ଭୋଟର ତାଲିକା ଅଦଳ ବଦଳକୁ ନେଇ ତାତିଲେ ୱାର୍ଡବାସୀ, ନାମାଙ୍କନ ସରିବା ପୂର୍ବରୁ ଭୋଟ ବର୍ଜନ ଚେତାବନୀ

ନୂଆପଡା, ୨୦/୦୧ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ହେଲାଣି ରାଜନୀତି। ନାମାଙ୍କନ ସରିବା ପୂର୍ବରୁ ଭୋଟ ବର୍ଜନ ଚେତାବନୀ। ଭୋଟର ତାଲିକା ଅଦଳ ବଦଳକୁ ନେଇ ତାତିଲେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର କିଛି ୱାର୍ଡ ବାସିନ୍ଦା।
ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସାବୁ ପଞ୍ଚାୟତର ଭୋଟର ତାଲିକା ପ୍ରସ୍ତୁତ ହୋଇ ସାରିଛି । ଯେଉଁଥିରେ କିଛି ପଞ୍ଚାୟତର ୱାର୍ଡ ତାଲିକାରେ ତ୍ରୁଟି ଦେଖା ଦେଇଛି । କେଉଁଠି ଅନ୍ୟ ୱାର୍ଡର ଭୋଟର ତାଲିକାରେ କାହାର ନାଁ ରହିଛି ତ କିଛି ୱାର୍ଡରେ କିଛି ଭୋଟରଙ୍କ ନାମ ସମ୍ପୂର୍ଣ୍ଣ ବାଦ୍ ପଡିଛି। ସେହିଭଳି ସିନାପାଲି ବ୍ଲକ ସଦର ପଞ୍ଚାୟତ ସ୍ଥିତ ୩ ନମ୍ବର ୱାର୍ଡର ଭୋଟର ତାଲିକା ଅଦଳ ବଦଳ ଘଟଣାରେ ୱାର୍ଡ ବାସିନ୍ଦା ଚଳିତ ନିର୍ବାଚନରେ ସାମିଲ ନହେବା ସହ ଭୋଟ ବର୍ଜନ ପାଇଁ ବିଡ଼ିଓଙ୍କୁ ଦାବି ପତ୍ର ଦେଇଛନ୍ତି । ସିନାପାଲି ସଦର ପଞ୍ଚାୟତର ଭୋଟ ଦାତାମାନେ ପ୍ରତି ନିର୍ବାଚନରେ ଭୋଟ ଦେଉଥିଲେ ମଧ୍ୟ କିଛି ଅଧିକାରୀଙ୍କ ଖାମ ଖିଆଳି ନୀତି ଯୋଗୁଁ ସେମାନଙ୍କର ନାମ ଅନ୍ୟ ୱାର୍ଡକୁ ଚାଲିଯାଇଥିବାରୁ ୱାର୍ଡ ବାସୀ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।