ଖାଦ୍ୟ ପାଇଁ ରକ୍ତାକ୍ତ ସଂଘର୍ଷ: ୨ ମୃତ, ୩୦୦ ଆହତ

କାରାକାସ୍‌,୨୪ା୨(ଏଜେନ୍ସି): ଘୋର ଆର୍ଥିକ ଓ ରାଜନୈତିକ ସଂକଟର ସାମ୍ନା କରୁଥିବା ଭେନେଜୁଏଲାରେ ଖାଦ୍ୟ ପାଇଁ ହାହାକାର ପରିସ୍ଥିତି ଉପୁଜିଛି । ଦେଶର ଏଭଳି ସ୍ଥିତି ଦେଖି ପଡ଼ୋଶୀ ରାଷ୍ଟ୍ର ଖାଦ୍ୟ ସାମଗ୍ରୀ ପଠାଉଥିଲେ ହେଁ ସରକାର ଜାଣିଶୁଣି ଏହାକୁ ଫେରାଇ ଦେଇ ଦେଶବାସୀଙ୍କୁ ମୃତ୍ୟୁ ମୁଖକୁ ଠେଲିଦେଉଛନ୍ତି । ଏହାକୁ ନେଇ ସୀମାରେ ଘଟିଛି ରକ୍ତାକ୍ତ ସଂଘର୍ଷ । ଉତ୍କଟ ମୁଦ୍ରାସ୍ଫୀତିରେ ଘାଣ୍ଟି ହେଉଥିବା ଦେଶବାସୀ ପଡ଼ୋଶୀ ରାଷ୍ଟ୍ରର ଏହି ସହାୟତା ପାଇଁ ହାତ ବଢ଼ାଇବାରୁ ସେମାନଙ୍କୁ ଶେଷରେ ସେନାର ଗୁଳି ଖାଇବାକୁ ପଡ଼ିଛି । ଶନିବାର ସେନା ସହ ସଂଘର୍ଷ ଘଟି ଦୁଇଜଣ ପ୍ରାଣ ହରାଇଥିବା ବେଳେ ୩୦୦ରୁ ଊଦ୍ଧ୍ୱର୍ ଆହତ ହୋଇଛନ୍ତି ।
ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍‌ ମାଡ୍ୟୁରୋଙ୍କ ଏକଚାଟିଆ ତଥା ଜିଦ୍‌ଖୋର ମନୋବୃତ୍ତି ଯୋଗୁ ପଡ଼ୋଶୀ ଦେଶର ସହାୟତା ଲୋକଙ୍କ ନିକଟରେ ପହଞ୍ଚି ପାରୁନାର୍ହିଁ । ନିକଟରେ ଆମେରିକାର ଜାହାଜଭର୍ତ୍ତି ସାମଗ୍ରୀକୁ ମାଡ୍ୟୁରୋ ସରକାର ଫେରାଇ ଦେଇଥିବା ବେଳେ ଶନିବାର ବ୍ରାଜିଲ୍‌ ଓ କଲମ୍ବିଆରୁ ବିପୁଳ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଆସି ସୀମା ନିକଟରେ ପହଞ୍ଚିଥିଲା । କ୍ଷୁଧାରେ ଛଟପଟ ହେଉଥିବା ଲୋକମାନେ ଖବର ପାଇବା କ୍ଷଣି ବହୁ ସଂଖ୍ୟାରେ ଯାଇ ପହଞ୍ଚିଥିଲେ । କିନ୍ତୁ ସେଠାରେ ସେମାନଙ୍କୁ ସେନା ରୋକିଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଶେଷରେ ପାଟି ପାଖକୁ ଆସୁଥିବା ଖାଦ୍ୟ ଫେରିଯାଇଥିଲା ।


ମାଡ୍ୟୁରୋଙ୍କ ଏଭଳି ଅଜବ ଆଚରଣକୁ ଆମେରିକା ପୁଣି ନିନ୍ଦା କରିଛି । ଆମେରିକାର ବୈଦେଶିକ ସଚିବ ମାଇକ୍‌ ପମ୍ପିଓ ମାଡ୍ୟୁରୋଙ୍କୁ ତୀବ୍ର ସମାଲୋଚନା କରିବା ସହ ତାଙ୍କ ଦିନ ସରିଆସୁଛି ବୋଲି କହିଛନ୍ତି । ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭେନେଜୁଏଲାର ଏଭଳି ସଂକଟକୁ ଏଡ଼ାଇବା ପାଇଁ ଆକ୍ରମଣ ହିଁ ଏକମାତ୍ର ବିକଳ୍ପ ବୋଲି ସଂକେତ ଦେଇଛନ୍ତି । ତେବେ ଇତିମଧ୍ୟରେ ଭେନେଜୁଏଲା ପାଇଁ ଆମେରିକା ପକ୍ଷରୁ ଏକାଧିକ କଟକଣା ଲଗାଯାଇଛି ।
ମାଡ୍ୟୁରୋଙ୍କ ଏଭଳି ନୀତିକୁ ତୀବ୍ର ବିରୋଧ କରି ଗତମାସରେ ବିରୋଧୀ ଦଳ ନେତା ଜୁଆନ୍‌ ଗୁଏଡୋ ନିଜକୁ ରାଷ୍ଟ୍ରପତି ଘୋଷଣା କରିଥିଲେ । ତାଙ୍କୁ ହଜାର ହଜାର ଲୋକ ସମର୍ଥନ ଜଣାଇଥିଲେ । ଏମିତି କି ଆମେରିକା ସମେତ ୫୦ରୁ ଊଦ୍ଧ୍ୱର୍ ରାଷ୍ଟ୍ର ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ । କିନ୍ତୁ ମାଡ୍ୟୁରୋ ତାଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ । ଏବେ ବି ଅନେକ ଲୋକ ମାଡ୍ୟୁରୋଙ୍କୁ ସମର୍ଥନ କରୁଥିବା ବେଳେ ଦେଶର ସେନା ସମ୍ପୂର୍ଣ୍ଣ ଭାବେ ତାଙ୍କ ନିୟନ୍ତ୍ରଣରେ ରହିଛି । ତେଣୁ ତାଙ୍କ ବିନାନୁମତିରେ କୌଣସି ସାମଗ୍ରୀ ଦେଶ ମଧ୍ୟକୁ ପଶିପାରୁନାହିଁ ।


ବ୍ରାଜିଲ୍‌ ଓ କଲମ୍ବିଆରୁ ସାମଗ୍ରୀ ପହଞ୍ଚିବା ପରେ ଜୁଆନ୍‌ ଗୁଏଡୋ ନିଜ ସମର୍ଥକ ଓ ଅନ୍ୟ ସାଧାରଣ ନାଗରିକଙ୍କ ସହ ସୀମା ଅଞ୍ଚଳରେ ପହଞ୍ଚିଥିଲେ । କିିନ୍ତୁ ସେମାନଙ୍କୁ ସୀମା ପାର୍‌ ହେବାକୁ ଅନୁମତି ମିଳିନଥିଲା କି ସାମଗ୍ରୀ ଦେଶ ମଧ୍ୟକୁ ଆସିପାରି ନଥିଲା । ଅନ୍ୟପକ୍ଷରେ ଏଥିପାଇଁ ଗୁଏଡୋଙ୍କୁ ମାଡ୍ୟୁରୋ କଡ଼ା ସମାଲୋଚନା କରିଛନ୍ତି । ବିଦେଶୀ ରାଷ୍ଟ୍ରଙ୍କ ଆଗରେ ହାତ ପତାଉଥିବାରୁ ଗୁଏଡୋ ଜଣେ ଭିକାରି ବୋଲି ସେ କହିଛନ୍ତି । ତେବେ ଏହାକୁ ନେଇ ଶନିବାର ଘଟିଥିବା ସଂଘର୍ଷରେ ଯେଉଁ ଦୁଇଜଣ ପ୍ରାଣ ହରାଇଥିଲେ, ସେମାନଙ୍କ ମଧ୍ୟରେ ଜଣେ ୧୪ ବର୍ଷୀୟ ବାଳକ ଥିବା ଜଣାପଡ଼ିଛି । ସେନାର ଏଭଳି କାର୍ଯ୍ୟାନୁଷ୍ଠାନକୁ ବିଶ୍ୱର ଅନେକ ମାନବାଧିକାର ଅନୁଷ୍ଠାନ ତୀବ୍ର୍ର ସମାଲୋଚନା କରିଛନ୍ତି । ଏ ବାବଦରେ ପମ୍ପିଓ କହିଛନ୍ତି, ମାଡ୍ୟୁରୋଙ୍କ ଏଭଳି ଅଭାବନୀୟ କାର୍ଯ୍ୟ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ଆମେ ଗଭୀର ସମବେଦନା ଜଣାଉଛୁ । ନ୍ୟାୟ ପାଇଁ ସେମାନେ କରୁଥିବା ଦାବିକୁ ଆମେ ସମର୍ଥନ କରୁଛୁ ।
ଉଲ୍ଲେଖଯୋଗ୍ୟ, ଭେନେଜୁଏଲାରେ ଏବେ ମୁଦ୍ରାସ୍ଫୀତି ୧୬ ଲକ୍ଷ ପ୍ରତିଶତରୁ ଅଧିକ ରହିଥିବା ବେଳେ ୨୦୧୯ ଡିସେମ୍ବର ବେଳକୁ ଏହା ୧ କୋଟି ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି । ତା’ଛଡ଼ା ଦେଶରେ ପ୍ରତି ୧୯ ଦିନରେ ଦରବୃଦ୍ଧି ଦୁଇଗୁଣ ହାରରେ ବଢ଼ିବାରେ ଲାଗିଛି । ଦେଶରେ ଖାଦ୍ୟ ସାମଗ୍ରୀର ଉତ୍କଟ ଅଭାବ ପରିଲକ୍ଷିତ ହୋଇଛି । ଆଳୁ କିଲୋ ଏଠାରେ ୧୦,୦୦୦ ଟଙ୍କା ହୋଇଥିବା ବେଳେ କ୍ଷୀର ଲିଟର ଦାମ ୫,୦୦୦ ଟଙ୍କା ରହିଛି । ରାଷ୍ଟ୍ରପତି ମାଡ୍ୟୁରୋଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ଭେନେଜୁଏଲା ନାଗରିକ ଆଜି ଏଭଳି ମରଣଯନ୍ତାରେ ପଡ଼ିଛନ୍ତି ।

   ସମ୍ବନ୍ଧିତ ଖବର


୫୧ଟି ଗାଈ, ତିନି ଆରବୀ ଘୋଡା ଓ ୧୩ ବନ୍ଧୁକ… ଯଶଓ୍ବନ୍ତ ସିଂଙ୍କ ୨୦୧୪ ସମ୍ପତ୍ତି ତାଲିକାରେ ରହିଥିଲା ଆହୁରି ଏସବୁ

ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କୁ କରୋନା, ଏବେ କ୍ବାରେଣ୍ଟାଇନ୍‌ରେ

ଏନସିବିର ପ୍ରଶ୍ନରେ ୩ ଥର କାନ୍ଦି ପକାଇଥିଲେ ଦୀପିକା, ହାତ ଯୋଡି ଅଧିକାରୀ କହିଥିଲେ- ଇମୋସନାଲ କାର୍ଡ ଖେଳନ୍ତୁ ନାହିଁ

ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଯଶଓ୍ବନ୍ତ ସିଂହଙ୍କ ପରଲୋକ, ୮୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ

କରୋନା ରୋଗୀଙ୍କ ଠାରେ ଭିଟାମିନ୍‌—ଡି କେତେ ଜରୁରୀ ଜାଣନ୍ତୁ

ଆଉ କେତେ ଦିନ ଯାଏ ଅପେକ୍ଷା କରିବ ଭାରତ- ୟୁଏନ୍‌ରେ ପିଏମ୍‌ ମୋଦିଙ୍କ ଦମ୍ଭୋକ୍ତି