ରାଜଧାନୀରେ ଖଣ୍ଡାଧାରୀଙ୍କ ଆତଙ୍କ ଘଟଣା: ଆକ୍ରମଣରେ ୧୫ ଯୁବକ ସମ୍ପୃକ୍ତ, ଜଣେ ଅଟକ, ୪ଜଣଙ୍କୁ ଜେରା

ଭୁବନେଶ୍ୱର ୧୭/୨: ଗ୍ରୀଡକୋ କଲୋନୀ ପଡ଼ିଆରେ ଯୁବକଙ୍କୁ ଖଣ୍ଡା ଚୋଟ ଘଟଣାର ରହସ୍ୟ ଫିଟିଛି । ଏଠି ବି ଭାଇଗିରି ପାଇଁ ରକ୍ତ ବହିଛି ବୋଲି ସୂଚନା ମିଳିଛି । ସାମାନ୍ୟ ବାଇକ୍‌ ରେସିଂକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀ ଦୁଇ ଫାଳ ହୋଇଗଲା । ପରେ ଗୋଟିଏ ଗୋଷ୍ଠୀ ଅପରଗୋଷ୍ଠୀ ମୁଖିଆଙ୍କ ଉପରେ ପ୍ରତିଶୋଧ ନେବାକୁ କରିଥିଲା ମରଣାନ୍ତକ ଆକ୍ରମଣ ।

ମିଳିଥିବା ସୂଚନା ମୁତାବକ, ୟୁନିଟ୍‌-୯ ଭୋଇନଗର ଗ୍ରୀଡ୍‌କୋ କଲୋନୀ ପି.ଆକାଶ ଦୋରା ଆକ୍ରମଣର ଶିକାର ହୋଇଥିଲେ । ଆକାଶ ଓ ସମସ୍ତ ଅଭିଯୁକ୍ତ ଏକାଠି ଭିଏସ୍‌ଏସ୍‌ ନଗରରେ ଥିବା ଏକ ଇଂରାଜୀ ମାଧ୍ୟମିକ ସ୍କୁଲରେ ପଢ଼ୁଥିଲେ । ସ୍କୁଲ ସରିବା ପରେ ବି ସେମାନେ ଗୋଟିଏ ଗୋଷ୍ଠୀ ବନାଇଥିଲେ । ସବୁବେଳେ ସହିଦନଗର ଦୁର୍ଗାପୂଜା ପଡି଼ଆରେ ଏକାଠି ଖଟି କରୁଥିଲେ । ୧୫ ଦିନ ତଳେ ହଠାତ୍‌ ଗୋଷ୍ଠୀଟି ଦୁଇଫାଳ ହୋଇଗଲା । ସହିଦନଗର ହାଟ ସାମ୍ନାରେ ଆକାଶ ବାଇକ୍‌ରେ ଷ୍ଟଣ୍ଟ ଦେଖାଉଥିବା ବେଳେ ଅନ୍ୟ କିଛି ସାଙ୍ଗଙ୍କ ସହ ତାଙ୍କର ଯୁକ୍ତି ହୋଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ଝଗଡ଼ା ଓ ମାର୍‌ପିଟ୍‌ ଲାଗିଥିଲା । ପରେ ଆକାଶ ଗ୍ରୀଡ୍‌କୋ କଲୋନି ପଡି଼ଆରେ କିଛି ସାଙ୍ଗଙ୍କ ସହ ଖଟି କରୁଥିଲେ । ତେବେ ପୁରୁଣା ରାଗ ସୁଝାଇବା ଲକ୍ଷ୍ୟରେ ଅପରଗୋଷ୍ଠୀ ଯୁବକ କିଛି ଅସାମାଜିକଙ୍କ ସହୟତାରେ ଆକାଶଙ୍କ ଖଟିରେ ହମ୍‌ଲା କରିଥିବା ଜଣାପଡିଛି । ଏନେଇ ସୁରାକ ପାଇବା ପରେ ସହିଦନଗର ଥାନା ପୁଲିସ ତଦନ୍ତକୁ ଆଗେଇଛି । ଗତକାଲିଠୁ ଅଟକ ଥିବା ଅଭିଯୁକ୍ତଠୁ ମିଳିଥିବା ତଥ୍ୟ ଅନୁସାରେ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି । ସେମାନଙ୍କୁ ଧରିବାକୁ ଚଢ଼ଉ ଜାରି ରଖିଛି । ପୁଲିସ କହିଛି, ଆକ୍ରମଣରେ ୧୫-୧୬ ଜଣ ଯୁବକଙ୍କ ସମ୍ପୃକ୍ତି ରହିଛି । ୩-୪ଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଛି । ସେମାନଙ୍କଠାରୁ ଅଭିଯୁକ୍ତଙ୍କ ଠିକଣା ସମ୍ପର୍କରେ ତଥ୍ୟ ଆଦାୟ କରାଯାଉଛି ।

   ସମ୍ବନ୍ଧିତ ଖବର


ଆଇଆଇଏଫ୍‌ଏଲ୍‌ ଡକାୟତି ଘଟଣା: ମହିଳା ଆସିଷ୍ଟାଣ୍ଟ୍‌ ମ୍ୟାନେଜର୍‌ଙ୍କ ଘରୁ ମିଳିଲା ସୁନା

ପଞ୍ଚୁକ ପ୍ରଥମ ଦିନରେ ଘଟିଲା ବିଭ୍ରାଟ: ଶ୍ରୀଅଙ୍ଗ ଛୁଇଁବାରୁ ମହାପ୍ରଭୁଙ୍କ ହେଲା ମହାସ୍ନାନ

ଆଜି ମହାପ୍ରଭୁଙ୍କ ବାମନ ବେଶ

ଭିଜିଲାନ୍ସ ଜାଲରେ କୁବେର ଆଇଏଫ୍‌ଏସ୍: ୧୨ଟି ସ୍ଥାନରେ ଚଢଉ, ୩ଟି ରାଜ୍ୟରେ ରହିଛି ଘର, ଜମି ଓ ଫ୍ଲାଟ୍

ଲୁଣ ବୋଝେଇ ଟ୍ରକ୍‌ରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା: ଓଡ଼ିଶାକୁ ଥରାଇଲା କୋହଲା ପାଗ