ଭାରତକୁ ଆମେରିକାର ନୂଆ ପ୍ରସ୍ତାବ: ନୌସେନାକୁ ଦେବ ଏଫ-୧୮ ଯୁଦ୍ଧବିମାନ, ବିମାନବାହୀ ଯୁଦ୍ଧଜାହାଜରେ ଏଗୁଡିକୁ କରାଯିବ ମୁତୟନ

ନୂଆଦିଲ୍ଲୀ,୨୯/୧୦: ଭାରତୀୟ ନୌସେନା ପାଇଁ ନିଜର ଅତ୍ୟାଧୁନିକ ଏଫ-୧୮ ଯୁଦ୍ଧବିମାନ ଦେବାକୁ ଆମେରିକା ପ୍ରସ୍ତାବ ଦେଇଛି । ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ‘ ଟୁ ପ୍ଲସ ଟୁ ଡାଏଲଗ’ରେ ଆମେରିକାର ପ୍ରତିନିଧିମଣ୍ଡଳୀ ତରଫରୁ ଭାରତକୁ ଏହି ପ୍ରସ୍ତାବ ଦିଆଯାଇଥିଲା । ଭାରତ ଏହି ଯୁଦ୍ଧବିମାନଗୁଡିକୁ ନିଜର ବିମାନବାହୀ ଯୁଦ୍ଧଜାହାଜରେ ମୁତୟନ କରିପାରିବ।

ଭାରତୀୟ ନୌସେନା ନିକଟରେ ‘ ଆଇଏନଏସ ବିକ୍ରମାଦିତ୍ୟ’ ନାମକ ଗୋଟିଏ ବିମାନବାହୀ ଯୁଦ୍ଧଜାହାଜ ଥିଲାବେଳେ ‘ ଆଇଏନଏସ ବିକ୍ରାନ୍ତ’ ନାମକ ଅନ୍ୟ ଏକ ବିମାନବାହୀ ଯୁଦ୍ଧଜାହାଜ ଏବେ ନିର୍ମାଣାଧୀନ ରହିଛି । ନୌସେନା ଏହି ଜାହାଜଗୁଡିକରେ ମୁତୟନ କରିବା ଉଦ୍ଦେଶ୍ୟରେ ୫୭ଟି ଯୁଦ୍ଧବିମାନ ଆବଶ୍ୟକ କରୁଛି । କିଛି ବର୍ଷ ତଳେ ସିଏ ଏଥିପାଇଁ ବିଭିନ୍ନ କଂପାନି ଠାରୁ ‘ ଏକ୍ସପ୍ରେସନ ଅଫ ଇଣ୍ଟ୍ରେଷ୍ଟ’ ଆହ୍ୱାନ କରିଥିଲା । ଭାରତୀୟ ନୌସେନା ଏବେ ରୁଷ ନିର୍ମିତ ମିଗ୍‌ -୨୯ କେ ଯୁଦ୍ଧବିମାନ ବ୍ୟବହାର କରୁଛି । କିନ୍ତୁ ଆଉ କିଛି ବର୍ଷ ଭିତରେ ଏହି ଯୁଦ୍ଧବିମାନଗୁଡିକୁ ସେବାରୁ ବାଦ୍‌ ଦିଆଯିବ। ତେଣୁ ତା’ ପୂର୍ବରୁ ନୌସେନା ନିଜ ପାଇଁ ଏଭଳି ଯୁଦ୍ଧବିମାନ କିଣିବାକୁ ଯୋଜନା କରିଛି ।

ନୌସେନା ଏଥିପାଇଁ ମୁଖ୍ୟତଃ ଆମେରିକାର ଏଫ-୧୮ ଯୁଦ୍ଧବିମାନ ଏବଂ ଫ୍ରାନ୍ସ ନିର୍ମିତ ରାଫେଲର ନୌସେନା ସଂସ୍କରଣ ମଧ୍ୟରୁ ଗୋଟିଏକୁ ବାଛିବାକୁ ଚିନ୍ତା କରୁଛି । ଏହି ଦୁଇଟିଯାକ ବିମାନ ତା’ର ବର୍ତ୍ତମାନ ଏବଂ ଭବିଷ୍ୟତର ଆବଶ୍ୟକତା ପୂରଣ କରିବାକୁ ସକ୍ଷମ ଅଟନ୍ତି । ଆମେରିକା ଦ୍ୱାରା ଭାରତୀୟ ବାୟୁସେନା ପାଇଁ ପୂର୍ବରୁ ଯେଉଁ ଏଫ- ୧୮ ବିମାନ ଯୋଗାଇବାକୁ ପ୍ରସ୍ତାବ ଦିଆଯାଇଥିଲା, ନୌସେନା ପାଇଁ ଏବେ ସେଇ ଶ୍ରେଣୀର ବିମାନ ଯୋଗାଇବାକୁ ପ୍ରସ୍ତାବ ଦିଆଯାଇଛି ।

ଭାରତୀୟ ନୌସେନାରେ ଏବେ ଆମେରିକା ନିର୍ମିତ ଯୁଦ୍ଧାସ୍ତ୍ରଗୁଡିକର ସଂଖ୍ୟା ବଢିବାରେ ଲାଗିଛି। ନୌସେନା ଆମେରିକୀୟ କଂପାନି ବୋଇଂ ନିର୍ମିତ ୧୨ଟି ପି୮ଆଇ ସାମୁଦ୍ରିକ ଗୁଇନ୍ଦା ବିମାନ ବ୍ୟବହାର କରୁଥିଲାବେଳେ ଭବିଷ୍ୟତରେ ଏଧରଣର ଆଉ ୬ଟି ବିମାନ କିଣିବାକୁ ଯୋଜନା କରିଛି। ସେହିପରି ଭାରତ ଆମେରିକା ଠାରୁ ନିଜର ନୌସେନା ପାଇଁ୨୪ଟି ଏମଏଚ-୬୦ ରୋମିଓ ହେଲିକପ୍ଟର କିଣିବାକୁ ପଦକ୍ଷେପ ନେଇଛି ।

ଲଢୁଆ ଡ୍ରୋନ ହାସଲ କରିବା ସହଜ ହେବଆମେରିକା ସହିତ ଗତ ତିନି ବର୍ଷ ଭିତରେ ଭାରତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛି । ସେଥିମଧ୍ୟରୁ ଗୋଟିଏ ହେଉଛି ବିକା ଏବଂ ଅନ୍ୟଟି ହେଉଛି କମକାସା । ଏହି ଦୁଇଟି ସାମରିକ ଚୁକ୍ତି କଲା ପରେ ଭାରତ ପାଇଁ ଆମେରିକା ଠାରୁ ରିପର କିମ୍ବା ପ୍ରିଡେଟର ଶ୍ରେଣୀର ଲଢୁଆ ଡ୍ରୋନ କିଣିବା ସହଜସାଧ୍ୟ ହୋଇଯିବ।

ଭାରତୀୟ ସେନାବାହିନୀ ଆମେରିକା ଠାରୁ ୩୦ଟି ଏମକ୍ୟୁ-୯ ରିପର ଲଢୁଆ ଡ୍ରୋନ କିଣିବାକୁ ଚାହୁଁଛି। ଚୀନ୍‌ ସହିତ ସୀମା ବିବାଦ ଲାଗି ରହିଥିବା ପରିପ୍ରେକ୍ଷୀରେ ଏଭଳି ୬ଟି ଡ୍ରୋନ ତୁରନ୍ତ ଆମେରିକା ଠାରୁ ହାସଲ କରିବା ପାଇଁ ସିଏ ଇଛୁକ ଅଛି। ତେବେ ଏହି ୩୦ଟି ଡ୍ରୋନ କିଣିବାକୁ ଭାରତକୁ ପ୍ରାୟ ୩ ବିଲିୟନ ଡଲାର ବ୍ୟୟ କରିବାକୁ ପଡ଼ିବ। ତେଣୁ ଏହି ଡ୍ରୋନ କ୍ରୟ କରିବା ପାଇଁ ଭାରତ କେତେ ବ୍ୟଗ୍ରତା ଦେଖେଇବ, ତାହା ସେଗୁଡିକର ମୂଲ୍ୟ ଉପରେ ନିର୍ଭର କରିବ ବୋଲି ଜଣେ ସରକାରୀ ଅଧିକାରୀ ପ୍ରକାଶ କରିଛି । ଏହି ଡ୍ରୋନ ହାସଲ କଲେ ଭାରତୀୟ ବାୟୁସେନା ଶତ୍ରୁ ରାଷ୍ଟ୍ରର ବାୟୁସୀମା ଭିତରେ ପ୍ରବେଶ ନକରି ବି ସେଠାରେ ଥିବା ଟାର୍ଗେଟକୁ ନଷ୍ଟ କରିପାରିବ।