ବିଶ୍ବ ହ୍ୟାଣ୍ଡସେଟ୍ ରପ୍ତାନି କ୍ଷତ୍ରରେ ଭାରତ ୧୭ତମ ସ୍ଥାନରେ ପହଞ୍ଚିଲା:ଶ୍ରେଷ୍ଠ ୩ ସ୍ଥାନରେ ଚୀନ୍‌, ଭିଏତ୍‌ନାମ, ହଂକଂ

ନୂଆଦିଲ୍ଲୀ ୨୦/୮ :୨୦୧୮ରେ ଭାରତରୁ ମୋବାଇଲ ଫୋନ୍‌ ରପ୍ତାନିରେ ବଡ଼ ଧରଣର ବୃଦ୍ଧି ଘଟିଛି । ବିଶ୍ୱ ହ୍ୟାଣ୍ଡ୍‌ସେଟ୍‌ ରପ୍ତାନିରେ ଏହା ୨୧ଟି ସ୍ଥାନ ଉପରକୁ ଉଠି ୧୭ ତମ ସ୍ଥାନରେ ପହଞ୍ଚିଛି । ଆଲୋଚ୍ୟ ବର୍ଷରେ ଭାରତୀୟ କମ୍ପାନିଗୁଡ଼ିକ ୧୦୭ କୋଟି ଡଲାର ମୂଲ୍ୟର ମୋବାଇଲ ଫୋନ୍‌ ରପ୍ତାନି କରିଛନ୍ତି । ଗତ ୫ ବର୍ଷ ଧରି ଭାରତ ମୋବାଇଲ ଫୋନ୍‌ ରପ୍ତାନିରେ ୧୭% ଅଭିବୃଦ୍ଧି ନେଇ ବଢ଼ୁଛି । ଏହା ବର୍ତ୍ତମାନ ଦେଶର ୨୩ ତମ ବୃହତ୍‌ ରପ୍ତାନି ସାମଗ୍ରୀ ପାଲଟିଥିବା ଜଣାଯାଇଛି ।

୨୦୧୮ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଏଡ଼ାରେ ସାମ୍‌ସଙ୍ଗ୍‌ର ଏକ ଉତ୍ପାଦନ ୟୁନିଟ୍‌କୁ ଶୁଭାରମ୍ଭ କରିଛନ୍ତି । ଏହା ବିଶ୍ୱର ସର୍ବବୃହତ୍‌ ମୋବାଇଲ ଫୋନ ଉତ୍ପାଦନ ୟୁନିଟ୍‌ । ବିଦେଶ ବଜାରକୁ ଏଠାରୁ ହ୍ୟାଣ୍ଡ୍‌ସେଟ୍‌ ରପ୍ତାନି ହୋଇଥାଏ । ଭାରତୀୟ ନିର୍ମାତାଙ୍କ ପାଇଁ ହଂକଂ, ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ) ଏବଂ ରୁଷିଆ ଶ୍ରେଷ୍ଠ ୩ ରପ୍ତାନିସ୍ଥଳ ।

ରିପୋର୍ଟ ଅନୁସାରେ ୨୦୧୮ରେ ମୋବାଇଲ ରପ୍ତାନିକାରୀ ତାଲିକାରେ ଶ୍ରେଷ୍ଠ ୩ ସ୍ଥାନରେ ଚୀନ୍‌, ଭିଏତ୍‌ନାମ ଏବଂ ହଂକଂ ରହିଛନ୍ତି । ବିଶ୍ୱର ମୋଟ ମୋବାଇଲ ରପ୍ତାନିରେ ଚୀନ୍‌ର ଭାଗ ୪୯% ରହିଥିବାବେଳେ ଭିଏତ୍‌ନାମ୍‌ ଏବଂ ହଂକଂର ଯଥାକ୍ରମେ ୧୩% ଏବଂ ୧୦.୯% ରହିଛି । ତେବେ ବିଶ୍ୱର ମୋଟ ମୋବାଇଲ ଫୋନ୍‌ ରପ୍ତାନିରେ ଭାରତର ଅବଦାନ ମାତ୍ର ୦.୪% ରହିଥିବା ଜଣାଯାଇଛି । ତେବେ ଆଗକୁ ଭାରତର ଭବିଷ୍ୟତ ଏ କ୍ଷେତ୍ରରେ ଉଜ୍ଜ୍ୱଳ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ନୋକିଆ ଫ୍ୟାକ୍ଟ୍ରି ବନ୍ଦ ହୋଇଯିବା ଫଳରେ ବଜାରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଥିଲା । କିନ୍ତୁ ଏବେ ବଜାର ସ୍ଥିତି ବଦଳିଛି । ଭାରତରୁ ମୋବାଇଲ ଫୋନ୍‌ ରପ୍ତାନିରେ ବୃଦ୍ଧି ଘଟୁଥିବା ଭାରତୀୟ ରପ୍ତାନି ମହାସଂଘ(ଫିଓ)ର ସଭାପତି ଶରଦ କୁମାର ସରଫ ପ୍ରକାଶ କରିଛନ୍ତି । ନିକଟ ଭବିଷ୍ୟତରେ ଭାରତୀୟ ମୋବାଇଲ ଫୋନ୍‌ ବଜାରରେ ଚୀନ୍‌ ନିବେଶ ଆସିବାକୁ ଯାଉଛି । ଏହା ଦେଶର ହ୍ୟାଣ୍ଡ୍‌ସେଟ୍‌ ରପ୍ତାନିକୁ ବଢ଼ାଇବ ବୋଲି ସରଫ କହିଛନ୍ତି ।

   ସମ୍ବନ୍ଧିତ ଖବର


ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିଲା ଟାଟାଙ୍କ ବିମାନ

ପରିସ୍ଥିତି ଗମ୍ଭୀର – ସ୍ଥିତି ଉଦ୍‌ବେଗଜନକ

ପ୍ରମୁଖ ପର୍ଯ୍ୟଟନସ୍ଥଳି ଗୁଡ଼ିକରେ ଯାନବାହନକୁ ଶତପ୍ରତିଶତ ସ୍ୱଚ୍ଛ ଇନ୍ଧନରେ ପରିଣତ କରାଯାଉ

କରୋନା ଭାକ୍‌ସିନ୍ ପାଇଁ ୮୦ ହଜାର କୋଟି ଅଛି ତ ? ସରକାରଙ୍କୁ ସୀରମ୍‌ ସିଇଓଙ୍କ ପ୍ରଶ୍ନ

ଆତ୍ମନିର୍ଭର ଅଭିଯାନକୁ ଆଇଏମ୍‌ଏଫ୍‌ର ପ୍ରଶଂସା

ଇ-ଯାନକୁ ପ୍ରୋତ୍ସାହନ ବ୍ୟାଟେରି ନିର୍ମାତାଙ୍କୁ ମିଳିବ ୩୪,୦୦୦ କୋଟି