ପରିବା ବିକୁଛନ୍ତି, ସଚେତନ କରୁଛନ୍ତି ଓଲିଉଡ୍ ହାସ୍ୟ ଅଭିନେତା ଓ‌ ନିର୍ଦ୍ଦେଶକ

ଭୁବନେଶ୍ବର ୨୨/୪: ଲକ୍‌ଡାଉନ୍‌ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ସମସ୍ତେ ବ୍ୟସ୍ତ ଓ ବିବ୍ରତ ଭିତରେ ଅଛନ୍ତି । ଓଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ନିଜ ନିଜ କ୍ଷେତ୍ରକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ସେମିତି ଦୁଇଜଣ ସେଲିବ୍ରିଟିଙ୍କ କଥା କହିବୁ, ଯେଉଁମାନେ ପରିସ୍ଥିତିରେ ପଡ଼ି ପରିବା ବ୍ୟବସାୟ ଭଳି ଏକ ବୃତ୍ତିକୁ ଆପଣେଇନାହାନ୍ତି । ଜଣେ ହେଲେ ଓଲିଉଡ୍‌ ହାସ୍ୟ ଅଭିନେତା ବ୍ଲାକ୍‌ ରବି ଓରଫ୍‌ ରବି କୁମାର ଏବଂ ଅନ୍ୟ ଜଣେ ହେଲେ ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ଏସ୍‌.କେ ମୁରଲିଧରନ୍‌ । ଦୁଇଜଣଙ୍କ ଫଟୋ ଏବଂ ଖବର ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି । ଉଭୟ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପୃଥକ୍‌ ଭାବେ ପରିବା ବିକ୍ରି କରୁଥିବା ଶୁଣିବାକୁ ଓ ଦେଖିବାକୁ ମିଳୁଛି ।

ଏ ସମ୍ପର୍କରେ ଆମେ ଯୋଗାଯୋଗ କରିବାରୁ ସେମାନେ କହିଥିଲେ କିଛି ନୁହେଁ, ଗୋଟେ ଖୁସି ଆଉ.. । ରବି କୁମାର କହିଛନ୍ତି, ଏହି ବ୍ୟବସାୟ ଆଳରେ ସେ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରୁଛନ୍ତି । ପରିବା କିଣିବା ପୂର୍ବରୁ ଗ୍ରାହକଙ୍କୁ ସାବୁନରେ ହାତ ଧୋଇବା ପାଇଁ କହୁଛନ୍ତି । ସାମାଜିକ ଦୂରତା ରକ୍ଷା କରିବା ସହ ମୁହଁରେ ମାସ୍କ ପିନ୍ଧିବା ପାଇଁ ସଚେତନ କରୁଛନ୍ତି । ପରିବାର ପ୍ରତିପୋଷଣ ପାଇଁ ପୁରୁଣା ଭୁବନେଶ୍ୱର ସାମନ୍ତରାପୁର-ନୂଆଗାଁ ଅଞ୍ଚଳ ରାସ୍ତାକଡ଼ରେ ଏବଂ ଘର ଘର ବୁଲି ରବି ପରିବା, ଅଣ୍ଡା, ଛତୁ ଆଦି ବିକ୍ରି କରୁଛନ୍ତି । ୩୦ରୁ ଅଧିକ ସିନେମା, ୧୦ରୁ ଅଧିକ ଧାରାବାହିକ ଏବଂ ଶତାଧିକ ଆଲବମ୍‌ରେ ଅଭିନୟ କରିଥିବା ରବି କହିଛନ୍ତି, ଏହାଦ୍ୱାରା ସମ୍ମାନ ହାନି ହେଉନାହିଁ । ବରଂ ମୋର ମଜାଳିଆ କଥାରେ ଦର୍ଶକ ଏଣ୍ଟରଟେନ୍‌ ହେଉଛନ୍ତି । ପରଦା, ମଞ୍ଚରେ ମନୋରଞ୍ଜନ କରୁଥିଲି, ଏବେ ସମସ୍ତଙ୍କ ପାଖକୁ ଯାଇ ଅଭିନୟ କରୁଛି । ଏଭଳି ସମୟରେ ଲୋକଙ୍କ ମୁହଁରେ ହସ ଫୁଟାଇପାରିବା ସବୁଠାରୁ ବଡ଼ କଥା । ତା’ଠାରୁ ଅଧିକ କିଏ କ’ଣ କାହାକୁ ଦେଇପାରିବ ।

ସେହିପରି ଝାରପଡ଼ା ଅଞ୍ଚଳରେ ରହୁଥିବା ଓଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ଏସ୍‌.କେ ମୁରଲିଧରନ୍‌ କହିଛନ୍ତି, ମୋର କିଛି ଅସୁବିଧା ନାହିଁ । ଗଣମାଧ୍ୟମରେ ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ମୋତେ ବିଭିନ୍ନ ସଂଘ, ସାଙ୍ଗସାଥୀ ଫୋନ୍‌ କରି ସାହାଯ୍ୟର ହାତ ବଢ଼ାଇଥିଲେ । କିନ୍ତୁ ମନା କରିଥିଲି । କାରଣ ମୁଁ ମୋର ସାଙ୍ଗକୁ ସହଯୋଗ କରୁଛି । ସେଥିପାଇଁ ତା’ ଦୋକାନରେ ବସି ଯାଉଛି । କିନ୍ତୁ ମୋର କୌଣସି ଅସୁବିଧା ନାହିଁ । ଆସନ୍ତା ମେ’ ମାସ ୧୫ତାରିଖ ପରେ ମୋର ନିର୍ଦ୍ଦେଶନାରେ ଏକ ଫିଲ୍ମ ଆସିବାକୁ ଯାଉଛି ବୋଲି ସେ ସୂଚନା ଦେଇଛନ୍ତି । ସେଥିପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ, ଘରେ ରୁହନ୍ତୁ, ସୁସ୍ଥ ଏବଂ ନିରାପଦ ରୁହନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।

   ସମ୍ବନ୍ଧିତ ଖବର


ଶିକ୍ଷକଙ୍କୁ କଚାଡି ମାରିଲା ହାତୀ

ରାଜ୍ୟରେ ପୁଣି ୧୪ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୫୯ କୁ ବୃଦ୍ଧି

ପୁଣି ଚିହ୍ନଟ ହେଲେ ୧୪୮୦ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ଡେଇଁଲା

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ୍, କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲା

ଟ୍ରେନରେ କଟି ଗୋଟିଏ ପରିବାରର ୩ ମୃତ: ଆତ୍ମହତ୍ୟା ସନ୍ଦେହ

ଶୁଙ୍ଘିକି କରୋନା ଭାଇରସକୁ ଚିହ୍ନଟ କରିବ କୁକୁର!ବିଶ୍ବର ଏହି ସବୁ ଦେଶ ଦେଉଛନ୍ତି ଟ୍ରେନିଂ