ଅତୀତର ସ୍ମୃତିରୁ- ଜଗବନ୍ଧୁ ହେ ଗୋସାଇଁ…

ଆବେଗଭରା ଓଡ଼ିଆ ଚଳଚ୍ଚିତ୍ର ‘ଭକ୍ତ ସାଲବେଗ’ । ଯେଉଁଥିରେ ଏକ ଗୀତ ଥିଲା ‘ଜଗବନ୍ଧୁ ହେ ଗୋସାଇଁ’ । ଗୀତଟିକୁ ଲେଖିଥିଲେ ସାଲବେଗ ଆଉ ସିନେମାରେ ତାକୁ ଗାଇଥିଲେ ଭଜନ ସମ୍ରାଟ ଭିକାରୀ ବଳ । ସିନେମାରେ ଏ ଗୀତ ପଛରେ ଥିବା କାହାଣୀକୁ ନେଇ ଭିକାରୀ ବଳ ଯାହା କହିଥିଲେ । ଏହା ଏକ ପାରମ୍ପରିକ ଲେଖା । ଗୀତର ସ୍ୱର ଓଡ଼ିଶାର ଘରେ ଘରେ ପରିଚିତ ।

ପାରମ୍ପରିକ ଶୈଳୀରେ ଏହାକୁ ସ୍ୱର କରିଥିଲେ ମୋର ଗୁରୁ ବାଳକୃଷ୍ଣ ଦାଶ । ଗାଇଥିଲେ ବି । ଯେତେବେଳେ ଚଳଚ୍ଚିତ୍ର ‘ଭକ୍ତ ସାଲବେଗ’ର ପ୍ରଯୋଜକ ଗୀତ ଗାଇବା ପାଇଁ ମୋ ସହ ଚୁକ୍ତି କଲେ ସେତେବେଳେ ମୁଁ ଜାଣିଲି ଯେ ପଣ୍ଡିତ ଭୁବନେଶ୍ୱର ମିଶ୍ର ଏହାର ସ୍ୱର କରିବେ । ସାର୍‌ ବମ୍ବେରେ ଥାନ୍ତି । ପ୍ରଯୋଜକ କହିଲେ, ବମ୍ବେରେ ଗୀତ ଶିଖା ହେବ ଆଉ ରେକର୍ଡିଂ ସେଇଠି ହେବ । ବମ୍ବେ ଗଲୁ । ଭୁବନେଶ୍ୱର ସାର୍‌ କହିଲେ, ‘ଭିକାରୀ ଏଇଠି ମୋ ଘରେ ରହିବ, ହୋଟେଲରେ ରହିବା ଦରକାର ନାହିଁ । ଘରେ ରହି ଗୀତ ଶିଖିବ’ ।

ମୁଁ ତିନି ଚାରି ଦିନରେ ‘ଭକ୍ତ ସାଲବେଗ’ ଚଳଚ୍ଚିତ୍ରର ସବୁ ଗୀତ ଶିଖିଲି । ସବୁ ତ ସାଲବେଗଙ୍କ ରଚନା । ଭୁବନେଶ୍ୱର ସାର୍‌ ବି ପାରମ୍ପରିକ ଶୈଳୀରେ ସ୍ୱର କରୁଥାନ୍ତି । ଯେଉଁଦିନ ‘ଜଗବନ୍ଧୁ ହେ ଗୋସାଇଁ’ ଗୀତଟି ଶିଖାଇଲେ ଚମକି ପଡ଼ିଲି । କହିଲି, ‘ସାର୍‌, ଗୀତର ସ୍ପିଡ୍‌ ଟିକେ ଅଧିକ ଲାଗୁଛି । ଲୋକେ ଗ୍ରହଣ କରିବେ ତ? ଆଗରୁ ଏହି ଗୀତଟିକୁ ବାଳକୃଷ୍ଣ ସାର୍‌ ସ୍ୱର କରିଛନ୍ତି ଆଉ ଗାଇଛନ୍ତି । ସେ ଗୀତକୁ ସମସ୍ତେ ଜାଣନ୍ତି’ । ଭୁବନେଶ୍ୱର ସାର୍‌ କହିଲେ, ‘ଆମେ ତ ଭାବକୁ ନଷ୍ଟ କରୁନାହୁଁ, ଏ ଗୀତରେ ଭକ୍ତର ଯେଉଁ ମିନତି ତାହା ସ୍ପିଡ୍‌ ହେଲେ ଆହୁରି ଭଲ ଲାଗୁଛି । ଦେଖିବ, ଲୋକେ ଭଲ ପାଇବେ’ । ତାହା ହିଁ ହେଲା, ଲୋକେ ‘ଭକ୍ତ ସାଲବେଗ’ ଚଳଚ୍ଚିତ୍ରର ‘ଜଗବନ୍ଧୁ ହେ ଗୋସାଇଁ’ ଗୀତକୁ ପସନ୍ଦ କରିଥିଲେ ।