ଆଜି ଭୋଟ୍‌: ବିଗ୍‌ ଫାଇଟ୍‌ @ ଭୁବନେଶ୍ୱର

ଭୁବନେଶ୍ୱର,୨୨ା୪(ବ୍ୟୁରୋ): ରାଜଧାନୀରେ ଏଥର ବିଗ୍‌ ଫାଇଟ୍‌ । ଭୁବନେଶ୍ୱର ଲୋକସଭା ଆସନ ସହ ୩ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଟକ୍କର ଜୋରଦାର । ହାଇପ୍ରୋଫାଇଲ୍‌ ପ୍ରାର୍ଥୀ, ତାରକା ପ୍ରଚାର ସାଙ୍ଗକୁ ଘନଘନ ବୋମା ମାଡ଼ ଭୁବନେଶ୍ୱର ନିର୍ବାଚନକୁ ପୂରା ତତାଇ ଦେଇଛି । ଏଥର ରାଜଧାନୀ ରାଜନୀତି ଉପରେ ସାରା ଓଡ଼ିଶାର ନଜର ।

ଭୁବନେଶ୍ୱର ଲୋକସଭା ଆସନ ନିର୍ବାଚନରେ ୧୪ଜଣ ପ୍ରାର୍ଥୀ ଅଛନ୍ତି । ତିନି ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କ ଲଢ଼େଇ ଚର୍ଚ୍ଚାରେ ରହିଛି । ଆଇଏଏସ୍‌ ଚାକିରି ଛାଡ଼ି ଅପରାଜିତା ଷଡ଼ଙ୍ଗୀ ରାଜନୀତିକୁ ଆସିଛନ୍ତି । ବିଜେପି ଟିକେଟରେ ସାଂସଦ ପ୍ରାର୍ଥୀ ହୋଇଛନ୍ତି ଅପରାଜିତା । ତାଙ୍କୁ ଟକ୍କର ଦେବାକୁ ବିଜେଡି ଆଣିଛି ଅବସରପ୍ରାପ୍ତ ଆଇପିଏସ୍‌ ତଥା ମୁମ୍ବାଇର ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ । ନିଜ ପ୍ରଚାର ଶୈଳୀ ଓ ମୋଦି ଲହରକୁ ନେଇ ଅପରାଜିତା ଭୁବନେଶ୍ୱରରେ ପଦ୍ମ ଫୁଟାଇବାକୁ ଲକ୍ଷ୍ୟ ରଖିଛନ୍ତି । ଏପଟେ ନବୀନଙ୍କ ଲୋକପ୍ରିୟତା ଓ ବିଜେଡି ସଂଗଠନକୁ ଭରସା କରିଛନ୍ତି ଅରୂପ । ତେବେ କଂଗ୍ରେସ ସମର୍ଥିତ ସିପିଆଇଏମ୍‌ ପ୍ରାର୍ଥୀ ଜନାର୍ଦ୍ଦନ ପତି ବେଶ୍‌ ପରିଚିତ ମୁହଁ ହୋଇଥିବାରୁ ଲୋକଙ୍କ ସମର୍ଥନ ମିଳିବ ବୋଲି ଆଶା ରଖିଛନ୍ତି । ତେବେ ଆଇଏଏସ୍‌ ବନାମ ଆଇପିଏସ୍‌ ଲଢ଼େଇ ଏଥର ନିର୍ବାଚନକୁ ହାଇପ୍ରୋଫାଇଲ୍‌ କରି ଦେଇଛି । କିଏ ଜିତିବ, କିଏ ହାରିବ? ଆକଳନ କରି ହେଉନି । ପ୍ରବଳ ଛକାପଞ୍ଝା ଭିତରେ ପ୍ରାର୍ଥୀଙ୍କ ଛାତି ଧଡ଼ଧଡ଼ ହେଉଥିବାବେଳେ ସମର୍ଥକ ବି ଟେନ୍‌ସନ୍‌ରେ ।

ରାଜଧାନୀର ୩ଟି ଯାକ ବିଧାନସଭା ଆସନରେ ମଧ୍ୟ ଲଢ଼େଇ ଦମଦାର । ଆକ୍ରମଣ-ପ୍ରତି ଆକ୍ରମଣ ରାଜନୀତି ପାଇଁ ବେଶି ଚର୍ଚ୍ଚାରେ ଅଛି ମଧ୍ୟ ଭୁବନେଶ୍ୱର । ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ବିଧାୟକ ପ୍ରାର୍ଥୀ କରିଛି ବିଜେଡି । ପୁଣି ଥରେ ବିଜେପିରୁ ଲଢ଼ୁଛନ୍ତି ଜଗନ୍ନାଥ ପ୍ରଧାନ । ତେବେ ଘନଘନ ବୋମା ମାଡ଼ ଓ ପ୍ରାର୍ଥୀଙ୍କୁ ଆକ୍ରମଣକୁ ନେଇ ମଧ୍ୟ ଭୁବନେଶ୍ୱର ରାଜନୀତି ତାତି ଉଠିଛି । ଉଭୟ ଜଗନ୍ନାଥ ଓ ଅନନ୍ତଙ୍କୁ ଟାର୍ଗେଟ କରି ବୋମା ମାଡ଼ ହୋଇଛି । ପୁଲିସ ଉଭୟ ପ୍ରାର୍ଥୀଙ୍କ ସୁରକ୍ଷା ଦେଇଛନ୍ତି । ବିଜେଡି-ବିଜେପି ଭିତରେ ଜୋରଦାର ଲଢ଼େଇ ଚାଲିଥିବାବେଳେ ଯୁବ ମୁହଁ ଭାବେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ରାଜୀବ ପଟ୍ଟନାୟକ । ସେ ମଧ୍ୟ କଡ଼ା ଟକ୍କର ଦେବାକୁ ଦମ୍‌ ଲଗାଇ ଦେଇଛନ୍ତି ।

ଉତ୍ତର ଭୁବନେଶ୍ୱର ଆସନରେ ଏଥର ନୂଆ ମୁହଁ ଭିତରେ ଲଢ଼େଇ । ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତ ନୂଆ ହେଲେ ବି ଦଳୀୟ ସଂଗଠନ ଓ ନବୀନଙ୍କ ଲୋକପ୍ରିୟତା ଉପରେ ଦୃଢ଼ ବିଶ୍ୱାସ ରଖିଛନ୍ତି । ବିଜେପିରୁ ପ୍ରାର୍ଥୀ ହୋଇଥିବା ଅଭିନେତ୍ରୀ ଅପରାଜିତା ମହାନ୍ତି ନିଜ ଲୋକପ୍ରିୟତାକୁ ଭରସା କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ଇତିଶ ପ୍ରଧାନ ଯୁବ ଭୋଟରଙ୍କୁ ନେଇ ଆଶାବାଦୀ ଅଛନ୍ତି । ଅନ୍ୟ ପ୍ରାର୍ଥୀମାନେ ମଧ୍ୟ ଟକ୍କରରେ ରହିଛନ୍ତି ।

ଏକାମ୍ର ଭୁବନେଶ୍ୱର ନିର୍ବାଚନ ଏଥର ବେଶ୍‌ ଚର୍ଚ୍ଚାରେ ରହିଛି । ବିଜେଡିରୁ ଅଶୋକ ଚନ୍ଦ୍ର ପଣ୍ଡା ତୃତୀୟ ଥର ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ନିଜ ସାଂଗଠନିକ ଦକ୍ଷତା ଓ ନବୀନଙ୍କ ଲୋକପ୍ରିୟତା ନେଇ ଅଶୋକ ଏଥର ବି ଆଶାବାଦୀ । ତେବେ ଅଶୋକଙ୍କୁ ଟକ୍କର ଦେଉଛନ୍ତି ଏକଦା ତାଙ୍କର ସହଯୋଗୀ ଥିବା ବାବୁ ସିଂ । ବିଜେଡି ଛାଡ଼ି ବାବୁ ବିଜେପିରୁ ଟିକେଟ ନେଇଛନ୍ତି । ମୋଦି ଲହର ଓ ସାଂସଦ ପ୍ରାର୍ଥୀ ଅପରାଜିତାଙ୍କ କ୍ରେଜ୍‌ ତାଙ୍କୁ ଫାଇଦା ଦେବ ବୋଲି ବାବୁ ଆଶା ରଖିଛନ୍ତି । ତେବେ ରଶ୍ମୀ ମହାପାତ୍ର କଂଗ୍ରେସ ପ୍ରାର୍ଥୀ ହେବା ପରେ ଏଥର ଏକାମ୍ର ଲଢ଼େଇ ତ୍ରିମୁଖୀ ରୂପ ନେଇଛି ।

ସବୁଠି କଡ଼ା ଟକ୍କର ଚାଲିଥିବାବେଳେ ଭୁବନେଶ୍ୱରବାସୀଙ୍କ ମତଦାନ ଉପରେ ସଭିଙ୍କ ନଜର ରହିଛି । ବୁଦ୍ଧିଜୀବୀ ମତଦାତାଙ୍କ ସହର କୁହାଯାଉଥିବା ରାଜଧାନୀରେ ସବୁବେଳେ ମତଦାନ ହାର କମ୍‌ ରହିଆସିଛି । ୨୦୦୯ରେ ମଧ୍ୟ ଭୁବନେଶ୍ୱରରେ ମତଦାନ କରିଥିଲେ ମାତ୍ର ୩୩.୭୮ ମତଦାତା । ୨୦୧୪ରେ ଏହା ୪୧.୯୬ ପ୍ରତିଶତ ଥିଲା । ସେହିପରି ଉତ୍ତର ନିର୍ବାଚନମଣ୍ଡଳୀରେ ୨୦୦୯ରେ ମତଦାନ ହାର ୩୫.୦୯ ପ୍ରତିଶତ ଥିଲା । ୨୦୧୪ରେ ଥିଲା ୪୧.୩ ପ୍ରତିଶତ । ତେବେ ଏକାମ୍ରରେ ୨୦୦୯ରେ ୩୭.୨୧ ପ୍ରତିଶତ ମତଦାନ କରିଥିଲେ । ୨୦୧୪ରେ ଏହା ୪୬ ପ୍ରତିଶତରୁ ବି କମ୍‌ ଥିଲା । ମତଦାନ ହାର କମ୍‌ ରହୁଥିବାରୁ ତିନୋଟି ଯାକ ନିର୍ବାଚନମଣ୍ଡଳୀରେ ଗାଁ ଓ ବସ୍ତି ଭୋଟ୍‌ ହିଁ ନିର୍ଣ୍ଣାୟକ ହୋଇ ଆସୁଛି । ଏଥର ଲୋକେ ଅଧିକ ସଚେତନ ଥିବାବେଳେ ଏହି ଧାରା ବଦଳିବ କି ନାହିଁ, ତାହା ଆସନ୍ତାକାଲି ଜଣାପଡ଼ିବ ।