UT ଗବେଷକଙ୍କ ମତ: କରୋନାକୁ ରୋକିବ ଲାମା ଦେହର ପ୍ରୋଟିନ୍‌

ଅଷ୍ଟିନ ୦୧/୫: ବୈଜ୍ଞାନିକମାନେ ଲାମା ନାମକ ଏକ ସ୍ତନ୍ୟପାୟୀ ଜୀବ ଦେହରେ ମିଳୁଥିବା ଏକ ପ୍ରୋଟିନକୁ ବ୍ୟବହାର କରି କରୋନା ଭାଇରସକୁ ନିପାତ କରାଯାଇପାରିବ ବୋଲି ଦାବି କରିଛନ୍ତି । ଅଷ୍ଟିନ ସ୍ଥିତ ଟେକ୍ସାସ୍‌ ୟୁନିଭରସିଟିର ଗବେଷକମାନେ ଏଭଳି ମତ ଦେଇଛନ୍ତି ।

ସେମାନଙ୍କ ଅନୁସାରେ, ଲାମା ଦେହରେ କିଛି ଏଭଳି ଆଂଟିବଡି ପ୍ରସ୍ତୁତ ହେଉଛି ଯାହାକି ସାର୍ସ ଏବଂ କରୋନା ଭାଇରସକୁ ରୋକିଦେଇପାରୁଛି । ଆଂଟିବଡି ହେଉଛି ଜୀବଙ୍କ ଦେହର ରୋଗ ପ୍ରତିରୋଧକ ବ୍ୟବସ୍ଥା ଦ୍ୱାରା ପ୍ରସ୍ତୁତ ହେଉଥିବା ଏକ ପ୍ରୋଟିନ୍‌ । ଲାମା ଦେହରେ ଥିବା ଆଂଟିବଡି ସାର୍ସ ଭାଇରସକୁ ରୋକିପାରୁଛି ବୋଲି ଗବେଷକମାନଙ୍କୁ ଆଗରୁ ଜଣାଥିଲା । ସେମାନେ ଏବେ ଏହାର ପ୍ରୟୋଗ କରୋନା ଭାଇରସ ଉପରେ କରିଥିଲେ ଏବଂ ସେଥିରେ ସଫଳତା ପାଇଛନ୍ତି । ଏଥିରୁ କରୋନା ନିପାତ ପାଇଁ ଟିକା ପ୍ରସ୍ତୁତ କରିବାର ଉପାୟ ବାହାରିବ ବୋଲି ସେମାନେ ପ୍ରକାଶ କରିଛନ୍ତି ।

ସେମାନେ ଆହୁରି କହିଛନ୍ତି ଯେ ଯେଉ ଲାମାର ଆଂଟିବଡି ନେଇ ସେମାନେ ଏଭଳି ଗବେଷଣା କରିଛନ୍ତି, ତାହାର ବୟସ ହେଉଛି ୪ ବର୍ଷ । ତା’କୁ ବେଲଜିୟମର ଏକ ଫାର୍ମରେ ରଖାଯାଇଛି । ୪ ବର୍ଷ ତଳେ ସିଏ ଯେତବଳେ ମାତ୍ର ୯ ମାସର ହୋଇଥିଲା ସେତବଳେ ତା’ ଦେହରୁ ଆଂଟିବଡି ସଂଗ୍ରହ କରାଯାଇଥିଲା । ସେତବଳେ ସାର୍ସ ଏବଂ ମେର୍ସ ଭାଇରସ ଉପରେ ଗବେଷକମାନେ ଅଧ୍ୟୟନ କରୁଥିଲେ । ସେମାନେ ଲାମାର ଆଂଟିବଡି ବ୍ୟବହାର କରି ସାର୍ସ ଭାଇରସକୁ ରୋକିବାରେ ସଫଳ ହୋଇଥିଲେ । ଲାମା ଦେହରେ ଥିବା ଆଂଟିବଡି (ପ୍ରୋଟିନର ନାମ ଭିଏଚ୍‌ଏଚ୍‌-୭୨) ସାର୍ସ ଭାଇରଦ ଦେହରେ ଥିବା ପ୍ରୋଟିନ ସହିତ ବାନ୍ଧି ହୋଇଯାଉଥିଲା ଏବଂ ତା’କୁ ନିଜର ପ୍ରତିରୂପ ତିଆରି କରିବା ପାଇଁ ସୁଯୋଗ ଦେଉ ନଥିଲା । କିନ୍ତୁ ଯେତବଳେ ଏହି ପ୍ରୋଟିନକୁ କରୋନା ଭାଇରସ ଉପରେ ପ୍ରୟୋଗ କରାଗଲା, ସେତବଳେ ଉକ୍ତ ପ୍ରୋଟିନ କରୋନାର ପ୍ରୋଟିନ ସହିତ ଅତି ଦୁର୍ବଳ ଭାବେ ବାନ୍ଧ୍ୟି ହେଉଥିବାର ଦେଖାଯାଇଥିଲା । ତେଣୁ ଗବେଷକମାନେ ଲାମା ଦେହରୁ ସଂଗୃହୀତ ସେଭଳି ଦୁଇଟି ପ୍ରୋଟିନ୍‌ ନେଇ ସେଥିରେ ଜିନ୍‌ ସଂରଚନା ପ୍ରଣାଳୀରେ କିଛି ଅତିରିକ୍ତ କ୍ଷମତା ଯୋଡିଥିଲେ ।

ଏହାପରେ ଦେଖାଗଲା ଯେ ସେଇ ଦୁଇଟି ଭିଏଚ୍‌ଏଚ୍‌-୭୨ ପ୍ରୋଟିନ୍‌ କରୋନା ଭାଇରସ ଚତୁପାଶ୍ୱର୍ରେ ଥିବା କଂଟା ସଦୃଶ ପ୍ରୋଟିନ ସହିତ ଅତି ଦୃଢ଼ ଭାବେ ବାନ୍ଧ୍ୟି ହୋଇଯାଉଛି । ଏହାଯୋଗୁ କରୋନା ଭାଇରସ ଦେହରେ ଥିବା ପ୍ରୋଟିନ୍‌ ଆଉ ମଣିଷ ଦେହର କୋଷିକାରେ ଥିବା ପ୍ରୋଟିନ୍‌ ସହିତ ଯୋଡ଼ି ହେବ ନାହିଁ କି ନିଜର ଅସଂଖ୍ୟ ପ୍ରତିରୂପ ତିଆରି କରିପାରିବ ନାହିଁ । ଏଣୁ ଲାମା ଦେହର ପ୍ରୋଟିନ୍‌ ଏବେ କରୋନା ରୋଗୀଙ୍କ ପାଇଁ ମହୌଷଧି ସାବ୍ୟସ୍ତ ହେବ ବୋଲି ସେମାନେ ମତ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଆସନ୍ତା ବର୍ଷ ଏହି ମାସ ସୁଦ୍ଧା ଲଞ୍ଚ ହେବ କରୋନାର ସ୍ୱଦେଶୀ ଭ୍ୟାକସିନ୍, ଭାରତ ବାୟୋଟେକ୍‌ର ସୂଚନା

ନିର୍ବାଚନ ପୂର୍ବରୁ ଗୁଳିକାଣ୍ଡ : ଶିବହରରେ ପ୍ରାର୍ଥୀଙ୍କୁ ଗୁଳିକରି ହତ୍ୟା, ଚିକିତ୍ସା ବେଳେ ଆଉ ୨ ଜଣଙ୍କର ମୃତ୍ୟୁ

ନବରାତ୍ରୀରେ ନରବଳି; ୮ ଦିନ ଉପବାସ ରହିବା ପରେ ପୂଜାଘରେ ନିଜ ସ୍ତ୍ରୀକୁ ବଳି ଦେଲା ଗୁଣିଆ ସ୍ବାମୀ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ମହାକାଶରୁ ଆସିଲା ଭୋଟ୍, ଜିରୋ ଗ୍ରାଭିଟିରେ ଜାଣନ୍ତୁ କିଭଳି ହେଲା ସମ୍ଭବ?

ମୋଦିଙ୍କ ‘ମନ କୀ ବାତ୍’ : ‘ଦୀପାବଳୀରେ ସୈନିକଙ୍କ ପାଇଁ ଲଗାନ୍ତୁ ଗୋଟିଏ ଦୀପ, ‘ଭୋକାଲ ଫର ଲୋକାଲ’କୁ ଗୁରୁତ୍ବ

ପୃଥିବୀ ପୃଷ୍ଠରୁ ୪୦୮ କିମି ଉଚ୍ଚରେ ଥାଇ ରାଷ୍ଟ୍ରପତିଙ୍କ ପାଇଁ ମତଦାନ କଲେ ମହିଳା ମହାକାଶଚାରୀ