ଔଷଧ ବ୍ୟବସାୟୀ ସଂଘର ନିର୍ବାଚନ ମତଦାନ ବେଳେ ଭୋଟ୍‌ବାକ୍ସ ଉଠାଇନେଲେ ଦୁର୍ବୃତ୍ତ: ପୁଲିସ ଉପସ୍ଥିତିରେ ପୁନଃ ମତଦାନ ସଂଗ୍ରହ

ଚନ୍ଦ୍ରଶେଖରପୁର ୧୭/୧୧: ଗତକାଲି ଅପରାହ୍ନରେ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ପଛ ପାଖରେ ଥିବା ଏକ ତାରକା ହୋଟେଲ୍‌ରେ ଉତ୍କଳ ଔଷଧ ବ୍ୟବସାୟୀ ସଂଘର ନିର୍ବାଚନ ଚାଲିଥିବା ବେଳେ କିଛି ଦୁବୃର୍ତ୍ତ ଭିତରକୁ ପଶି ଭୋଟ ବାକ୍ସକୁ ଟେକି ନେଇଥିଲେ । ଏନେଇ ସଂଘ ପକ୍ଷରୁ ପୁଲିସକୁ ଖବର ଦିଆ ଯାଇଥିଲା । ପୁଲିସ ଉପସ୍ଥିତିରେ ସେଠାରେ ପୁଣି ମତଦାନ ହୋଇଥିଲା ।

ସୂଚନା ଅନୁଯାୟୀ ବଡବିଲ୍‌, ଅନୁଗୁଳ ଓ ବରଗଡ଼ ସଂଘ ପାଇଁ ଆଜି ଉକ୍ତ ହୋଟେଲ୍‌ରେ ମତଦାନ ଆରମ୍ଭ ହୋଇଥିଲା। ହେଲେ ମତଦାନ ଆରମ୍ଭ ହେବାର ଘଣ୍ଟାକ ପରେ ହଠାତ୍‌ ୬ ଜଣ ଦୁର୍ବୃତ୍ତ ପଶି ବାଲଟ୍‌ କାଗଜ ସହ ବାକ୍ସକୁ ଉଠାଇ ନେଇଥିଲେ । ସେମାନେ ବନ୍ଧୁକ ଆଣିଥିବାରୁ କେହି ସାହସ ଜୁଟାଇ ତାଙ୍କୁ ଅଟକାଇ ପାରି ନଥିଲେ । ଏନେଇ ସଂଘର ସଭାପତି ପି ସତ୍ୟ ନାରାୟଣ ରେଡ୍ଡି ଚନ୍ଦ୍ରଶେଖରପୁର ଥାନାକୁ ଫୋନ କରି ଜଣାଇଥିଲେ । ପୁଲିସ ପହଞ୍ଚି ହୋଟେଲ୍‌ରେ ଲାଗିଥିବା ସିସିଟିଭି ଫୁଟେଜରୁ ଦୁର୍ବୃତ୍ତ ମାନଙ୍କୁ ଚିହ୍ନଟ କରିଛି । ପରେ ପୁଲିସ ସେଠାରେ ଉପସ୍ଥିତ ରହି ପୁନଃ ମତଦାନ କରିଥିବା ଜଣାପଡିଛି । ତେବେ ଦୁର୍ବୃତ୍ତମାନଙ୍କୁ ଖୁବ୍‌ ଶୀଘ୍ର ଧରାଯିବ ବୋଲି ପୁଲିସ କହିଛି ।