ମସଜିଦରେ ନମାଜ ପଢିବାକୁ ମୁସଲମାନଙ୍କ ମହିଳାଙ୍କ ଦାବି, କେନ୍ଦ୍ରକୁ ନୋଟିସ୍ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୪: ମସଜିଦରେ ମୁସଲମାନ ମହିଳାମାନେ ପ୍ରବେଶ କରିବା ସହ ତାଙ୍କୁ ନମାଜ ପଢିବାକୁ ଅନୁମତି ଦେବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ଜାତୀୟ ମହିଳା କମିଶନ୍, ସେଣ୍ଟ୍ରା ଓ୍ବାକଫ୍ କାଉନସିଲ ଓ ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି।

ବିଚାରପତି ଏସ୍.ଏ ବୋବଡେ ଓ ବିଚାରପତି ଏସ୍ ଅବଦୁଲ ନଜିରଙ୍କ ଗଠିତ ଖଣ୍ଡପୀଠ ପୁନେର ଏକ ଦମ୍ପତ୍ତିଙ୍କ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ରକୁ ଜବାବ୍ ଦେବାକୁ ନିର୍ଦେଶ ଦେଇଛନ୍ତି। ଉଲ୍ଲେଖନୀୟ ଯେ ଏକ ମୁସଲମାନ ଦମ୍ପତ୍ତି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ମହିଳାଙ୍କୁ ମସଜିଦରେ ନମାଜ ପଢିବାକୁ ଅନୁମତି ମିଳିବା ଦରକାର। ଓକିଲ ଆଶୁତୋଷ ଦୁବେଙ୍କ ପକ୍ଷରୁ ଦାୟର ଏହି ଆବେଦନରେ କୁହାଯାଇଥିଲା ମୁସଲମାନ ମହିଳା ମସଜିଦରେ ନମାଜ ପଢିବା ଉପରେ ରୋକ ଲଗାଯିବା ବେଆଇନ ଓ ଅଣସମ୍ବିଧାନିକ। ଏହା ମୌଳିକ ଅଧିକାରରର ଉଲଂଘନ। ଆବେଦନରେ କୁହାଯାଇଛି କୋରାନ ଓ ହଦିସରେ ଲିଙ୍ଗ ଆଧାରରେ କୌଣସି ଭେଦଭାବ ନାହିଁ। ଏଭଳି ପରମ୍ପରା ମହିଳାଙ୍କ ଗାରିମା କ୍ଷୁର୍ଣ୍ଣ କରୁଛି। ପୁରୁଷଙ୍କ ଭଳି ମହିଳାଙ୍କ ମଧ୍ୟ ନମାଜ ପଢିବାର ସମ୍ବିଧାନିକ ଅଧିକାର ରହିଛି।