ବିଜେପି ଆଡ଼େ ବହିଲା କି ନିର୍ବାଚନ ବିଜୟ ବାଆ ? ଏବେ ସପାରୁ ପଦ୍ମ ପୋଖରୀକୁ ଡେଉଁଛନ୍ତି ନେତା; ପୁଣି ଜଣେ ବିଧାୟକ ଛାଡ଼ିଲେ ଅଖିଳେଶଙ୍କ ହାତ

pic-indiatoday
ଲକ୍ଷ୍ନୌ: ବିଜେପି ପରେ ଏବେ ସମାଜବାଦୀ ପାର୍ଟି ନେତାଙ୍କ ଦଳ ଡିଆଁ ପାଳି। ସପାରୁ ପୁଣି ଜଣେ ବିଧାୟକଙ୍କ ଇସ୍ତଫା। ଆଜି ୟୁପି ବିଧାନସଭା ଡେପୁଟି ସ୍ପିକର ନୀତିନ ଅଗରୱାଲ ସପାରୁ ଇସ୍ତଫା ଦେବା ପରେ ଏବେ ଶାହାଜାହନପୁର ଜିଲ୍ଲାର ଜଲାଲବାଦର ବିଧାୟକ ଶରଦବୀର ସିଂହ ମଧ୍ୟ ଅଖିଳେଶଙ୍କ ହାତ ଛାଡ଼ିଛନ୍ତି। ସପା ନିଜ ନୀତି ଆଦର୍ଶରୁ ବିପଥ ହୋଇଛି। ତେଣୁ ସେ ବିଜେପିର ବିଜୟ ପାଇଁ କାମ କରିବେ ବୋଲି ଶରଦବୀର କହିଛନ୍ତି।
ଏହା ପୂର୍ବରୁ ନୀତିନ ଅଗରୱାର ସମାଜବାଦୀ ପାର୍ଟିରୁ ଇସ୍ତଫା ଦେଇଥିଲେ। ସେ ଖୁବ୍ଶୀଘ୍ର ବିଜେପିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଶରଦବୀର କିନ୍ତୁ ଖୋଲାଖୋଲି ବିଜେପିରେ ମିଶିବେ ବୋଲି କହିସାରିଛନ୍ତି। ସୂଚନା ଅନୁସାରେ ଶରଦବୀର ସିଂହଙ୍କୁ ଏଥର ଟିକେଟ୍ ନମିଳିବାରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି। ପାର୍ଟି ମୁଖ୍ୟଙ୍କ ପାଖକୁ ପଠାଇଥିବା ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ” ମୁଲାୟମ ସିଂହ ଯାଦବଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ୧୯୯୫ରେ ସପାରେ ମିଶିଥିଲି। ତେବେ ୧୯୯୬ରୁ ମୁଁ ଜଲାଲବାଦର ଲୋକମାନଙ୍କ ପାଇଁ କାମ କରିଆସୁଛି। କିନ୍ତୁ ବର୍ତ୍ତମାନ ଅଖିଳେଶ ଯାଦବଙ୍କ ସପା ମୁଲାୟମ ସିଂହଙ୍କ ନୀତି ଆଦର୍ଶରୁ ଓହରିଯାଇଛି।” ଶରଦବୀରଙ୍କ ଇସ୍ତଫାପତ୍ର ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ଚିଠିରେ ଆହୁରି ମଧ୍ୟ ଲେଖାଯାଇଛି ” ଏଠାରୁ(ଜଲାଲବାଦ) ଏମିତି ଜଣେ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି, ଯିଏ ବିଏସପି ଶାସନ ସମୟରେ ବ୍ୟବସାୟୀ ତଥା ସମାଜର ଅନ୍ୟ ବିଭାଗର ଲୋକଙ୍କ ଉପରେ ଅତ୍ୟାଚାର କରିଥିଲେ। ଆପଣଙ୍କର ଏପରି ନିଷ୍ପତ୍ତି ମୋତେ ଶକ୍ତ ଆଘାତ ଦେଇଥିବାରୁ ମୁଁ ଦଳରୁ ଇସ୍ତଫା ଦେଉଛି।”
ପିଟିଆଇ ପକ୍ଷରୁ ଏନେଇ ଶ୍ରିଂ ସିଂହଙ୍କୁ ସମ୍ପର୍କ କରିବାରୁ ସେ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ବିଜେପିରେ ମିଶି ନାହିଁନ୍ତି। ତେବେ ଦଳୀୟ ଟିକେଟ୍ ପାଇଁ ଆବେଦନ କରିଛନ୍ତି। ଯଦି ମୁଁ ବିଜେପିର ଟିକେଟ୍ ପାଇଲି ତେବେ ମୁଁ ଏଠାରୁ ନିର୍ବାଚନ ଲଢ଼ିବି, ନହେଲେ ଯିଏ ବି ଏଠାରେ ବିଜେପି ଟିକେଟ୍ରେ ନିର୍ବାଚନ ଲଢ଼ିବେ ତାଙ୍କୁ ବିଜୟ କରାଇବା ଦିଗରେ କାମ କରିବି ବୋଲି ଶରଦବୀର ପିଟିଆଇକୁ କହିଛନ୍ତି। ମୋ ଲକ୍ଷ ସମାଜବାଦୀ ପାର୍ଟି ପ୍ରାର୍ଥୀ ନୀରଜ ମୌର୍ଯ୍ୟାଙ୍କୁ ପରାସ୍ତ କରିବା। ମୋର ସମସ୍ତ ସମର୍ଥକ ମୋ ସହିତ ଅଛନ୍ତି ବୋଲି ଶରଦବୀର କହିଛନ୍ତି।
ସୂଚନ ଥାଉକି ଶାହାଜାହାନପୁରର ଜଲାଲବାଦ ଆସନ ବିଜେପି ହାତକୁ ଯାଇ ନାହିଁ। ୨୦୧୭ରେ ଯଦିଓ ଯୋଗୀ ନିଜ ପ୍ରାର୍ଥୀଙ୍କ ପାଇଁ ଏଠାରୁ ପ୍ରଚାର କରିଥିଲେ। ହେଲେ ସେ ଜିତିପାରି ନଥିଲେ।