ରାଜଧାନୀରେ ଖଣ୍ଡାଧାରୀଙ୍କ ଆତଙ୍କ ଘଟଣା: ୭ ଅଭିଯୁକ୍ତ ଗିରଫ, ୯ ବାଇକ୍‌ ଜବତ

ଭୁବନେଶ୍ୱର ୧୮/୨: ଗ୍ରୀଡ୍‌କୋ କଲୋନୀ ପଡ଼ିଆରେ ଯୁବକଙ୍କୁ ଖଣ୍ଡା ଚୋଟ ଘଟଣାରେ ୭ ଜଣ ଅଭିଯୁକ୍ତଙ୍କୁ ଧରିଛି ସହିଦ୍‌ନଗର ଥାନା ପୁଲିସ । ଏମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛି । ଯିଏ କି ଘଟଣାର ମୁଖ୍ୟ କାର୍ପଟଦାର ବୋଲି ପୁଲିସ କହିଛି । ଗିରଫ ଅଭିଯୁକ୍ତମାନେ ହେଲେ, ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଶୁଭମ ଦାସ ଓରଫ୍‌ ବାବୁ(୧୯), ମଞ୍ଚେଶ୍ୱର ଚକେଇଶିଆଣିର ସୌମ୍ୟରଞ୍ଜନ ମହାରଣା ଓରଫ୍‌ ବାପୁ(୧୯), ପୁନିତ୍‌ ଗୋସ୍ୱାମୀ(୧୯), ବିବେକାନନ୍ଦ ଦତ୍ତ ଓରଫ୍‌ ବାବୁ(୧୯), ନୂଆପଲ୍ଲୀର ସେକ୍‌ ଫରହାନ କବିର(୧୯) ଓ ଆକାଶ ମହାପାତ୍ର(୧୯) । ୬ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ନାବାଳକକୁ ଜୁଭେନାଇଲ୍‌ କୋର୍ଟରେ ହାଜର କରାଯାଇ ସୁଧାର ଗୃହକୁ ଛଡ଼ାଯାଇଛି ।
  

ପୁଲିସ କହିଛି, ଏମାନଙ୍କ ବ୍ୟତୀତ ଅନ୍ୟ କିଛି ଅଭିଯୁକ୍ତ ମଧ୍ୟ ଆକ୍ରମଣରେ ସାମିଲ ଅଛନ୍ତି । ସେମାନେ ଖୁବ୍‌ ଶୀଘ୍ର ଧରାପଡି଼ବେ । ସବୁଠୁ ବଡ଼ କଥା ହେଲା, ଧରା ପଡି଼ଥିବା ନାବାଳକର ବୟସ ୧୭ ବର୍ଷ । ୧୫ ଦିନ ତଳେ ବାଇକ୍‌ ଷ୍ଟଣ୍ଟ ଦେଖାଇବାକୁ ନେଇ ସେ ହିଁ କଳି ଆରମ୍ଭ କରିଥିଲା । ଅନ୍ୟପଟେ ଆକ୍ରମଣର ଶିକାର ହୋଇଥିବା ଆକାଶର ବଳିଷ୍ଠ ଚେହେରା ଦେଖି ସଂପୃକ୍ତ ନାବାଳକ ଇର୍ଷା କରୁଥିଲା । ଆକାଶର ଏହି ରଙ୍ଗ ଛଡ଼ାଇବାକୁ ପଡି଼ବ ବୋଲି ସେ ପ୍ରଥମେ ପୁନିତ୍‌କୁ କହିଥିଲା । ଉଭୟେ ସେମାନଙ୍କ ଖଟିକୁ ଯାଇ ଅନ୍ୟ ସଦସ୍ୟଙ୍କୁ କହିଥିଲେ । ଯୋଜନା ମୁତାବକ ଆକାଶର ଖଟିସ୍ଥଳ ଅର୍ଥାତ ଗ୍ରୀଡ୍‌କୋ ପଡ଼ିଆରେ ଏହି ସଂଘବଦ୍ଧ ଆକ୍ରମଣ କରା ଯାଇଥିଲା ବୋଲି ପୁଲିସ ସୂଚନା ଦେଇଛି ।
  

ସୂଚନାଯୋଗ୍ୟ, ୧୫ ତାରିଖ ରାତିରେ ଏହି ଆକ୍ରମଣ ହୋଇଥିଲା । ୧୫ରୁ ଅଧିକ ଯୁୁବକ ଏକାଠି ହୋଇ ଉକ୍ତ ପଡି଼ଆରେ ପି ଆକାଶ ଦୋରାଙ୍କ ଉପରେ ଝାମ୍ପି ପଡିଥିଲେ । ତାଙ୍କୁ ଖଣ୍ଡାରେ ଚୋଟ ପରେ ଚୋଟ ମାରି ଚାଲିଥିଲେ । ଆକାଶ ଏଥିରେ ଗୁରୁତର ଆହତ ହୋଇଛନ୍ତି । ତାଙ୍କ କାନ୍ଧ, ହାତ, ଗୋଡ଼ ଓ ପିଠିରେ ଆଘାତ ଲାଗିଛି । ଆକ୍ରମଣ ଖବର ପାଇ ଆକାଶଙ୍କ ସହଯୋଗୀ ସେଠାରେ ପହଞ୍ଚିଥିଲେ । ଅନ୍ୟତମ ଅଭିଯୁକ୍ତ ଶୁଭମ୍‌କୁ ଘଟଣାସ୍ଥଳରେ କାବୁ କରି ନେଇଥିଲେ । ତାଙ୍କୁ ନିସ୍ତୁକ ମାଡ଼ ମାରି ପୁଲିସର ଜିମା ଦେଇଥିଲେ । ଆକାଶଙ୍କ ବାପା ପି. ତାରକେଶୁ ଦୋରା ଏନେଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍‌ ଅଭିଯୁକ୍ତମାନଙ୍କ ବିରୋଧରେ ଆଇପିସି ଦଫା ୧୪୭, ୧୪୮, ୩୨୪,୩୦୭,୧୪୯ ଲଗାଇଛି । ପୁଲିସ ଅଭିଯୁକ୍ତଙ୍କ ଠାରୁ ୯ଟି ବାଇକ୍‌ ଜବତ କରିଛି ।

   ସମ୍ବନ୍ଧିତ ଖବର


ପୋଷ୍ଟ ଅଫିସ୍‌ର ଏହି ସ୍କିମ୍‌ରେ ଟଙ୍କା ବିନିଯୋଗ କଲେ ହୋଇଯିବ ଦୁଇ ଗୁଣ,୫୦ ହଜାର ବଦଳରେ ମିଳିବ ଏକଲକ୍ଷ ଟଙ୍କା

ଭୁବନେଶ୍ୱରରେ ମିଳୁଛି କୋଭିଡ ଟିକା !

ରାଜ୍ୟର ପ୍ରମୁଖ ୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ

ରାଜ୍ୟରେ ଏବେ ବେଆଇନ ଧର୍ମଘଟ କଲେ ଏକ ବର୍ଷ ଜେଲ୍‌ କିମ୍ବା ୫ ହଜାର ଜରିମାନା

ଓଡ଼ିଶାର ଚାଷୀଙ୍କୁ ମୋଦି ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌-ଗତ ୬ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଚାକିରୀ ପାଇଁ ହତ୍ୟାକାରୀ ସାଜିଲା ପୁଅ: ୩୫ ବର୍ଷ ଧରି ହତାସ ହେବା ପରେ ବାପାର ଗଳା କାଟି ହତ୍ୟା କଲା କୁଳାଙ୍ଗାର ପୁଅ