ଧରା ପଡ଼ିଲା ୧ ନମ୍ବର ହାଟ ପିଣ୍ଡି କେଳେଙ୍କାରୀ: ବିଏମ୍‌ସି କମିଶନର କଲେ ପିଣ୍ଡିର ଟିକିନିଖି ଯାଞ୍ଚ

ଭୁବନେଶ୍ୱର ୨୧/୮: ଏକ ନମ୍ବର ହାଟ ପିଣ୍ଡି କେଳେଙ୍କାରୀ ଆଜି ପର୍ଦ୍ଦାଫାଶ ହୋଇଛି । ନିଜେ ବିଏମ୍‌ସି କମିଶନର ଏହି କେଳେଙ୍କାରୀ ଧରିଛନ୍ତି । ଜଣେ ବିଧବା ମହିଳାଙ୍କ ପିଣ୍ଡିକୁ କାରସାଦି କରି ହଡ଼ପ କରିଥିବା ଗୟା ସ୍ୱାଇଁ ଓ ସୁରେନ୍ଦ୍ର ପଣ୍ଡାଙ୍କ କବଳରେ ଥିବା ପିଣ୍ଡିକୁ ବିଏମ୍‌ସି ନିଜ ଅଧୀନକୁ ଆଣିଛି । ପୁଲିସ ଉପସ୍ଥିତିରେ ବିଏମ୍‌ସି ଏନଫୋର୍ସମେଣ୍ଟ ଟିମ୍‌ ଏହି ପଦକ୍ଷେପ ନେଇଛି । ଏହି ଘଟଣା ପରେ ଏକ ନମ୍ବର ହାଟର ବିଶାଳ ଦୁର୍ନୀତି ପୁଣି ଫୁଟି ବାହାରିଛି ।

ବିଏମ୍‌ସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିନୋଦିନୀ ପଣ୍ଡା ନାମକ ଜଣେ ଅସହାୟ ମହିଳା ଗତ ଏପ୍ରିଲ ମାସରୁ ଏକ ନମ୍ବର ହାଟର ପିଣ୍ଡିରେ କପ୍‌, ପ୍ଲେଟ୍‌ ବ୍ୟବସାୟ କରୁଥିଲେ । ଏହା ପୂର୍ବରୁ ତାଙ୍କ ସ୍ୱାମୀ ଶରତ କୁମାର ପଣ୍ଡା ଦୀର୍ଘ ୨୫ବର୍ଷ ଧରି ଖୋଲା ପିଣ୍ଡିରେ ବ୍ୟବସାୟ କରି ଆସୁଥିଲେ । ନିୟମ ଅନୁସାରେ ବିଏମ୍‌ସିକୁ ଦୈନିକ ଟିକସ ଦେଉଥିଲେ ।

ଟ୍ରେଡ୍‌ ଲାଇସେନ୍ସ ଓ ଅନ୍ୟ କାଗଜପତ୍ର ବି କରିଥିଲେ । ବିଏମ୍‌ସି ବିଧିବଦ୍ଧ ଭାବେ ଶରତଙ୍କ ନାଁରେ ପିଣ୍ଡି ଆବଣ୍ଟନ କରିଥିଲା । କିନ୍ତୁ ଗତ ଏପ୍ରିଲ ମାସରେ ଶରତ ମୃତ୍ୟୁବରଣ କରିଥିଲେ । ଶରତଙ୍କ ରୋଜଗାରରୁ ହିଁ ତାଙ୍କ ପରିବାର ଚଳୁଥିଲା । କିନ୍ତୁ ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବେସାହାରା ହୋଇ ଯାଇଥିଲା । ଏଣୁ ପରିବାର ଚଳାଇବାକୁ ବିନୋଦିନୀ ସ୍ୱାମୀଙ୍କ ପିଣ୍ଡିରେ ବେପାର ଆରମ୍ଭ କରିଥିଲେ ।

ସ୍ୱାମୀଙ୍କ ପିଣ୍ଡିରେ ବେପାର ଆରମ୍ଭ କରି ବିନୋଦିନୀ କଷ୍ଟେମଷ୍ଟେ ପରିବାର ଚଳାଉଥିଲେ । ଶେଷ ଥର ପାଇଁ ଅଗଷ୍ଟ ୧ ତାରିଖ ରାତି ସାଢ଼େ ୧୦ଟା ବେଳେ ସେ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ । କିନ୍ତୁ ତା ପରଦିନ ସକାଳୁ ଦୋକାନ ଖୋଲିବାକୁ ଯିବାବେଳେ ତାଙ୍କ ଦୋକାନରେ ଅନ୍ୟ ତାଲା ପଡ଼ିଥିଲା । ସେ ପାଖ ଦୋକାନରେ ପଚାରିବାରୁ ତାଙ୍କ ଦେଢଶୂର ସୁରେନ୍ଦ୍ର ପଣ୍ଡା ଆସି ତାଙ୍କ ଜିନିଷପତ୍ର ନେଇଯିବା ସହ ତାଲା ପକାଇଛନ୍ତି ବୋଲି ଜାଣିବାକୁ ପାଇଥିଲେ । ପରେ ସେ ତୁରନ୍ତ କ୍ୟାପିଟାଲ ଥାନାକୁ ଯାଇ ଅଭିଯୋଗ କରିଥିଲେ । ପୁଲିସ ସୁରେନ୍ଦ୍ରକୁ ଥାନାକୁ ଡକାଇଥିଲେ । ସୁରେନ୍ଦ୍ର ଗୟା ସ୍ୱାଇଁଙ୍କୁ ସାଙ୍ଗରେ ଧରି ଥାନାକୁ ଆସିଥଲେ । ହାଟ ବ୍ୟବସାୟୀ ମହାସଂଘର ଏକ ଲେଟର ପ୍ୟାଡ ବାହାର କରି ବିନୋଦିନୀଙ୍କ ସ୍ୱାମୀଙ୍କ ସହ ଏକ ଚୁକ୍ତି ହୋଇଛି ବୋଲି ଗୟା ସ୍ୱାଇଁ ପୁଲିସକୁ କହିଥିଲେ ।

ଏହି ଚୁକ୍ତି ଅନୁସାରେ ଶରତ କିଛି ଟଙ୍କା ଅଗ୍ରୀମ ନେବା ସହ ମାସିକିଆ ଟଙ୍କା ନେଇ ସୁରେନ୍ଦ୍ରଙ୍କୁ ପିଣ୍ଡି ଦେଇ ସାରିଛନ୍ତି ବୋଲି ଚୁକ୍ତି କରିଥିବା କହିଥିଲେ । ପୁଲିସ ବିନୋଦିନୀଙ୍କୁ ପରେ ଆସ ବୋଲି କହି ଥାନାରୁ ପଠାଇ ଦେଇଥିଲା । ଆଉ ମିଛ ଚୁକ୍ତିପତ୍ରକୁ ଦେଖାଇ ସୁରେନ୍ଦ୍ର ବିନୋଦିନୀଙ୍କ ପିଣ୍ଡିକୁ ମାଡ଼ି ବସିଥିଲା । ଗୟା ସ୍ୱାଇଁ ତାଙ୍କୁ ଏଥିରେ ସହଯୋଗ କରିଥିଲେ ବୋଲି ବିନୋଦିନୀ ଅଭିଯୋଗ କରିଛନ୍ତି ।

ବିଏମ୍‌ସି ନିୟମ ଅନୁସାରେ ପିଣ୍ଡିକୁ କୌଣସି ମତେ ଅନ୍ୟ ବ୍ୟକ୍ତିକୁ ବିକ୍ରି ବା ଭଡ଼ା ସୂତ୍ରରେ ଦେଇ ହେବ ନାହିଁ । କିନ୍ତୁ ତତ୍କାଳୀନ ଆଇଆଇସି ଏଭଳି ବେନିୟମ କାମକୁ ସୁରକ୍ଷା ଦେଇଥିଲେ । ଗୟା ସହଯୋଗରେ ସୁରେନ୍ଦ୍ର ବିନୋଦିନୀଙ୍କ ପିଣ୍ଡିକୁ ହଡ଼ପ କରି ନେଇ ଦୋକାନ ଚଳାଇଥିଲା । ବିନୋଦିନୀ ବାରମ୍ବାର ଥାନାକୁ ଦୌଡ଼ି ନିରାଶ ହୋଇଥିଲେ । ତେବେ ଗତ ୧୪ ତାରିଖରେ ବିନୋଦିନୀ ବିଏମ୍‌ସି କମିଶନରଙ୍କୁ ଭେଟି ପୂରା ଘଟଣା ଜଣାଇଥିଲେ । ତାଙ୍କ ସ୍ୱାମୀ ଓ ସେ ନିଜେ ବିଏମସିକୁ ଦେଉଥିବା ଦୈନିକ ପିଣ୍ଡି ଟିକସ, ରସିଦ୍‌ ଓ ଅନ୍ୟ କାଗଜପତ୍ର ଦେଖାଇଥିଲେ । ବିଏମସି କମିଶନର ପ୍ରେମ୍‌ଚନ୍ଦ୍ର ଚୌଧୁରୀ ବି ଏହାକୁ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଥିଲେ । ଏହି ପିଣ୍ଡି ବିନୋଦିନୀଙ୍କ ନାଁରେ ପୁଣି ଥରେ ଆବଣ୍ଟନ କରିଥିଲେ । ତୁରନ୍ତ ଏହି ପିଣ୍ଡି କାରସାଦି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଏମ୍‌ସି ଏନଫୋର୍ସମେଣ୍ଟ ଟିମ୍‌କୁ ନିର୍ଦ୍ଦେଶ ଦେଇଥିଲେ ।

ଏନ୍‌ଫୋର୍ସମେଣ୍ଟ ଟିମ୍‌ ଆଜି ପୁଲିସ ଉପସ୍ଥିତିରେ ପିଣ୍ଡି ପାଖରେ ପହଞ୍ଚିଥିଲେ । ସାଙ୍ଗରେ ବିନୋଦିନୀ ବି ଯାଇଥିଲେ । ପିଣ୍ଡିକୁ ତୁରନ୍ତ ଖାଲି କରିବାକୁ ଟିମ୍‌ର ସଦସ୍ୟମାନେ ସୁରେନ୍ଦ୍ରଙ୍କୁ କହିଥିଲେ । କିନ୍ତୁ ସେ ଟିମ୍‌କୁ ଗାଳିଗୁଲଜ କରିଥିଲେ । ଗୟା ସାଙ୍ଗରେ କିଛି ଲୋକଙ୍କୁ ଧରି ଗଣ୍ଡଗୋଳ ସୃଷ୍ଟି କରିଥିଲେ । କିନ୍ତୁ ପୁଲିସ ସମସ୍ତଙ୍କୁ ଧରି ଥାନାକୁ ନେଇ ଯାଇଥିଲା । ଏନଫୋର୍ସମେଣ୍ଟ ଟିମ୍‌ ପିଣ୍ଡି ଖାଲି କରିବା ସହ ଏହାକୁ ବିନୋଦିନୀଙ୍କୁ ହସ୍ତାନ୍ତର କରିଛି ।

ଏଭଳି ପିଣ୍ଡି ଦୁର୍ନୀତି ବିଏମ୍‌ସି କମିଶନରଙ୍କ ନଜରକୁ ଆସିବା ପରେ ସେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ପିଣ୍ଡିର ମୂଳ ଆବଣ୍ଟନକାରୀ କିଏ ଓ ଏହା କାହା ଦଖଲରେ ଅଛି ତାର ଚିକିନିଖି ତଦନ୍ତ କରାଯିବ । ସବୁ ଅନିୟମିତତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି କମିଶନର କହିଛନ୍ତି ।

   ସମ୍ବନ୍ଧିତ ଖବର


ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି, ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଦାୟିତ୍ୱ

ବିଧାନସଭା କୋଭିଡ୍ ଟେଷ୍ଟ – ୧୩୬ ପଜିଟିଭ୍

ରାଜଧାନୀବାସୀ ହୋମ୍‌ ଆଇସୋଲେସନ୍‌କୁ ଅଧିକ ପସନ୍ଦ , ୧୦ ହଜାର ଲୋକେ ହୋମ୍‌ ଆଇସୋଲେସନ୍‌ରେ ରହି ସାରିଛନ୍ତି

ବୋଲେରୋ ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାର ପର୍ଦ୍ଦାଫାର୍ଶ: ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ,ପୁରୁଷ ବନ୍ଧୁଙ୍କ ନାଁରେ ମାମଲା ରୁଜୁ

କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କୁ କରୋନା

କରୋନା – ଆଜି ସୁସ୍ଥ ହେଲେ ୪୩୮୮