହିଥିଲେ । କରୋନାକୁ ସାମାଜିକ ଅପବାଦ ବନାଇ ନ ଦେବା ପାଇଁ ସିଭିଲ ସୋସାଇଟି ସମାଜକୁ ବୁଝାଇବାର କାମ କରୁ ବୋଲି ଆହ୍ୱାନ କରିବା ସହ ଚାଷୀର ପ୍ରାଥମିକତା ଧାନ ଚାଷରୁ ହଟାଇ ଅର୍ଥକରୀ ଫସଲ ଆଡକୁ ନେବା ଉପରେ ଗୁରୁତ୍ୱ ଦେଇଥିଲେ ।

ସେ କହିଥିଲେ ଯେ ୧୯୧୮ ମସିହା ସ୍ପାନିଶ ଫ୍ଲୁ ସମୟରେ ଯେଉଁଦେଶ ଅର୍ଥନୀତିକୁ ଧ୍ୟାନ ନଦେଇ ଲୋକଙ୍କ ଜୀବନ ରଖିବାକୁ ପ୍ରାଧାନ୍ୟ ଦେଇଥିଲେ ପରବର୍ତୀ ସମୟରେ ସେ ଦେଶର ଅର୍ଥନୀତି ଦୃଢ଼ ହୋଇଥିଲା । କରୋନା ସମୟରେ ଆମେରିକା ଓ ଭାରତର ପ୍ରାଥମିକତାକୁ ଚର୍ଚ୍ଚା କରିବା ସହ ଲୋକଙ୍କ ଜୀବନ ବଞ୍ଚାଇବା ସରକାରଙ୍କର ପ୍ରାଥମିକତା ବୋଲି ସେ କହିଥିଲେ । ସିଭିଲ୍‌ ସୋସାଇଟି ମାନ ଅଭିମାନ, କିଏ ଡାକିଲା କିଏ ନଡାକିଲା ଏହାର ଉପରକୁ ଯାଇ ସାମାଜର ସେବା କରିବାକୁ ଆହ୍ୱାନ କରିଥିଲେ ଶ୍ରୀ ପ୍ରଧାନ । ଏହି ଭିଡିଓ କନଫରେନସିଂରେ ସମାଜସେବୀ ଜଗତାନନ୍ଦ ସଂଯୋଜନା କରିଥିବା ବେଳେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ, ଡା. ଭଗବାନ ପ୍ରକାଶ, ଜଗଦିଶ ପ୍ରଧାନ, ଉମି ଡାନିଏଲ୍‌, ମାନସ ମିଶ୍ର, କୈଳାଶ ଦଣ୍ଡପାଟ, ଅମିୟ ବିଶ୍ୱାଳ, ଆଦିତ୍ୟ ପଟ୍ଟନାୟକ, ବିଦ୍ୟୁତ ମହାନ୍ତି, ପ୍ରଦୀପ୍ତ ମହାପାତ୍ର, ସ୍ନେହା ମିଶ୍ର, ବିଶାଖା ଭଞ୍ଜ, ମଙ୍ଗରାଜ ପଣ୍ଡା, ବସନ୍ତ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

   ସମ୍ବନ୍ଧିତ ଖବର


ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍, ସିବିଆଇ କୋର୍ଟ ଦେଇଥିଲେ ୩ ବର୍ଷର ଜେଲ ଦଣ୍ଡାଦେଶ

ମଦ କାଉଣ୍ଟର ପରିସରରେ ଦୁଇ ଜଣ ଚାଷୀଙ୍କୁ ପଥର ଓ ବାଡ଼ିରେ ଆକ୍ରମଣ କଲେ ମଦ୍ୟପ: ଚାଷୀ ଗୁରୁତର, ୪ ଯୁବକ ଅଟକ

ଶିକ୍ଷକଙ୍କୁ କଚାଡି ମାରିଲା ହାତୀ

ରାଜ୍ୟରେ ପୁଣି ୧୪ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୫୯ କୁ ବୃଦ୍ଧି

ପୁଣି ଚିହ୍ନଟ ହେଲେ ୧୪୮୦ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ଡେଇଁଲା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ୍, କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲା