​ଭୋଟ୍ ଆଉ ଦି’ଦିନ, କର ବା ମର

ଭୁବନେଶ୍ୱର,୧୯ା୪(ବ୍ୟୁରୋ): ମଙ୍ଗଳବାର ଭୋଟ୍‌ । ମଝିରେ ଆଉ ଦି’ ଦିନ । ଖରା ତାତି ସିନା ଟିକିଏ କମିଛି, ଭୋଟ୍‌ ପାରଦ ଆହୁରି ଉପରମୁହାଁ ହୋଇଛି । ମିଶାଣ, ଫେଡାଣ ଚାଲିଛି । ଭୋଟ୍‌ ହିସାବରେ କେଉଁଠି ତ୍ରୁଟି ବିଚ୍ୟୁତି ରହୁଛି, ପରିଚାଳନା ଅବ୍ୟବସ୍ଥାର ସମୀକ୍ଷା ବି ହେଉଛି । କେଉଁ ୱାର୍ଡରେ ପ୍ରତିଦ୍ୱନ୍ଦ୍ୱୀ କେତେ ଆଗରେ? ଦି’ ଦିନରେ ପଲା ଓଲଟପାଲଟ ହୋଇଯିବ କି? ଏହି ଡର ବି ଘାରୁଛି । ଆଖିରୁ ନିଦ ଉଡ଼ିଯାଇଛି । ମୁଣ୍ଡରେ କେବଳ ଚାଲୁଛି ଭୋଟ୍‌ ଆଉ ଭୋଟ୍‌ । ଏହି ଦୁଇଦିନର ପରିଶ୍ରମ, ପରିଚାଳନା ଓ ରଣନୀତି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । ତେଣୁ ପ୍ରାର୍ଥୀମାନେ ଏବେ ‘କର ବା ମର’ ନୀତି ଆପଣାଇଛନ୍ତି ।

ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର ତିନୋଟି ବିଧାନସଭା ଆସନ ରହିଛି ରାଜଧାନୀରେ । ଏକାମ୍ର, ମଧ୍ୟ ଓ ଉତ୍ତର ଭୁବନେଶ୍ୱର । ସାଂସଦ ପ୍ରାର୍ଥୀଙ୍କ ହାରଜିତ୍‌ରେ ଏହି ତିନି ନିର୍ବାଚନମଣ୍ଡଳୀ ଭୋଟ୍‌ରଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ତିନୋଟି ଯାକ ଆସନରେ ସାଂସଦ ଓ ବିଧାୟକ ନିର୍ବାଚନ ନେଇ ଲଢ଼େଇ ବି ଜୋରଦାର ହେଉଛି । କେହି କାହାକୁ ସହଜରେ ଛାଡ଼ିବା ମୁଡ୍‌ରେ ନାହାନ୍ତି । ଶେଷ ଦୁଇଦିନରେ ପ୍ରଚାରକୁ ବ୍ୟାପକ କରିବା ପାଇଁ ସବୁ ପ୍ରକାର ରଣନୀତି କରାଯାଉଛି । ତାରକା ପ୍ରଚାରଠୁ ନେଇ ଇମୋସନାଲ୍‌ ପ୍ରଚାର ପାଇଁ ବି ଯୋଜନା କରିଛନ୍ତି ପ୍ରାର୍ଥୀ ।

ରାଜଧାନୀରେ ଶଙ୍ଖ ଗଡ଼କୁ ସୁରକ୍ଷିତ ରଖିବା ସହ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମାତ୍‌ ଦେବା ପାଇଁ ନିଜେ ବିଜେଡି ସଭାପତି ପ୍ରଚାର ମଙ୍ଗ ସମ୍ଭାଳିଛନ୍ତି । ତିନି ଦିନ ଧରି ଲଗାତାର ନବୀନଙ୍କ ମାରାଥନ୍‌ ରୋଡ୍‌ ସୋ’ ପରେ ବିଜେଡି ଶିବିର ପୂରା ଉତ୍ସାହିତ । ଏକାମ୍ର, ମଧ୍ୟ ଓ ଉତ୍ତରରେ ବିଧାୟକ ପ୍ରାର୍ଥୀଙ୍କ ଆତ୍ମବିଶ୍ୱାସ ବଢ଼ିଛି । ନବୀନଙ୍କ ଜୋରଦାର ପ୍ରଚାରରେ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ବଳ ବି ବଢ଼ିଛି । ତିନି ବିଧାୟକ ପ୍ରାର୍ଥୀ ସକାଳୁ ରାତି ଯାଏଁ ଗଳିକନ୍ଦି ବୁଲୁଛନ୍ତି । ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକମାନେ ନିର୍ବାଚନମଣ୍ଡଳୀ ପାଇଁ ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି । ପ୍ରତି ୱାର୍ଡ ପାଇଁ ଯୋଜନା ହୋଇଛି ।

ବିଜେପି ବି ଏଥର ପୂରା ଦମ୍‌ ଲଗାଇ ଦେଇଛି । ମୋଦିଙ୍କ ଗସ୍ତ ପରଠୁ ବିଜେପି ଆହୁରି ଉତ୍ସାହିତ ହୋଇଛି । ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ୪ ମାସ ଆଗରୁ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ବୁଲୁଥିବାବେଳେ ଏବେ ପ୍ରଚାରକୁ ଆହୁରି ତେଜିଛନ୍ତି । କେତେବେଳେ ପାର୍କରେ ତ କେବେ ବସ୍ତିରେ ପହଞ୍ଚି ଲୋକଙ୍କ ସହ ମିଶୁଛନ୍ତି । ମଧ୍ୟ, ଏକାମ୍ର ଓ ଉତ୍ତରରେ ବିଧାୟକ ପ୍ରାର୍ଥୀ ଘର ଘର ବୁଲୁଛନ୍ତି ।

କଂଗ୍ରେସ ପାଇଁ କୌଣସି ବଡ଼ ନେତା ଏଯାଏଁ ପ୍ରଚାରକୁ ଓହ୍ଲାଇନାହାନ୍ତି । ତଥାପି ତିନୋଟି ଯାକ ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରାର୍ଥୀମାନେ ନିଜ ଉଦ୍ୟମରେ ଘର ଘର ବୁଲି ଭୋଟ୍‌ ମାଗୁଛନ୍ତି । ପ୍ରଚାରରେ ପଛରେ ଥିଲେ ବି ନିଜ ପାରମ୍ପରିକ ଭୋଟ୍‌ ଆଶାରେ ରହିଛି କଂଗ୍ରେସ ।

ସିପିଆଇଏମ୍‌ ସାଂସଦ ପ୍ରାର୍ଥୀ ଜନାର୍ଦ୍ଦନ ପତି ବି ଜୋରଦାର ପ୍ରଚାର ଚଳାଇଛନ୍ତିି । ବାମ ଦଳ ସହ କଂଗ୍ରେସ ଭୋଟକୁ ନିଜ ସପକ୍ଷରେ ଟାଣିବା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି । ଅନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀମାନେ ବି ମଇଦାନ ଛାଡିନାହାନ୍ତି । ନିଜ ନିଜ ଉଦ୍ୟମରେ ପ୍ରଚାର ଚଳାଇଛନ୍ତି ।


 ବର୍ତ୍ତମାନ ତିନି ଦଳର ପ୍ରମୁଖ ପ୍ରାର୍ଥୀମାନେ ସକାଳୁ ପ୍ରଚାର ଆରମ୍ଭ କରି ଦେଉଛନ୍ତି । ଦି’ ପହରରେ ବିଶ୍ରାମ ନେବା ବଦଳରେ କର୍ମୀଙ୍କ ସହ ବୈଠକ କରୁଛନ୍ତି । ରାତି ୧୦ଟା ଯାଏଁ ପ୍ରଚାର କରିବା ପରେ ପୁଣି ଚାଲୁଛି ବୈଠକ । ବିଭିନ୍ନ ୱାର୍ଡର କର୍ମୀମାନଙ୍କ ସହ ତୁହାକୁ ତୁହା ଆଲୋଚନା ହେଉଛି । ଆସନ୍ତାକାଲିର ପ୍ରଚାର ପାଇଁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେଉଛି । ହ୍ୱାଟସ୍‌ ଗ୍ରୁପ୍‌ରେ କର୍ମୀଙ୍କୁ ଅବଗତ କରାଯାଉଛି । ଏହାପରେ ବିଳମ୍ବିତ ରାତିରେ ରୁଦ୍ଧଦ୍ୱାର ବୈଠକ ବସୁଛି । ବର୍ତ୍ତମାନ ସବୁ ପ୍ରାର୍ଥୀଙ୍କ ପାଇଁ ଚାଲେଞ୍ଜ-ଦୁଇଦିନରେ କେତେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ ହେବ । ଅସନ୍ତୁଷ୍ଟ ସହଯୋଗୀଙ୍କୁ ମନାଇବା ପାଇଁ ଶେଷ ଉଦ୍ୟମ ବି ଚାଲିଛି । ନିଜ ଭୋଟ୍‌କୁ କେମିତି ବୁଥ୍‌ ଯାଏଁ ଅଣାଯିବ, ସେଥିପାଇଁ ସବୁ ପ୍ରାର୍ଥୀ ସଂଗଠନର ଯୁବକମାନଙ୍କ ଉପରେ ଭରସା କରିଛନ୍ତି । ସେମାନଙ୍କୁ ସବୁ ପ୍ରକାର ସହଯୋଗ ଦିଆଯାଉଛି । ଭୋଟ୍‌ ଦିନ ଯେମିତି ଭୋଟରଙ୍କୁ ବୁଥ୍‌ ପର୍ଯ୍ୟନ୍ତ ଆଣିବେ, ସେଥିପାଇଁ ରଣନୀତି ଚାଲିଛି । ଚିରୁକୁଟି ବଣ୍ଟା କାମ ବି ଆରମ୍ଭ ହୋଇଗଲାଣି । ଏଥିପାଇଁ ପ୍ରତି ବୁଥ୍‌ରେ ସବୁ ଦଳର ସ୍ୱତନ୍ତ୍ର ଗ୍ରୁପ୍‌ ଗଠନ ହୋଇଛି ।