ଭାଇସ ଆଡମିରାଲ କରମବୀର ସିଂହ ହେବେ ଆଗାମୀ ନୌସେନା ମୁଖ୍ୟ

ନୂଆଦିଲ୍ଲୀ,୨୩।୩: ଭାଇସ୍ ଆଡମିରାଲ କରମବୀର ସିଂହଙ୍କୁ ନୌସେନାର ନୂତନ ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଏ ସମ୍ପର୍କରେ ଆଜି ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଆଡମିରାଲ ସୁନିଲ ଲାମ୍ବାଙ୍କ ସ୍ଥାନରେ କରମବୀର ସିଂହଙ୍କୁ ନିଯୁକ୍ତ କରାଯାଇଛି। କାରଣ ଆସନ୍ତା ୩୧ ମଇରେ ବର୍ତ୍ତମାନର ନୌସେନାଧ୍ୟକ୍ଷ ସୁନିଲ ଲାମ୍ବା ଅବସର ଗ୍ରହଣ କରିବେ। ଲାମ୍ବା ୨୦୧୬ ମଇରେ ନୌସେନାଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ୩ ବର୍ଷର କାର୍ଯ୍ୟକାଳ ତାଙ୍କର ଶେଷ ହେବାକୁ ଥିବା ବେଳେ କରମବୀର ସିଂହ ଏବେ ଭାରତୀୟ ନୌସେନାର ୨୪ ତମ ମୁଖ୍ୟ ହେବେ।
Govt of India appoints Vice Admiral Karambir Singh PVSM AVSM ADC as the next Chief of the Naval Staff. To assume charge on superannuation of Admiral Sunil Lanba on 31 May 19 @SpokespersonMoD @DefenceMinIndia @nsitharaman @DrSubhashMoS @PMOIndia @rajatpTOI @rahulsinghx pic.twitter.com/NSnaOUKeiy
— SpokespersonNavy (@indiannavy) March 23, 2019
ଏବେ ଭାଇସ୍ ଆଡମିରାଲ କରମବୀର ସିଂହ ବିଶାଖାପାଟନମରେ ଥିବା ପୂର୍ବ ନୌସେନା ୟୁନିଟର ଫ୍ଲାଗ ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବରେ କାର୍ଯ୍ୟରତ। ୩୧ ଅକ୍ଟୋବର ୨୦୧୭ରେ ସେ ଦାୟିତ୍ବ ଗ୍ରହଣ କରିଥିଲେ। ୩୯ ବର୍ଷର ତାଙ୍କର କ୍ୟାରିୟର ଭିତରେ ତାଙ୍କୁ ଅତି ବିଶିଷ୍ଟ ସେବା ପଦକ ଓ ପରମ ବିଶିଷ୍ଟ ସେବା ପଦକ(୨୦୧୮)ରେ ସମ୍ମାନିତ କରାଯାଇଥିଲା। କରମବୀର ସିଂହ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ), ଖଡକଭାସଲାର ପୂର୍ବତନ ଛାତ୍ର ରହିସାରିଛନ୍ତି। ସେ ଜୁଲାଇ ୧୯୮୦ରେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ। ଏନଡିଏରୁ ଆସିବା ପୂର୍ବରୁ ସେ ମହାରାଷ୍ଟ୍ରର ବୋର୍ନେସ ସ୍କୁଲ, ଦେଭଲାଲୀରୁ ସ୍ନାତକ ଶିକ୍ଷା ଶେଷ କରିଥିଲେ।
ଜଳନ୍ଧରର ମୂଳବାସିନ୍ଧା କରମବୀର ସିଂହ ଦେଶର ବିଭିନ୍ନ ସହରରେ ଶିକ୍ଷା ଗ୍ରହଣ କରିଛନ୍ତି। କାରଣ ତାଙ୍କର ବାପା ଭାରତୀୟ ବାୟୁସେନାରେ ଓ୍ବିଙ୍ଗ କମାଣ୍ଡର ଭାବରେ କାର୍ଯ୍ୟ କରୁଥିଲେ। ଇଣ୍ଡିଆନ୍ କୋଷ୍ଟଗାର୍ଡ ସିପ୍ ଚାନ୍ଦବିବି, ଯୁଦ୍ଦ ଜାହାଜ ଆଇଏନ୍ଏସ୍ ବିଜୟଦୁର୍ଗ (ମିଶାଇଲ ସିପ୍) ବ୍ୟତୀତ ଆଇଏନ୍ଏସ ରାଣା ଓ ଆଇଏନଏସ ଦିଲ୍ଳୀ ଭଳି ୪ଟି ବଡ ଓ ଗୁରୁତ୍ବପୂର୍ଣ୍ଣ ଜାହାଜ ତାଙ୍କ ନିୟନ୍ତ୍ରଣରେ ରହିସାରିଛି। କେବଳ ସେତିକି ନୁହେଁ ସେ ଜଣେ ହେଲିକପ୍ଟର ପାଇଲଟ୍ ମଧ୍ୟ, ଏଚଏଲଏଲ ଚେତକ ଓ କାମୋସ୍-୨୫ ହେଲିକପ୍ଟର ଚଳାଇବାର ମଧ୍ୟ ଅନୁଭବ ରହିଛି।