ସ୍ମାର୍ଟ ସିଟି ବାସିନ୍ଦା ଏମିତି…କଥା ପ୍ରବଳ, ମତଦାନ ଦୁର୍ବଳ

ଭୁବନେଶ୍ୱର,୨୧ା୪(ବ୍ୟୁରୋ): ଇଏ ହେଉଛି ସ୍ମାର୍ଟ ସିଟି ଭୁବନେଶ୍ୱର । ରାଜ୍ୟ ରାଜନୀତିର ମୂଳ ପିଣ୍ଡ । ଏଠି ଦିନ ତମାମ ଚାଲେ ରାଜନୀତି ଗପ । ଚା’ ଖଟିରୁ ନେଇ ସରକାରୀ ଦପ୍ତର ଯାଏଁ ସବୁଠି ରାଜନୀତି ଚର୍ଚ୍ଚା । କଥାରେ କଥାରେ ନେତାକୁ ହରାଇ ଦିଅନ୍ତି, ପୁଣି କାହାକୁ ଜିତାଇ ଦିଅନ୍ତି । ଖାଲି ସେତିକି ନୁହେଁ, ଗଣମାଧ୍ୟମ ଦେଖିଲେ ପାଟିରେ ବାଡ଼ ବତା ନଥାଏ । ମୁହଁରୁ ସବୁବେଳେ ଆଦର୍ଶ, ପରିବର୍ତ୍ତନ, ହକ୍‌ ଓ ମୌଳିକ ଅଧିକାର କଥା ବଖାଣନ୍ତି । ମାତ୍ର ମତଦାନ ବେଳକୁ ଫୁସ୍‌ । ଛୁଟି ନେଇ ମସ୍ତି କଲେ ପଛେ ଭୋଟ୍‌ କେନ୍ଦ୍ରକୁ ଆସିଲେନି । ଯେଉଁଥିପାଇଁ ଏଥର ବି ମତଦାନରେ ଭୁବନେଶ୍ୱର ବହୁ ପଛରେ । ସାମ୍ବିଧାନିକ ଅଧିକାରରକୁ ସାବ୍ୟସ୍ତ କରିବାରେ ରାଜଧାନୀର ନାଗରିକ ପଛୁଆ ରହିଲେ ।

ଏଥର ବି ଭୁବନେଶ୍ୱରର ତିନୋଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ କମ୍‌ ରହିଛି । ଯଦିଓ ଗଲା ଥରଠୁ ଭୋଟ୍‌ ହାର ସାମାନ୍ୟ ବଢ଼ିଛି, ତାହା ସନ୍ତୋଷଜନକ ନୁହେଁ । ରାଜ୍ୟର ପଛୁଆ ଜିଲ୍ଲାଗୁଡ଼ିକ ମତଦାନରେ ଶିକ୍ଷିତ ତଥା ବୁଦ୍ଧିଜୀବୀଙ୍କ ସହର ଭୁବନେଶ୍ୱରକୁ ଢେର ପଛରେ ପକାଇ ଦେଇଛନ୍ତି ।

ଶେଷ ଖବର ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ମଧ୍ୟ ଭୁବନେଶ୍ୱରରେ ୪୨.୦୩ ପ୍ରତିଶତ, ଉତ୍ତର ଭୁବନେଶ୍ୱରରେ ୩୭.୩୬% ଓ ଏକାମ୍ରରେ ୫୯.୫୦% ମତଦାନ ହୋଇଛି । ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର ଭୋଟ୍‌ ହାର ୫୬.୩୫% ରହିଛି । ଦିନବେଳା ଖରା ଅଧିକ ଥିବାବେଳେ ଅପରାହ୍ନ ୪ଟା ପରେ ଭୋଟ୍‌ ପାଇଁ ସବୁ ବୁଥ୍‌ରେ ଭିଡ଼ ଜମିଥିଲା । ତେଣୁ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିଲାବେଳକୁ ମତ ହାର ଆହୁରି ବଢ଼ିବ । ସ୍ମାର୍ଟ ସିଟି ଭୁବନେଶ୍ୱରର ଏକାମ୍ର ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୭୧ ହଜାର ୫୬୯ । ମଧ୍ୟ ଭୁବନେଶ୍ୱର ଭୋଟର ସଂଖ୍ୟା ୨ ଲକ୍ଷ ୩୨ ହଜାର ୪୫୨ । ଉତ୍ତର ଭୁବନେଶ୍ୱରରେ ଅଛନ୍ତି ୨ ଲକ୍ଷ ୮୮ ହଜାର ୭୯୩ ଭୋଟର । ମତଦାନ ପାଇଁ ଏକାମ୍ରରେ ୨୪୩ଟି ବୁଥ୍‌ ହୋଇଥିବାବେଳେ ଉତ୍ତରରେ ୨୨୬ ଓ ମଧ୍ୟ ଭୁବନେଶ୍ୱରରେ ୧୯୮ଟି ବୁଥ୍‌ ବ୍ୟବସ୍ଥାହୋଇଥିଲା ।

ଭୋଟରଙ୍କୁ ଆକର୍ଷିତ କରିବାକୁ ମଡେଲ୍‌ ବୁଥ୍‌ରେ ରାଜକୀୟ ଆତିଥ୍ୟ ବ୍ୟବସ୍ଥା ଖଞ୍ଜା ଯାଇଥିଲା । ମତଦାନ ହାର ବଢ଼ାଇବାକୁ ନିର୍ବାଚନ ଆୟୋଗ ଟିଭି, ରେଡିଓ ଓ ସୋସିଆଲ୍‌ ମିଡିଆରେ ଘନଘନ ପ୍ରଚାର ଚଳାଇଥିଲେ । ରାସ୍ତାଘାଟରେ ହୋର୍ଡିଂ ଓ ପୋଷ୍ଟର ଛାଇଯାଇଥିଲା । ମାତ୍ର ନିଜକୁ ଶିକ୍ଷିତ ବୁଦ୍ଧିଜୀବୀ କହୁଥିବା ସ୍ମାର୍ଟ ସିଟି ବାସିନ୍ଦା ସଚେତନ ହୋଇପାରିଲେନି ।

ହ୍ୱାଟସ୍‌ ଆପ୍‌, ଫେସ୍‌ବୁକ୍‌, ଟୁଇଟର ଦୁନିଆରେ ବ୍ୟସ୍ତ ରହୁଥିବା ଅନେକ ଯୁବପିଢ଼ି ଆଜି ଭୋଟ୍‌ ଦେବାକୁ ଯାଇନଥିଲେ । ରାଜଧାନୀର ସରକାରୀ ଚାକିରିଆ ମତଦାନ ପାଇଁ ଆଜି ଛୁଟିରେ ଥିଲେ । ସେ ବାବଦରେ ସରକାରଙ୍କଠୁ ଦରମା ବି ପାଇବେ । ମାତ୍ର ଭୋଟ୍‌ କେନ୍ଦ୍ରକୁ ଗଲେ ନାହିଁ । କିଏ ଘରେ ମାଛ ମାଂସ ଖାଇ ଛୁଟି କଟାଇଲା ତ’ ଆଉ କିଏ ସାଙ୍ଗ ସାଥୀ ମେଳରେ ସମୟ କାଟିଲା । କେତେକ ଯୁବପିଢ଼ି ଭୋଟ୍‌ କେନ୍ଦ୍ରକୁ ଯାଇଥିଲେ । ଧାଡ଼ିରେ ବି ଛିଡ଼ାହେଲେ । ମାତ୍ର ଖରା ବଢ଼ିବା ଦେଖି ମୁହଁ ମୋଡ଼ି ପଳେଇ ଆସିଥିଲେ । ଯେଉଁଥି ପାଇଁ ଆଜି ମଧ୍ୟ ଓ ଉତ୍ତରନିର୍ବାଚନ ମଣ୍ଡଳୀରେ ମତଦାନ ହାର ବହୁତ କମ୍‌ ରହିଛି । ଯେତିକିଭୋଟ୍‌ ଆସିଛି, ତା’ର ସିଂହ ଭାଗ ବସ୍ତିରୁ ଆସିଛି । ତେବେ ଏକାମ୍ରରେ ରାଜଧାନୀର ମୂଳ ବାସିନ୍ଦା ଥିବାରୁ ସେଠାରେ ଭୋଟ୍‌ ହାର ଅପେକ୍ଷାକୃତ ଅଧିକା ରହିଛି ।

ଭୋଟ୍‌ ହାର କମିବା ନେଇ ଅନେକ ଲୋକ ସରକାରଙ୍କୁ ଦୋଷ ଦେଇଛନ୍ତି । କିଏ କହିଲାଆମେ କ’ଣ କରିବୁ । ଆମେ ରହୁଛୁ ଏ ୱାର୍ଡରେ । ଭୋଟର ତାଲିକାରେ ନାଁ ରହିଛି ଆଉ ଏକ ୱାର୍ଡରେ । ଭୀମଟାଙ୍ଗୀର ପ୍ରାୟ ୬୦୦ ଭୋଟରଙ୍କ ନାମ ଭୀମପୁର ତାଲିକାରେ ରହିଛି । ସେହିଭଳି ଲିଙ୍ଗରାଜ ନଗରର ଅନେକ ଭୋଟରଙ୍କ ନାମ ବ୍ରହ୍ମେଶ୍ୱର ପାଟଣା ବୁଥ୍‌ରେ ଥିବାରୁ ସେମାନେ ଭୋଟ୍‌ ଦେବାକୁ ଯାଇ ନ ଥିଲେ । ୪ଟି ୱାର୍ଡ ବିଶିଷ୍ଟ ସାଲିଆ ସାହି ବସ୍ତିରେ ବହୁ ପରିବାରର ସଦସ୍ୟଙ୍କ ନାମ ଭିନ୍ନ ଭିନ୍ନ ବୁଥ୍‌ରେରହିଛି । ଏଥିପାଇଁ ସେମାନଙ୍କୁ ଏ ବୁଥ୍‌ରୁ ସେ ବୁଥ୍‌ ଚକ୍କର କାଟିବାକୁ ପଡ଼ିଥିଲା । ଖରା ଯୋଗୁ ବହୁ ଲୋକ ଭୋଟ୍‌ ନ ଦେଇ ଫେରିଥିଲେ ।
ସୂଚନା ଯୋଗ୍ୟ ୨୦୧୪ରେ ମଧ୍ୟରେ ୪୧.୯୫% ମତଦାନ ହୋଇଥିଲା । ଉତ୍ତରରେ ଭୋଟ୍‌ ହାର ୪୧.୩୪% ଓ ଏକାମ୍ରରେ ୪୫.୯୮% ଥିଲା ।

   ସମ୍ବନ୍ଧିତ ଖବର


ଆଜି ହାଫ୍‌, କାଲି ଫୁଲ୍‌ ଛାଡ଼ଖାଇ: ମଟନ୍‌ କେଜି ୭୦୦ ଛୁଇଁବ, ଡିମାଣ୍ଡ୍‌ରେ ରହିବେ ଚିକେନ୍‌ , ମାଛ

ଆଜିଠୁ ସବୁ ରୁଟ୍‌ରେ ଗଡ଼ିଲା ‘ମୋ ବସ୍‌’, କେବଳ ୨୯ନଂ ରୁଟ୍‌ରେ ଗଡ଼ିବନି ବସ୍‌

ଭୀଷଣ ଅବପାତ ରୂପ ନେବ ଲଘୁଚାପ, ଆଜି ବାତ୍ୟାରେ ପରିଣତ ହେବା ସମ୍ଭାବନା: ଆସନ୍ତା ୨ ଓ ୩ ତାରିଖରେ କୁହୁଡ଼ି ସମ୍ଭାବନା

ବିଜେପି ସାଂସଦଙ୍କ ଦାବି: ଟିଏମସିର ୬୨ ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି, ଡିସେମ୍ବର ୧୫ ସୁଦ୍ଧା ଭାଙ୍ଗିଯିବ ମମତା ସରକାର

କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୫ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୯କୁ ବୃଦ୍ଧି

ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍‌: ୨୪ଘଣ୍ଟା ଆଉ ୪୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ୭୨୫କୁ ବୃଦ୍ଧି