ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଅଭାବନୀୟ ଦୃଶ୍ୟ ! ନିଜେ ଖଟିଆ ଆଣି ଭର୍ତ୍ତି ହେଲେ ରୋଗୀ

ବଲାଙ୍ଗୀର ୩୦/୧୧: ବଲାଙ୍ଗୀର ଜିଲ୍ଲା ମୁଖ୍ୟଚିକିତ୍ସାଳୟ, ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲକୁ ଉନ୍ନୀତ ହେବା ପରେ ଭିତ୍ତିଭୂମିରେ ଅନେକ ପରିବର୍ତ୍ତନ ଆସିଛି । କିନ୍ତୁ ହସ୍ପିଟାଲରେ ପ୍ରତିଦିନ ବଢୁଥିବା ରୋଗୀ ସଂଖ୍ୟା ତୁଳନାରେ ଏପର୍ଯ୍ୟନ୍ତ ଶଯ୍ୟା ବ୍ୟବସ୍ଥା କରାଯାଇପାରୁନି । ଫଳରେ ହସ୍ପିଟାଲରେ ଭର୍ତ୍ତି ହେବାକୁ ଯାଉଥିବା ରୋଗୀ ସାଥିରେ ବେଡ଼ ନେଇକି ଯିବାକୁ ପଡ଼ୁଛି । ଏଭଳି ଏକ ଅଜବ ଚିତ୍ର ଦେଖିବାକୁ ମିଳିଛି ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲର ସର୍ଜରୀ ୱାର୍ଡ଼ରେ । ତିନିଦିନ ହେଲା ସେଠାରେ ଭର୍ତ୍ତି ହୋଇଥିବା ଜଣେ ସିଆରପିଏଫ ଯବାନଙ୍କୁ ବେଡ଼ ନମିଳିବାରୁ ସେ ନିଜେ ଖଟିଆ ଆଣି ସେଥିରେ ଚିକିତ୍ସା ହେଉଛନ୍ତି ।

ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲ ଉପରେ ବଲାଙ୍ଗୀର ସମେତ ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା ଆଦି ଜିଲ୍ଲାର ରୋଗୀ ନିର୍ଭର କରିଥାନ୍ତି । ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସମୟରେ ବି ଉକ୍ତ ଜିଲ୍ଲାରୁ ରୋଗୀ ଆସୁଥିବା ବେଳେ ଏବେ ସେହି ସଂଖ୍ୟା ଆହୁରି ବଢ଼ିଯାଇଛି । କିନ୍ତୁ ରୋଗୀ ତୁଳନାରେ ଶଯ୍ୟା, ସାଲାଇନ ଷ୍ଟାଣ୍ଡ, ଔଷଧ ଭଳି ସାମାନ୍ୟ ସୁବିଧା ଉପଲବ୍ଧ ହୋଇପାରୁନାହିଁ । ଫଳରେ ହସ୍ପିଟାଲରେ ଯେତିକି ଶଯ୍ୟା ବ୍ୟବସ୍ଥା ରହିଛି, ତାଠାରୁ ଅଧିକ ରୋଗୀ ତଳେ ଶୋଇଥିବା ବେଳେ ଝରକା ଏବଂ କାନ୍ଥ କଣ୍ଟାକୁ ସାଲାଇନ ଝୁଲାଇବା କାମରେ ବ୍ୟବହାର କରୁଛନ୍ତି । ଏଭଳି ଅବସ୍ଥାରେ ୩ଦିନ ତଳେ ଶାନ୍ତିପଡ଼ାସ୍ଥିତ ସିଆର୍‌ପିଏଫ ୧୮୯ ବଟାଲିୟନର ଜଣେ ଯବାନ ଶତିଶ କୁମାର (୨୮) ନାମକ ଯବାନ ଭର୍ତ୍ତି ହେବାକୁ ଆସିଥିଲେ । ମେଡ଼ିସିନ ୱାର୍ଡ଼ରେ ପୂର୍ବରୁ ଶଯ୍ୟାରେ ରୋଗୀ ଭର୍ତ୍ତି ରହିଥିବା ବେଳେ ତଳେ ମଧ୍ୟ ଶୋଇଥିଲେ ।

ଏପଟେ ବିଭାଗର ପରିମଳ ବ୍ୟବସ୍ଥା ମଧ୍ୟ ଅତ୍ୟନ୍ତ ଖରାପ ରହିଥିଲା । ତେଣୁ କିଛି ସମୟ ଅପେକ୍ଷା କଲା ପରେ ସିଆରପିଏଫ କ୍ୟାମ୍ପରୁ ଏକ ଖଟିଆ ନେଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଶତିଶ ପ୍ରକାଶ କରିଛନ୍ତି ।
ହସ୍ପିଟାଲ ଅଧିକ୍ଷକ ଡ. ମହେନ୍ଦ୍ର ନାୟକ ଘଟଣାକୁ ସ୍ୱୀକାର କରିବା ସହ ମେଡିକାଲ କଲେଜ ହେବା ପରେ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବା କହିଥିଲେ । ବିଭିନ୍ନ ୱାର୍ଡରେ ସମୁଦାୟ ୪୪୮ ବେଡ ରହିଛି, ହେଲେ ପ୍ରତିଦିନ ପ୍ରାୟ ୩ ଶହ ନୂଆ ରୋଗୀ ଭର୍ତ୍ତି ହେଉଥିବା ବେଳେ ପ୍ରାୟ ଶହେ ରୋଗୀ ଡିସ୍‌ଚାର୍ଜ ହେଉଛନ୍ତି । ତେଣୁ ବେଡ ମିଳିବାରେ ସମସ୍ୟା ହେଉଛି । ଖୁବଶୀଘ୍ର ପ୍ରସ୍ତାବିତ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ସରିଲେ ଏହି ସମସ୍ୟାର ସମାଧାନ ହେବ ବୋଲି କହିଥିଲେ ।

   ସମ୍ବନ୍ଧିତ ଖବର


୭ ବର୍ଷର ଝିଅକୁ ଧରି ପ୍ରେମିକ ସହ ଚମ୍ପଟ ମାରିଲେ ମହିଳା, ବିଚରା ସ୍ୱାମୀ ଥାନାରେ କରୁଛି ଗୁହାରୀ

କରୋନା ସହ ୧୨ଦିନର ଲଢେଇ ପରେ ଆଖିବୁଜିଲେ କଳାକାର: ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମ ପ୍ରସାଦ ପଟ୍ଟନାୟକଙ୍କ ଦେହାନ୍ତ

ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆସିଲା ରାୟ: ପ୍ରେମିକ ସମେତ ୨ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା

ସାମାନ୍ୟ କଥାରୁ ବୀଭତ୍ସ ହତ୍ୟାକାଣ୍ଡ: ପତ୍ନୀର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ସ୍ୱାମୀ, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର

ଆଖି ବୁଜିଲା ସନ୍ଧାନୀ କୁକୁର ଗ୍ରେସିଇ, ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଦିଆଗଲା ଶ୍ରଦ୍ଧାଞ୍ଜଳୀ