ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କୁ ଘେରିଲେ ୟୁନିଭର୍ସିଟି ଲ’ ଛାତ୍ର

ଭୁବନେଶ୍ୱର,୧୨ା୪(ବ୍ୟୁରୋ): ଶୁକ୍ରବାର ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କୁ ଘେରିଛନ୍ତି ୟୁନିଭର୍ସିଟି ଲ’ କଲେଜର ଛାତ୍ରଛାତ୍ରୀ । ୨୦୧୮ ଏପ୍ରିଲରୁ ଅଷ୍ଟମ ସେମିଷ୍ଟର୍ ଓ ଡିସେମ୍ବରରେ ହୋଇଥିବା ନବମ ସେମିଷ୍ଟର୍ ରେଜଲ୍ଟ୍ ବାହାରିପାରିନି । ତେଣୁ ଉଭୟ ସେମିଷ୍ଟର୍ ରେଜଲ୍ଟ୍ ବାହାର କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି । ଅପରପକ୍ଷେ ୨୦୧୮ ଜୁନ୍ରୁ ୟୁନିଭର୍ସିଟି ଲ’ କଲେଜର ଲାଇବ୍ରେରିଆନ୍ ଅବସର ନେଇଥିଲେ ମଧ୍ୟ ତାଙ୍କ ବଦଳରେ ନୂଆ ନିଯୁକ୍ତି ଦିଆଯାଇନି । ଯାହା ଫଳରେ ଲାଇବ୍ରେରୀରୁ ବହି ନେବାରେ ଅସୁବିଧା ହେଉଛି । ତେଣୁ ନୂଆ ଲାଇବ୍ରେରିଆନ୍ ନିଯୁକ୍ତି କରିବାକୁ ଦାବି କରିଛନ୍ତି ଆନ୍ଦୋଳନରତ ଛାତ୍ରଛାତ୍ରୀ । ତେବେ ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝି ପରୀକ୍ଷା ଫଳ ପ୍ରକାଶରେ ଆହୁରି ବିଳମ୍ବ ହେବ ବୋଲି କହିଛନ୍ତି । ନିର୍ବାଚନ ପାଇଁ ବିଳମ୍ବ ହେବ ବୋଲି ସଫେଇ ଦେଇଛନ୍ତି । ତେବେ ଯଥା ଶୀଘ୍ର ସେମାନଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ କିମ୍ବା କୁଳାଧିପତି ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଦାବି ଜଣାଇବେ ବୋଲି ଛାତ୍ରମାନେ କହିଛନ୍ତି ।