ଏବେଠୁ ଅସମ୍ଭାଳ, ଆଗକୁ ସ୍ଥିତି ବିଗିଡ଼ିବା ଆଶଙ୍କା

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ମାର୍ଚ୍ଚ ଶେଷ ହୋଇନି, ତଥାପି ଦିନ ୧୦ଟା ବେଳକୁ ଘରୁ ବାହାରି ହେଉନି । ପଦାକୁ ପାଦ କାଢ଼ିବା ମାତ୍ରେ ଦେହହାତ ଜଳି ଗଲା ଭଳି ଲାଗୁଛି । ଆକାଶରୁ ଅଗ୍ନିବର୍ଷା ଭଳି ଅନୁଭବ ହେଉଛି । ଦିନ ୧୨ଟା ବେଳକୁ ସ୍ଥିତି ଅସମ୍ଭାଳ ହୋଇଯାଉଛି । ଦି ପାହୁଣ୍ଡ ବାଟ ଯିବାକୁ ଡର ଲାଗୁଛି । ମୁଣ୍ଡରେ ଓଦା କପଡ଼ା ନପକାଇଲେ ବାହାରକୁ ବାହାରି ହେଉନି ।

ମଧ୍ୟାହ୍ନରେ ରାସ୍ତାଘାଟ ଶନୂଶାନ ହୋଇଯାଉଛି । କାଁ ଭାଁ ଗାଡି ମୋଟର ଚାଲୁଛି । ଜରୁରୀ ପରସ୍ଥିତି ନହେଲେ ଲୋକମାନେ ଘରୁ ବାହାରୁ ନାହାନ୍ତି । ଅପରାହ୍ନ ୫ଟା ପର୍ଯ୍ୟନ୍ତ ଉତ୍ତାପ ଲାଗି ରହୁଛି । ସେପଟେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ହାଟ ବଜାର ବି ପ୍ରଭାବିତ ହୋଇଛି । ୟୁନିଟ୍‌-୧ ହାଟ, ୟୁନିଟ୍‌-୨ ମାର୍କେଟ୍‌ ବିଲ୍ଡିଂ, ୟୁନିଟ୍‌-୪ ହାଟ, ଡମଣା ହାଟ, ସୁନ୍ଦରପଦା ହାଟ, ଚନ୍ଦ୍ରଶେଖରପୁର ହାଟରେ ଦୋକାନ ବଜାର ଦିନ ୧୧ଟା ବେଳକୁ ବନ୍ଦ ହୋଇଯାଉଛି । ସନ୍ଧ୍ୟା ୫ଟା ପରେ ପୁଣି ପରିସ୍ଥିତି ସ୍ୱାଭାବିକ ହେଉଛି । ପରିତାପର ବିଷୟ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଅଂଶୁଘାତ ମୁକାବିଲା ପାଇଁ କୌଣସି ଆଶୁ ପଦକ୍ଷେପ ନିଆଯାଇନାହିଁ । ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା ତ’ ଦୂରର କଥା । ଜଳଉତ୍ସ ଗୁଡିକର ଅବସ୍ଥା ବି ପରଖାଯାଇନି । ଗଣମାଧ୍ୟମ ଓ ଦୂରଦର୍ଶନ
ମାଧ୍ୟମରେ ବି ଅଂଶୁଘାତ ପ୍ରତିହତ ପାଇଁ କୌଣସି ସଚେତନତାମୂଳକ ବାର୍ତ୍ତା ପ୍ରଶାସନ ଏଯାଏ ଜାରି କରିନାହିଁ । ଖରା ପ୍ରକୋପ ସାଙ୍ଗକୁ ରାଜଧାନୀର ବିଭିନ୍ନ ସ୍ଥାନରେ ଏବେଠୁ ଦେଖାଦେଲାଣି ଉତ୍କଟ ଜଳ ସମସ୍ୟା । ଅନେକ ସ୍ଥାନରେ କୂଅ ଶୁଖି ଗଲାଣି । ନଦୀ, ନାଳ ଶୁଖିଲା । ବୋରିଂରେ ପାଣି ଆସୁନି ।

ଲୋକମାନେ ତ୍ରାହି ତ୍ରାହି ଡାକିଲେଣି । ପାଣିପାଗ ବିଭାଗର ପୂର୍ବାନୁମାନ, ଏଥର ଅଗଷ୍ଟ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଲାଗି ରହିବ । ଏହି ଖବର ଜାଣିବା ପରେ ଏବେ ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକମାନେ ଚିନ୍ତାରେ ପଡ଼ିଗଲେଣି । ଯଦି ଏବେଠୁ ଏଭଳି ସ୍ଥିତି ହେଲାଣି ତେବେ ଆଗକୁ କିଭଳି ଭାବେ ପରିସ୍ଥିତିକୁ ସାମ୍ନା କରିବେ ତାକୁ ନେଇ ବ୍ୟସ୍ତ ହୋଇପଡ଼ିଛନ୍ତି । ଆଜି ରାଜଧାନୀରେ ପାରଦ ପାଖାପାଖି ୪୦ ଡିଗ୍ରୀ ଛୁଇଁ ଥିଲା । ସକାଳୁ ଉଠିବା ବେଳକୁ ଝାଳରେ ଦେହ ଓଦା ହୋଇଯାଇଥିଲା । ଦିନ ୮ଟାରୁ ଧୀରେ ଧୀରେ ତାତି ବଢ଼ିଥିଲା । ଅବଶ୍ୟ ମଧ୍ୟାହ୍ନରେ ପାଗ ସାମାନ୍ୟ ବଦଳିଥିଲା । ଆକାଶ ମେଘାଚ୍ଛନ୍ନ ହୋଇଥିଲା । ହେଲେ ଗୁଳଗୁଳି ଲାଗି ରହିଥିଲା ।

   ସମ୍ବନ୍ଧିତ ଖବର


୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର

ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା