ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଜିଆରଏସ୍: ଦୁଇ ହଜାର ଲାଞ୍ଚ ନେବା ବେଳେ ଗିରଫ

ଭୁବନେଶ୍ୱର ୧୬/୧୦: ଦୁଇ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ପିପିଲି ବ୍ଲକ୍‌ କୁଳଶିଖରପାଟଣା ପଞ୍ଚାୟତର ଗ୍ରାମ ରୋଜଗାର ସେବକ (ଜିଆରଏସ୍‌) ଲକ୍ଷ୍ମୀପ୍ରିୟା ସାହୁ । ଭିଜିଲାନ୍ସ ବିଭାଗ ଲକ୍ଷ୍ମୀପ୍ରିୟାଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଭିଜିଲାନ୍ସ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ପିପିଲି ଥାନା ବରାଗଡ ଗାଁର ସିପୁ ସ୍ୱାଇଁ ବିଜୁ ପକ୍କା ଘର ଯୋଜନାରେ ଘର ପାଇଥିଲେ । ଠିକ୍‌ ସମୟରେ ଘର କରିଥିବାରୁ ୨୦ହଜାର ଟଙ୍କା ବୋନସ୍‌ ପାଇବାକୁ ଯୋଗ୍ୟ ଥିଲେ ଉକ୍ତ ଟଙ୍କା ପାଇବା ପାଇଁ ସିପୁ ଜିଆରଏସ୍‌ ଲକ୍ଷ୍ମୀପ୍ରିୟାଙ୍କ ନିକଟକୁ ଯାଇଥିଲେ । ଉକ୍ତ ଟଙ୍କା ନେବାକୁ ହେଲେ ୪ ହଜାର ଟଙ୍କା ଲାଞ୍ଚ ଦେବାକୁ ପଡ଼ିବ ବୋଲି ଲକ୍ଷ୍ମୀପ୍ରିୟା କହିଥିଲେ । ଲକ୍ଷ୍ମୀପ୍ରିୟା ଓ ସିପୁଙ୍କ ମଧ୍ୟରେ ମୁଲଚାଲ ପରେ ୨ ହଜାର ଟଙ୍କାରେ କଥା ଛିଡ଼ିଥିଲା ।

ତେବେ ଏନେଇ ସିପୁ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍‌ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଲକ୍ଷ୍ମୀପ୍ରିୟାଙ୍କ କହିବା ସ୍ଥାନକୁ ଟଙ୍କା ନେଇ ଯାଇଥିଲେ ସିପୁ । ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀ ଲକ୍ଷ୍ମୀପ୍ରିୟାଙ୍କୁ ଗିରଫ କରିଥିଲେ । ପରେ ଭିଜିଲାନ୍ସର ଦୁଇଟି ଟିମ୍‌ ଲକ୍ଷ୍ମୀପ୍ରିୟାଙ୍କ ଘରେ ଚଢ଼ାଉ କରିଥିଲେ ବି ତାଙ୍କ ନାମରେ କେତେ ବେନାମୀ ସମ୍ପତ୍ତି ଅଛି ତାହା ଜଣା ପଡ଼ିନାହିଁ ।

ଅନ୍ୟ ପକ୍ଷରେ ଲକ୍ଷ୍ମୀପ୍ରିୟାଙ୍କ ଗିରଫ ପଛରେ ରାଜନୈତିକ ଷଡଯନ୍ତ୍ର ଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । କୋଠାଘର ଥିବା ଲୋକଙ୍କୁ ବିଜୁ ପକ୍କାଘର ଯୋଗାଇ ଦେବାକୁ ଲକ୍ଷ୍ମୀପ୍ରିୟାଙ୍କ ଉପରେ ଚାପ ପଡୁଥିବା ତାଙ୍କ ପରିବାର ଲୋକେ କହିଛନ୍ତି । କିନ୍ତୁ ତାହା ସେ ନକରିବାରୁ ଷଡଯନ୍ତ୍ର କରି ତାଙ୍କୁ ଫସା ଯାଇଥିବା ଲକ୍ଷ୍ମୀପ୍ରିୟାଙ୍କ ଦେଢ଼ଶୁର କହିଛନ୍ତି ।

   ସମ୍ବନ୍ଧିତ ଖବର


ଅଗ୍ନିଶମ ବିଭାଗରେ ଅଦଳ ବଦଳ

ଶୂନ୍ୟକାଳରେ ଟୋକନ୍ ତାତି : ଦିନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ୱରର ସବୁ ଆହାର କେନ୍ଦ୍ରକୁ ଆଇଏସ୍‌ଓ ମାନ୍ୟତା

ଆଜିଠୁ ସୋଆରେ ‘ଗ୍ଲୋବାଲ୍‌ ମଦର୍ସ’ ଅନ୍ତର୍ଜାତୀୟ ସମ୍ମିଳନୀ