PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

କୁଆଡ଼େ ଗଲେ ରାଜଧାନୀଆ ସାପ ! ସାପ ତସ୍କର ସକ୍ରିୟ ସନ୍ଦେହ

ଭୁବନେଶ୍ୱର,୨୪ା୨(ବ୍ୟୁରୋ): ସାପ ବାହାରିବା ବେଳ ଆସିଲାଣି । ଦକ୍ଷିଣ ପଟୁ ବସନ୍ତ ପବନ ବହିଲାଣି । ଖରା ବି ଟାଣ ହେଲାଣି । ହେଲେ ସାପର ସହର କୁହାଯାଉଥିବା ରାଜଧାନୀ ଭୁବନେଶ୍ୱରରେ ସାପ ନାଁ କେହି ଧରୁନାହାନ୍ତି । ବାଡ଼ିବଗିଚା, ଘରଦ୍ୱାର, ପାର୍କ କେଉଁଠି ବି ଖୋଜିଲେ ସାପ ଦେଖା ଯାଉନାହାନ୍ତି । ଏପରିକି ଦିନେ ସାପ ବଲବଲ ହେଉଥିବା କିଛି ମନ୍ଦିର ପରିସରରେ ଏବେ ଗୋଟିଏ ବି କୌଣସି ପ୍ରଜାତିର ସାପ ବାହାରୁ ନାହାନ୍ତି । ସର୍ପବହୁଳ ସ୍ଥାନରୁ ସାପ କୁଆଡ଼େଗଲେ ତାହା ଏବେ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି । ସଂଖ୍ୟା ଏପରି କମିଯିବା ପଛରେ ସାପ ତସ୍କରଙ୍କ ହାତ ରହିଥିବା ଆଶଙ୍କା ଉପୁଜିଛି ।
ଏକଦା ବଣଜଙ୍ଗଲ ଥିବା ରାଜଧାନୀରେ ଏବେ ଆଧୁନିକ ଆବହାୱା । ତେବେ ସେହି ଆବହାୱା ଭିତରେ ଖାପ ଖୁଆଇ ବନ୍ୟଜନ୍ତୁ ଭାବେ ସାପ ନିଜର ଉପସ୍ଥାନକୁ ଏଯାଏ ବଞ୍ଚାଇ ରଖିଛି । ରାଜଧାନୀରେ ଯେଉଁ ସଂଖ୍ୟାରେ ନାଗସାପ ଦେଖାଯାଆନ୍ତି ତାହା ବୋଧହୁଏ କୌଣସି ଘନଜଙ୍ଗଲ ଠାରୁ ଢେର୍‌ ଅଧିକ । ଏଠାରେ ନାଗସାପ ଲୋକଙ୍କ ଘର, ବାଡ଼ିବଗିଚା, ମନ୍ଦିର, ସରକାରୀ ଦପ୍ତର, ଶିକ୍ଷାନୁଷ୍ଠାନ, ପାର୍କ କାହାକୁ ଛାଡ଼ି ନାହାନ୍ତି । ଏପରିକି କାର୍‌ ଓ ଏସି ଭିତରେ ମଧ୍ୟ ଏମାନଙ୍କ ସନ୍ଧାନ ମିଳିଛି । ନାଗ ସବୁଠି ବାସସ୍ଥାନ ବନାଇ ବଂଶବୃଦ୍ଧି ଚଳାଇଛନ୍ତି । ତେଣୁ ଅନେକ ସମୟରେ ଲୋକଙ୍କ ଡାକରାରେ ସାପ ଧରାଳିମାନେ ଅଧିକ ସଂଖ୍ୟାରେ ନାଗସାପ ଧରି ନେଉଥିବା ଦେଖାଯାଇଛି ।
ସଂଖ୍ୟାରେ ଏଠି ନାଗ ପ୍ରଥମରେ ରହିଲେ ଦ୍ୱିତୀୟରେ ଚନ୍ଦନ ବୋଡ଼ା ସାପ । ଏହି ବିଷଧର ସାପ ପାର୍କ, ବାଡ଼ିବଗିଚାରେ ଥିବା ଅଳିଆ ଗଦା, ଗୋଦାମ ଘର, ଇଟାପଥର ଗଦା, ପାର୍କ, ବଣବୁଦାରେ ଦେଖିବାକୁ ମିଳନ୍ତି । ତୃତୀୟ ସ୍ଥାନରେ ଢମଣା ସାପ । ଏହି ବିଷହୀନ ସାପ ଜନବସତି ନିକଟ ବଣବୁଦାରେ ରହିବା ଅଭ୍ୟାସ କରିଛି । କାରଣ ଏଠାରେ ଢମଣାର ପ୍ରିୟ ଖାଦ୍ୟ ମୂଷା ବହୁଳ ଭାବେ ମିଳନ୍ତି । ଏହାବ୍ୟତୀତ ରାଜଧାନୀର ସନ୍ତସନ୍ତିଆ ଅଞ୍ଚଳରେ ବିଷଧର ତମ୍ପ ସାପ, ବିଷହୀନ ଧଣ୍ଡ, କାଉଚିଆ ଆଦି ସାପ ଦେଖିବାକୁ ମିଳନ୍ତି । ଗଛଲଟା ଭର୍ତ୍ତି ଥିବା ଅଞ୍ଚଳରେ କାଣ୍ଡନଳୀ, ଲାଉଡଙ୍କିଆ, ଚିତି ବୋଡ଼ା ଓ ରଣା ସାପ ମଧ୍ୟ କାଁ ଭାଁ ଦେଖାଯାନ୍ତି ।

କିଛି ବର୍ଷ ତଳେ ରାଜଧାନୀରେ ସାପ ଭର୍ତ୍ତି ହୋଇଥିଲେ । ଜନବସତିରୁ ପ୍ରତ୍ୟହ ୪-୫ଟି ସାପ ଧରା ହେବା ଘଟଣା ସ୍ୱାଭାବିକ ଥିଲା । ତେବେ ୨୦୧୮-୧୯ରେ ସାପ ସଂଖ୍ୟା ଆଶାତୀତ ଭାବେ କମିଯାଇଛି । ଏପରିକି ନାଗସାପ ବି ଆଉ ଦେଖାଯାଉ ନାହାନ୍ତି କି ଧରାହେବା ଖବର ମିଳୁନାହିଁ । ସର୍ପ ବିଶେଷଜ୍ଞ ଏହାର ସ୍ପଷ୍ଟ କାରଣ ଖୋଜି ପାଉନାହାନ୍ତି । ପ୍ରଦୂଷଣ କିମ୍ବା ସର୍ପ ଚୋରାଚାଲାଣ ସାପ ବଂଶ ଲୋପ ପଛରେ ରହିଛି ବୋଲି ସନ୍ଦେହ କରାଯାଉଛି ।
ସଂଜୀବ କୁମାର ଦାସ ନାମକ ଜଣେ ସର୍ପ ବିଶେଷଜ୍ଞ କହିଛନ୍ତି, ଓଡ଼ିଶାରୁ ବହୁଳ ମାତ୍ରାରେ ବିଷଧର ସାପ ବାହାରକୁ ଚାଲାଣ ହେଉଛି । ନାଗ ସାପ ଗୋଟାକୁ ୩୦୦୦ ଓ ଚନ୍ଦନବୋଡ଼ା ପ୍ରତି ୫୦୦୦ରେ ବିକ୍ରି ହେଉଛି । ସାପ କିଣିବା ପାଇଁ ନୂଆପଲ୍ଲୀ ଅଞ୍ଚଳରେ ବାହାର ରାଜ୍ୟର ତସ୍କର ଟଙ୍କା ଧରି ବସିଛନ୍ତି । ତେଣୁ ରାଜଧାନୀରେ ସାପ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି ।
ନିକଟରେ ଚନ୍ଦ୍ରଭାନୁ ନାୟକ ନାମକ ଜଣେ ଓଡ଼ିଆ ସାପ ଧରାଳି ଓଡ଼ିଶା ଅଞ୍ଚଳର ଗୁଡ଼ାଏ ବିରଳ ସାପ ଚୋରାଚାଲାଣ କରୁଥିବା ବେଳେ ଧରାପଡ଼ିଥିଲେ । ମହାରାଷ୍ଟ୍ରର ଅହମ୍ମଦନଗର ରେଳଷ୍ଟେସନ ଠାରେ ତାଙ୍କ ଠାରୁ ସାପ, ପୋହଳା ଏଣ୍ଡୁଅ ଆଦି ଜବତ ହୋଇଥିଲା । ଗିରଫ ଚନ୍ଦ୍ରଭାନୁଙ୍କୁ ଜେରା ବେଳେ ସାପ ଚୋରାଚାଲାଣ ଉପରେ ଚମକପ୍ରଦ ତଥ୍ୟ ମିଳିଥିଲା ।
ଚନ୍ଦ୍ରଭାନୁଙ୍କ ସୂଚନା ମୁତାବକ, ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୪ଜଣ ମରାଠି ସାପଧରାଳିଙ୍କୁ ଗିରଫ କରାଯାଇଥିଲା । ଚନ୍ଦ୍ରଭାନୁଙ୍କ ଠାରୁ ସେମାନେ ନେଇଥିବା ଏକ ସାଢ଼େ ୧୦ ଫୁଟର ଓଡ଼ିଶା ଜଙ୍ଗଲର ଅହିରାଜ ସାପକୁ ମୁମ୍ବାଇରେ ଜବତ କରାଯାଇଥିଲା । ଉକ୍ତ ସାପକୁ ଆବଶ୍ୟକୀୟ ଚିକିତ୍ସା ପରେ ବିମାନରେ ଓଡ଼ିଶା ଅଣାଯାଇ ସ୍ଥାନୀୟ ବନ୍ୟଜନ୍ତୁ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହି ଘଟଣା ପରେ ସାପ ଚୋରାଚାଲାଣ କ୍ଷେତ୍ରରେ ସାପଧରାଳିମାନେ ବନବିଭାଗ ଓ ଏସ୍‌ଟିଏଫ୍‌ର ସ୍କାନରକୁ ଆସିଛନ୍ତି । ସାପ ଧରିବା ପରେ ସେମାନେ ତାକୁ ନେଇ କ’ଣ କରୁଛନ୍ତି ସେ ଦିଗରେ ତଦନ୍ତ ଚାଲିଛି ।
ଏହି ସବୁ କାରସାଦି ଭିତରେ ଭୁବନେଶ୍ୱରିଆ ସାପ ଛନ୍ଦି ହୋଇ ଯାଇଥିବା ସନ୍ଦେହ କରାଯାଉଛି । ହଠାତ୍‌ ସାପ ସଂଖ୍ୟା କମିଯିବା ପଛରେ ଏକ ର‌୍ୟାକେଟ୍‌ କାମ କରୁଥିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ । କାରଣ ଭାରତୀୟ ବିରଳ ସାପ ଅନ୍ତର୍ଜାତୀୟ ବଜାରରେ ଢେର ମୂଲ୍ୟରେ ବିକ୍ରି ହେଉଛି । ଏହି ସାପ ଚାଲାଣର ଚେର ମୁମ୍ବାଇ ଠାରୁ ଆରମ୍ଭ କରି ବାଂଲାଦେଶ, ନେପାଳ ଯାଏ ଲମ୍ବିଛି । ଓଡ଼ିଶାରୁ ବଜ୍ରକାପ୍ତା ଚାଲାଣର ଗୁଢ଼ ରହସ୍ୟ ଏସ୍‌ଟିଏଫ୍‌ ଦ୍ୱାରା ପଦାକୁ ଆସି ପାରିଛି । ଏଥିରେ ସଂପୃକ୍ତ ତସ୍କରମାନେ ଓଡ଼ିଶା, ଆସାମ ଓ ନାଗାଲାଣ୍ଡରୁ ଗିରଫ ହୋଇ ଜେଲକୁ ଯାଇଛନ୍ତି । ସେହିଭଳି ମହାରାଷ୍ଟ୍ର ସାପ ଚୋରାଚାଲାଣ ଘଟଣା ପଦାକୁ ଆସିବା ପରେ ସାପ ତସ୍କରି ଉପରେ ନଜର ପକାଇଛି ଏସ୍‌ଟିଏଫ୍‌ । ଏଥିରେ କେଉଁମାନେ ସଂପୃକ୍ତ ଅଛନ୍ତି ତାହା ଖୁବ୍‌ଶୀଘ୍ର ପର୍ଦ୍ଦାଫାସ ହେବ ବୋଲି ଏସ୍‌ଟିଏଫ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।