ବିବାହକୁ ଅକ୍ଷୁଣ୍ଣ, ସ୍ଥାୟୀ କରିବାକୁ ବର୍ଷାଙ୍କ ପିଟିସନ୍‌; ଅନୁଭବଙ୍କୁ ପରିବାର ଅଦାଲତରୁ ନୋଟିସ୍‌

କଟକ,୨୧/୧୦ : ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ତାଙ୍କ ବିବାହକୁ ସ୍ଥାୟୀ ଓ ଅକ୍ଷୁଣ୍ଣ ରଖିବା ଲାଗି ରୁଜୁ ମାମଲାକୁ କଟକର ପରିବାର ଅଦାଲତ ବିଚାର ପାଇଁ ଗ୍ରହଣ କରିଛନ୍ତି । ଏଥିସହ ମାମଲାରେ ଅଦାଲତ ବର୍ଷାଙ୍କ ସ୍ୱାମୀ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ଜବାବ ଦାଖଲ ଲାଗି ନୋଟିସ୍‌ କରିଛନ୍ତି । ଡିସେମ୍ବର ୧୬ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଛି ।

ବର୍ଷା ହିନ୍ଦୁ ମ୍ୟାରେଜ୍‌ ଆଇନର ଧାରା ୯ରେ ଏହି ମାମଲା ରୁଜୁ କରିବା ସହ ସେମାନଙ୍କ ବୈବାହିକ ସମ୍ପର୍କକୁ ଚିରସ୍ଥାୟୀ କରାଯାଉ ବୋଲି ପ୍ରାର୍ଥନା କରିଛନ୍ତି । ସ୍ୱୟଂ ଅଦାଲତ ହୁଅନ୍ତୁ ଅବା କୌଣସି ମଧ୍ୟସ୍ଥିଙ୍କ ଦ୍ୱାରା ତାଙ୍କ ସମ୍ପର୍କକୁ ପୁଣି ଥରେ ଯୋଡ଼ି ଦିଆଯାଉ ବୋଲି ପିଟିସନ୍‌ ଜରିଆରେ ନିବେଦନ କରିଛନ୍ତି । ସ୍ୱାମୀ ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା ହାଉସ୍‌ ପରିବାର ଅଦାଲତରେ ବିବାହ ବିଚ୍ଛେଦ ପାଇଁ ଯେଉଁ ମାମଲା ରୁଜୁ କରିଛନ୍ତି ତାହାକୁ ଖାରଜ କରାଯାଉ ବୋଲି ପିଟିସନ୍‌ ଜରିଆରେ ସେ ପ୍ରାର୍ଥନା କରିଛନ୍ତି । ମାମଲାର ପ୍ରାଥମିକ ଶୁଣାଣି କରି ଅଦାଲତ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି ।