ପୁଣି ରାଜନୀତିରେ ରଖିବେ ପାଦ : କଂଗ୍ରେସରୁ ଇସ୍ତଫା ଦେବା ପରେ ଏବେ ଶିବସେନାରେ ଯୋଗ ଦେବେ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର

ମୁମ୍ବାଇ ୩୦।୧୧ : କଂଗ୍ରେସ ଦଳ ଛାଡିବାର ଏକ ବର୍ଷ ପରେ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଏବେ ଶିବସେନାରେ ଯୋଗଦେବାକୁ ଯାଉଛନ୍ତି। ଉର୍ମିଲା ମାତୋଣ୍ଡକର ସୋମବାର ଶିବସେନାରେ ଯୋଗଦେବେ ବୋଲି ଜଣା ପଡ଼ିଛି। ଉର୍ମିଲା ମାତୋଣ୍ଡକର ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ନିରାଶ ହୋଇଥିଲେ

ଉର୍ମିଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ହର୍ଷଲ ପ୍ରଧାନଙ୍କ ଉପସ୍ଥିତିରେ ଦଳରେ ଯୋଗଦେବେ। ରାଜ୍ୟପାଳଙ୍କ କୋଟା ଅନୁଯାୟୀ ବିଧାନ ପରିଷଦ ପାଇଁ ଉର୍ମିଲାଙ୍କୁ ମନୋନୀତ କରାଯାଇଛି। ମହା ବିକାଶ ଅଘାଡି ସରକାର ଦ୍ବାରା ମାତୋଣ୍ଡକରଙ୍କ ନାମକୁ ୧୨ଟି ନାଁ ଥିବା ଏକ ତାଲିକା ସହିତ ରାଜ୍ୟପାଳ ବି.ଏସ୍ କୋଶାରିଙ୍କୁ ପଠାଇଛନ୍ତି। ଏବେ ଏହି ତାଲିକାକୁ ରାଜ୍ୟପାଳଙ୍କ ଦ୍ୱାରା ଅନୁମୋଦନ କରାଯିବା ବାକି ଅଛି।

ସୂଚନାଯୋଗ୍ୟ ଯେ, ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ନିରାଶ ହୋଇଥିଲେ ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର। ଏ ନେଇ ନିର୍ବାଚନ ଫଳାଫଳ ଆସିବାର ପାଞ୍ଚ ମାସ ପରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ମୁମ୍ବାଇ କଂଗ୍ରେସରେ ଚାଲିଥିବା ଅନ୍ତଃକନ୍ଦଳକୁ ବିରୋଧକରି ସେ ଇସ୍ତଫା ଦେଇଥିବା କହିଥିଲେ । ଇସ୍ତଫାପତ୍ରକୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ନିକଟକୁ ପଠେଇଦେଇଥିଲେ ।