୫-ଟି’ ରିଆଲିଟି ଚେକ୍: ରୋଗୀଙ୍କୁ ଭେଟିଲେ, ‘ଆହାର’ ଖାଇଲେ ପାଣ୍ଡିଆନ୍‌

ଭୁବନେଶ୍ୱର, ୧୨/୧୦: ମୁଖ୍ୟମନ୍ତ୍ରୀଙ୍କ ‘୫-ଟି’ ମନ୍ତ୍ର ଡାକ୍ତରଙ୍କୁ କାଟୁ କରିଛି କି ନାହିଁ, ସତରେ ଲୋକ ‘ମୋ ସରକାର’ର ସୁଫଳ ପାଉଛନ୍ତି କି ନାହିଁ, ଏହାର ସରଜମିନ ତଦନ୍ତ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫-ଟି ସଚିବ ଭି କେ ପାଣ୍ଡିଆନ ସିଧା ଡାକ୍ତରଖାନାରେ ପହଞ୍ଚିଥିଲେ । ଫୁଲବାଣୀ, ବୌଦ୍ଧ ଓ ନୟାଗଡ଼ ଡାକ୍ତରଖାନାରେ ପହଞ୍ଚି ରୋଗୀଙ୍କ ଭଲମନ୍ଦ ବୁଝିଥିଲେ । ଆହାର କେନ୍ଦ୍ରରେ କେମିତିକା ‘ଆହାର’ ମିଳୁଛି, ପରିଖିଥିଲେ । ରାଜ୍ୟ ପ୍ରଶାସନର ଏଇ ଦୁଇ ମୁଖିଆଙ୍କ ଅଚାନକ ଡାକ୍ତରଖାନା ପରିଦର୍ଶନ କର୍ମଚାରୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଥିଲାବେଳେ ସାଧାରଣ ଜନତା କିନ୍ତୁ ଆଶ୍ୱସ୍ତିର ରାହା ପାଇଛନ୍ତି ।

ଶୁକ୍ରବାର ପୂର୍ବାହ୍ନ ୯ଟା ବେଳେ ହେଲିକପ୍ଟର ଯୋଗେ ଉଭୟ ପହଞ୍ଚିଥିଲେ କନ୍ଧମାଳ ଜିଲ୍ଲା ଗୁଦାରିଠାରେ । ସାଙ୍ଗରେ ଥିଲେ ଏନ୍‌ଆର୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ସେମାନେ ହେଲିକପ୍ଟରରୁ ଓହ୍ଲାଇ ସିଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ପ୍ରଥମେ ମାତୃ ଓ ଶିଶୁ ବିଭାଗ ପ୍ରଦର୍ଶନ କରିଥିଲେ । ଶଯ୍ୟା ଅଭାବରୁ ରୋଗୀମାନେ ଚଟାଣରେ ଚିକିତ୍ସିତ ହେଉଥିବା ଦେଖି ସଭିଏଁ ଅସନ୍ତୋଷ ପ୍ରକାଶ କରିଥିଲେ । କିନ୍ତୁ ସିଡିଏମ୍‌ଓଙ୍କ ସଫେଇ ଥିଲା ଟିକେ ନିଆରା । ଆମର ଏଠି ଯେତିକି ଶଯ୍ୟା ରହିଛି, ତାହାଠୁ ଢେର୍‌ ଅଧିକ ରୋଗୀ ଆସୁଛନ୍ତି ।

ଏଣୁ ଏଭଳି ସମସ୍ୟା ଦେଖାଦେଉଛି । ହେଲେ ସଭିଙ୍କୁ ଆବଶ୍ୟକ ଚିକିତ୍ସା ଓ ଔଷଧ ଯୋଗାଇ ଦିଆଯାଉଛି ବୋଲି ସେ କହିଥିଲେ । ଶ୍ରୀ ତ୍ରିପାଠୀ ଡାକ୍ତରଖାନାରେ ଶଯ୍ୟା ବଢ଼ାଇବା ପାଇଁ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ସେମାନେ ଆଉଟ୍‌ଡୋର, ସର୍ଜରୀ ୱାର୍ଡ ଓ ଡାଏଲିସିସ୍‌ କେନ୍ଦ୍ର ପରିଦର୍ଶନ କରି ରୋଗୀଙ୍କ ସହ କଥା ହୋଇ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁଛି କି ନାହିଁ, ମାଗଣା ଔଷଧ ଦିଆଯାଉଛି କି ନାହିଁ ବୁଝିଥିଲେ । ଡାକ୍ତରଖାନା ରୋଷେଇ ଘରକୁ ଯାଇ ଖାଦ୍ୟର ପ୍ରସ୍ତୁତି ଓ ମାନ ଅନୁଧ୍ୟାନ କରିଥିଲେ ।

ଫୁଲବାଣୀରୁ ସିଧା ଯାଇ ସାଢ଼େ ୧୧ଟା ବେଳେ ଓହ୍ଲାଇଥିଲେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ । ଡାକ୍ତରଖାନାର ବିଭିନ୍ନ ବିଭାଗ ବୁଲିଥିଲେ, ରୋଗୀଙ୍କ ନିକଟରୁ ଚିକିତ୍ସା ସେବା ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବ୍ୟବହାର ସମ୍ପର୍କରେ ବୁଝିଥିଲେ । ଜିଲ୍ଲା ଚିକିତ୍ସାଳୟର ଉନ୍ନତିକରଣ ପାଇଁ ଖୁବ୍‌ଶୀଘ୍ର ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ଉଭୟ ମୁଖିଆ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ହଠାତ୍‌ ଉଭୟେ ହାଲତ ଦେଖିବାକୁ ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ର ଆଡ଼େ ମୁହାଁଇଥିଲେ । ୫ ଟଙ୍କିଆ ଟିକେଟ୍‌ କାଟି ଧାଡ଼ିରେ ଛିଡ଼ା ହୋଇ ଥାଳି ବଢ଼ାଇଲେ । ସାଧାରଣ ଲୋକଙ୍କ ଭଳି ଭାତ, ଡାଲ୍‌ମା ଖାଇଲେ । ଆହାର ଖାଦ୍ୟର ମାନ ଯାଞ୍ଚ କଲେ । ପରେ ମୁଖ୍ୟ ସଚିବ ଓ ୫-ଟି ସଚିବ ବୌଦ୍ଧ ଆଞ୍ଚଳିକ ପରିବହନ କେନ୍ଦ୍ରକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ ।

ସେମାନଙ୍କ ତୃତୀୟ ଟାର୍ଗେଟ ଥିଲା ନୟାଗଡ଼ । ଅପରାହ୍ଣ ୨ଟା ୧୦ରେ ପହଞ୍ଚି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ୱାର୍ଡ ଓ ଡାଏଲିସିସ୍‌ ୱାର୍ଡ ବୁଲି ଦେଖିଥିଲେ । ଡାକ୍ତରଖାନାରେ ରୋଗୀମାନଙ୍କ ସହ ଉତ୍ତମ ବ୍ୟବହାର କରିବା ସହ ବିରକ୍ତ ନ ହେବାକୁ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ । ନିରାମୟ ଯୋଜନାରେ ରୋଗୀମାନଙ୍କୁ ଔଷଧ ପ୍ରଦାନ ସହ ଡାକ୍ତରଖାନା ପରିସରରେ ଦଲାଲଙ୍କୁ ପ୍ରଶ୍ରୟ ନ ଦେବାକୁ ତାଗିଦ କରିଥିଲେ । ମଝିରେ ମଝିରେ ଡାକ୍ତରଖାନା ପରିଦର୍ଶନ କରି ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ସହ ଦଲାଲଙ୍କ ଉପରେ କଡ଼ା ନଜର ରଖିବାକୁ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଡାକ୍ତରଖାନାରେ ଡାକ୍ତର ଓ ଶଯ୍ୟା ଅଭାବ ନେଇ ସିଡିଏମ୍‌ଓ ଡା. ଶ୍ୱେତା ମହାପାତ୍ର ଦୃଷ୍ଟି ଆକର୍ଷଣ କରିଥିଲେ । ସେ ସବୁର ସମାଧାନ ଶୀଘ୍ର କରାଯିବ ବୋଲି ଉଭୟେ ପ୍ରତିଶ୍ରୁତି ଦେଇ ବାହୁଡ଼ିଥିଲେ ଭୁବନେଶ୍ୱରକୁ ।

   ସମ୍ବନ୍ଧିତ ଖବର


ଏଣିକି ଦୋକାନ ନାଁ ଓଡ଼ିଆରେ ନଲେଖିଲେ ଦେବାକୁ ପଡିବ ଜୋରିମାନା

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌-୨୦୨୦: କଳିଙ୍ଗ ଷ୍ଟାଡିୟମରେ ସବୁ ଘରୋଇ ମ୍ୟାଚ୍‌ ଖେଳିବ ଭାରତ

ଆସନ୍ତା୨୪ରେ ପାରାଦୀପରେ ଲାଗିବ ନୌସେନାର ଯୁଦ୍ଧ ଜାହାଜ

ଗଞ୍ଜେଇ ଚାଷ ପାଇଁ ମିଳିବନି ଅନୁମତି, ସ୍ପଷ୍ଟ କଲେ ଅବକାରୀ ସଚିବ