ଲଦାଖରେ ମାନୁନାହିଁ ଡ୍ରାଗନ: ଭାରତ ମହାସାଗରରେ ଆମେରିକା ମୁତୟନ କଲା B-2 ବୋମାବର୍ଷୀ ବିମାନ

ନୂଆଦିଲ୍ଲୀ, ୧୪/୦୮: ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ଲାଗିରହିଥିବା ବିବାଦ ଥମିବାର ନାଁ ଧରୁନାହିଁ। ଦୁଇଦେଶର ଶୀର୍ଷ ଅଧିକାରୀଙ୍କ ମଧ୍ୟରେ ସହମତି ପରେ ମଧ୍ୟ ପ୍ୟାଙ୍ଗଙ୍ଗ ହ୍ରଦ ଏବଂ ଦେପସାଙ୍ଗ ଅଞ୍ଚଳରୁ ଚୀନ ନିଜ ସେନାକୁ ପଛକୁ ହଟାଉ ନାହିଁ । ସେତିକି ନୁହେଁ, ଭାରତ ସୀମାକୁ ଲାଗି ଚୀନ ନୂଆ ବିମାନ ଘାଟି ବି ନିର୍ମାଣ କରିବାରେ ଲାଗିଛି । ଲଦାଖଠାରୁ ସ୍ୱଳ୍ପ ଦୂରରେ ଚୀନ ନିଜର ପରମାଣୁ ବୋମାବର୍ଷୀ ବିମାନ ବି ମୁତୟନ କରି ରଖିଛି । ତେବେ ଚୀନର ଏଭଳି ପ୍ରସ୍ତୁତିକୁ ଦୃଢ଼ ଜବାବ ଦେବା ପାଇଁ ଆମେରିକା ନିଜ ବନ୍ଧୁ ଭାରତର ସାଥ୍‌ ଦେବାକୁ ଆଗେଇ ଆସିଛି । ଆମେରିକା ଭାରତର ପାଖାପାଖି ଥିବା ଭାରତ ମହାସାଗରସ୍ଥିତ ନିଜର ନୌସେନା ଆଡ୍ଡା ଡିଆଗୋ ଗାର୍ସିଆଠାରେ ସବୁଠୁ ଘାତକ ପରମାଣୁ ବୋମାବର୍ଷୀ ବିମାନ ମୁତୟନ କରିଛି ।

ମିଳିଥିବା ସୂଚନା ମୁତାବକ ଆମେରିକା ପକ୍ଷରୁ ୩ଟି ବି-୨ ସ୍ପ୍ରିଟ ଷ୍ଟିଲ୍‌ଦ ବୋମାବର୍ଷୀ ଉକ୍ତ ସ୍ଥାନରେ ମୁତୟନ କରାଯାଇଛି। ବିମାନ ପାଖାପାଖି ୨୯ ଘଣ୍ଟାର ଯାତ୍ରା କରି ଆମେରିକାର ମିସୋରି ବିମାନ ଘାଟିରୁ ଡିଆଗୋ ଗାର୍ସିଆଠାରେ ପହଞ୍ଚିଛି ଆମେରିକା କହିଛି ଯେ ବିମାନଗୁଡ଼ିକ ୨୯ ଘଣ୍ଟାର ଯାତ୍ରା କରି ଡିଆଗୋ ଗାର୍ସିଆରେ ପହଞ୍ଚିଛି। ନିଜ ବନ୍ଧୁକୁସହଯୋଗ କରିବା ଏବଂ କୌଣସି ସମ୍ଭାବ୍ୟ ଆକ୍ରମଣ ଜବାବ ଦେବା ପାଇଁ ଆମେରିକା ପ୍ରତିବଦ୍ଧ। ଆମେରିକା ବାୟୁସେନା କମାଣ୍ଡର କର୍ଣ୍ଣଲ କ୍ରିଷ୍ଟୋଫର କୋନନ୍ତ କହିଛନ୍ତି, ଆମେ ଡିଆଗୋ ଗାର୍ସିଆ ଭଳି ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ଏବେ ରୋମାଞ୍ଚିତ ଅନୁଭବ କରୁଛୁ ।

ତାଙ୍କ ମୁତାବକ ଏହି ବୋମାବର୍ଷୀ ଟାସ୍କଫୋର୍ସ ଆମେରିକାର ଜାତୀୟ ପ୍ରତିରକ୍ଷା ରଣନୀତିର ଏକ ଅଂଶ। ଆମେ ଭାରତ ମହାସାଗରରେ ନିଜର ବନ୍ଧୁ ଓ ସହଯୋଗୀମାନଙ୍କ ସହ ସମ୍ପର୍କ ମଜଭୁତ କରିବାକୁ ଚାହୁଁଛୁ । ସମ୍ପ୍ରତି କରୋନା ସଂକଟ ବେଳେ ମଧ୍ୟ ଇଣ୍ଡୋ-ପାସିଫିକ ଅଞ୍ଚଳରେ ସହଯୋଗ କରିବା ଲାଗି ଆଗେଇ ଆସିଛୁ।

ପ୍ରତିରକ୍ଷା ବିଶେଷଜ୍ଞଙ୍କ ମୁତାବକ ବି-୨ ସ୍ପ୍ରିଟ ହେଉଛି ବିଶ୍ୱର ସବୁଠୁ ଘାତକ ବୋମାବର୍ଷୀ ବିମାନ । ଏହି ବିମାନ ଏକସଙ୍ଗେ ୧୬ ବି୬୧-୭ ପରମାଣୁ ବୋମା ବହନ କରି ଯାଇପାରିବ । ଏଥର ଏଥିରେ ବି୬୧-୧୨ ପରମାଣୁ ବୋମା ସାମିଲ କରାଯାଇଛି । ଏହା ପରମାଣୁ ରାଡାର ଟାର୍ଗେଟ୍‌ରେ ଆସି ନ ଥାଏ ଏବଂ ଚୁପ୍‌ଚାପ୍‌ ଆକ୍ରମଣ କରିବାରେ ବେଶ୍‌ ମାହିର । ଶତ୍ରୁ ରାଷ୍ଟ୍ରର ବାୟୁସେନାକୁ ଚକ୍‌ମା ଦେଇ ଏହା ସହଜରେ ସେମାନଙ୍କ ଅଞ୍ଚଳରେ ପ୍ରବେଶ କରିପାରିଥାଏ । ୧୯୯୭ରେ ଗୋଟିଏ ବି-୨ ସ୍ପ୍ରିଟ ବୋମାବର୍ଷୀ ବିମାନର ଦାମ ପାଖାପାଖି ୨୧୦ କୋଟି ଡଲାର ଥିଲା । ଆମେରିକା ପାଖରେ ମୋଟ ୨୦ଟି ବି-୨ ସ୍ପ୍ରିଟ ଷ୍ଟିଲ୍‌ଦ ବୋମାବର୍ଷୀ ବିମାନ ରହିଛି । ଏହା ୫୦ ହଜାର ଫୁଟ ଉଚ୍ଚତାରୁ ଉଡ଼ାଣ ଭଳି ୧୧ ହଜାର କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିବାକୁ ସମର୍ଥ । ଥରେ ଇନ୍ଧନ ଭରିବା ପରେ ଏହା ୧୯ ହଜାର କିଲୋମିଟର ପର୍ଯ୍ୟନ୍ତ ଉଡ଼ି ଆକ୍ରମଣ କରିପାରିଥାଏ ।