ସରିଲା ପ୍ରଚାର, କାଲି ଭୋଟ୍‌

ଭୁବନେଶ୍ୱର,୯ା୪(ବ୍ୟୁରୋ): ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଚାର ଶେଷ ହୋଇଛି । ଦିନକ ପରେ ଭୋଟ୍‌ । ପ୍ରାର୍ଥୀଙ୍କ ଛଡ଼ା ପ୍ରଚାରକୁ ଓହ୍ଲାଇଥିବା ଅନ୍ୟ ସବୁ ନେତା ନିର୍ବାଚନ ମଣ୍ଡଳୀ ଛାଡ଼ିଛନ୍ତି ।
ଯଦିଓ ଖୋଲା ପ୍ରଚାର ସରିଛି, ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରାର୍ଥୀମାନେ ଭିତିରିଆ ଖେଳ ଆରମ୍ଭ କରିଦେଇଥିବା ଖବର ମିଳିଛି । କିଏ ଉପହାର ଦେଇ ତ’ ଆଉ କିଏ ଟଙ୍କା ଓ ମଦ ଦେଇ ଭୋଟ୍‌ ହାତେଇବାକୁ ଉଦ୍ୟମ ଚଳାଇଛି । ତେବେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସବୁ ନିର୍ବାଚନ ମଣ୍ଡଳୀ ଓ ପ୍ରାର୍ଥୀଙ୍କ ଉପରେ ତୀକ୍ଷ୍ଣ ନଜର ରହିଛି ।

ଅନ୍ୟପଟେ ମତଦାନ ପାଇଁ ୮ ଜିଲ୍ଲାର ମୁଖ୍ୟାଳୟରୁ ପୁଲିଂ ଟିମ୍‌ ବୁଥ୍‌ ଅଭିମୁଖେ ବାହାରିଛନ୍ତି । ସେମାନଙ୍କ ଭିତରୁ ବହୁ ଟିମ୍‌ ବୁଥ୍‌ରେ ପହଞ୍ଚି ସାରିଲେଣି । ବଳକା ଟିମ୍‌ କାଲି ସନ୍ଧ୍ୟା ସୁଦ୍ଧା ବୁଥ୍‌ରେ ପହଞ୍ଚି ମତଦାନ ପାଇଁ ପ୍ରସ୍ତୁତି ସାରିବେ ବୋଲି ଜଣାପଡ଼ିଛି । ସୁରକ୍ଷା ଦୃଷ୍ଟିରୁ ମାଓବାଦୀ ପ୍ରବଣ ନୂଆପଡ଼ା ଓ ମାଲକାନଗିରି ଜିଲ୍ଲାରେ ପୁଲିଂ ଟିମ୍‌ ଓ ମତଦାନ ସହ ଜଡ଼ିତ ସାମଗ୍ରୀ ପରିବହନ ପାଇଁ ୨ଟି ହେଲିକପ୍ଟର ନିୟୋଜିତ ହୋଇଛି ।
ଏପ୍ରିଲ ୧୧ରେ ୪ ଲୋକସଭା ସହ ସଂଲଗ୍ନ ବିଧାନସଭା କ୍ଷେତ୍ର ପାଇଁ ଭୋଟ୍‌ ଗ୍ରହଣ କରାଯିବ ।

କଳାହାଣ୍ଡି ଲୋକସଭା ସହ ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା ବିଧାନସଭା, ନବରଙ୍ଗପୁର ଲୋକସଭା ସହ ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ଭୋଟ୍‌ ହେବ । ସେହିଭଳି ବ୍ରହ୍ମପୁର ଲୋକସଭା ଆସନ ପାଇଁ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି ବିଧାନସଭା ଆସନ ଏବଂ କୋରାପୁଟ ଲୋକସଭା ଆସନ ସହ ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ ଓ ପଟାଙ୍ଗୀ ଆସନରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ହେବ । ବିଧାନସଭା ଆସନ ପାଇଁ ୧୯୧ ଜଣ ଓ ଲୋକସଭା ଆସନ ପାଇଁ ୨୬ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ।

ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାରଙ୍କ ସୂଚନା ମୁତାବକ, ପ୍ରଥମ ପର୍ଯ୍ୟାୟ ମତଦାନରେ ୬୦,୦୩,୭୦୭ ଜଣ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଭୋଟରଙ୍କ ମଧ୍ୟରେ ୨୯,୭୨,୯୨୫ ଜଣ ପୁରୁଷ, ୩୦,୩୦,୨୨୨ ଜଣ ମହିଳା ଓ ୫୬୦ ଜଣ ତୃତୀୟଲିଙ୍ଗୀ ଅଛନ୍ତି । ଭୋଟ୍‌ ଦେବା ପାଇଁ ମୋଟ୍‌ ୭,୨୩୩ଟି ପୁଲିଂ ବୁଥ୍‌ ସ୍ଥାପନ କରାଯାଇଛି ।

ପୁଲିଂ ବୁଥ୍‌ଗୁଡ଼ିକରେ ୪୭,୮୦୫ ଜଣ ପୁଲିଂ ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜନ କରାଯାଇଛି । ହାରାହାରି ଭାବେ ପ୍ରତି ପୁଲିଂ ଟିମ୍‌ରେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ସହ ୫ ଜଣ ସହକାରୀ ଅଧିକାରୀ ଓ ଅତିକମ୍‌ରେ ଜଣେ ସୁରକ୍ଷାକର୍ମୀ ରହିଛନ୍ତି । ପୁଲିଂ ଟିମ୍‌ରେ ୪୭,୧୧୫ ଜଣ ପୁରୁଷ ରହିଥିବା ବେଳେ ୬୯୦ ଜଣ ମହିଳା ଅଛନ୍ତି । ୯୧୫ ଜଣ ଜୋନାଲ୍‌ ସେକ୍ଟର ମାଜିଷ୍ଟ୍ରେଟ୍‌ ନିର୍ବାଚନର ତଦାରଖ କରିବେ । ନିର୍ବାଚନ କାର୍ଯ୍ୟରେ ୮,୮୭୭ଟି ଗାଡ଼ିକୁ ମଧ୍ୟ ନିୟୋଜନ କରାଯାଇଛି ।

ଏହି ପର୍ଯ୍ୟାୟରେ ୩୦ଟି ସମ୍ପୂର୍ଣ୍ଣ ମହିଳା ପୁଲିଂ ବୁଥ୍‌ ଖୋଲାଯାଇଛି । ଏହି ପୁଲିଂ ବୁଥ୍‌ଗୁଡ଼ିକରେ ସମସ୍ତ ଅଧିକାରୀ ମହିଳା ରହିଛନ୍ତି । ପ୍ରତି ବିଧାନସଭା ମଣ୍ଡଳୀରେ ଅତିକମ୍‌ରେ ଗୋଟିଏ ଲେଖାଏଁ ଏଭଳି ବୁଥ୍‌ ସ୍ଥାପନ କରାଯାଇଛି । ଅପରପକ୍ଷରେ ଏହି ମତଦାନ ବେଳେ ଗୋଟିଏ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ ବୁଥ୍‌ ସ୍ଥାପନ ହୋଇଛି, ଯାହାର ସମସ୍ତ ପୁଲିଂ ଅଫିସର ଦିବ୍ୟାଙ୍ଗ ବୋଲି ଶ୍ରୀ କୁମାର ସୂଚନା ଦେଇଛନ୍ତି । ସିଇଓ କହିଛନ୍ତି, ଏପ୍ରିଲ ୧୧ ଭୋଟ୍‌ ବେଳେ ୨,୩୭୫ଟି ବୁଥ୍‌କୁ ଉତ୍ତେଜନାପ୍ରବଣ ବୁଥ୍‌ ଭାବେ ଚିହ୍ନଟ କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ କରିବାକୁ ୭୭୭ ଜଣ (୮ କମ୍ପାନି) କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ୍‌) ନିୟୋଜିତ ହୋଇଛନ୍ତି ।

ରାଜ୍ୟର ପ୍ରାୟ ୩୦% ବୁଥ୍‌ରେ ଫୋର୍ସ ମଲ୍ଟିପ୍ଲାୟର ନିୟୋଜନ ହେବ । ଅର୍ଥାତ୍‌ ୱେବ୍‌ କାଷ୍ଟିଂ, ସିସିଟିଭି, ମାଇକ୍ରୋ ଅବଜର୍‌ଭର୍‌, ଭିଡିଓଗ୍ରାଫି ଓ ଫଟୋଗ୍ରାଫି ଜରିଆରେ ଏସବୁ ବୁଥ୍‌ ଉପରେ ନଜର ରହିବ । ୪୮୬ଟି ବୁଥ୍‌ର ୱେବ୍‌ କାଷ୍ଟିଂ ହେବ, ଯାହାକି ସିଇଓ, ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ), ରିଟର୍ଣ୍ଣିଂ ଅଫିସର (ଆର୍‌ଓ) ଅଫିସ୍‌ରେ ଲାଇଭ୍‌ ଦେଖାଯିବ । ୨୧୫ଟି ବୁଥ୍‌ରେ ସିସିଟିଭି ଲାଗିବାକୁ ଥିବା ବେଳେ ୪୦୮ଟି ବୁଥ୍‌ରେ ମାଇକ୍ରୋ ଅବଜରଭର୍‌, ୨୬୦ଟି ବୁଥ୍‌ରେ ଭିଡିଓଗ୍ରାଫି, ୨୨୯ଟି ବୁଥ୍‌ରେ ଫଟୋଗ୍ରାଫି କରାଯିବ ।

   ସମ୍ବନ୍ଧିତ ଖବର


କଟକ IIFL‌ ଡକାୟତି ଘଟଣାର ପର୍ଦ୍ଦାଫାଶ : ୨୦ କୋଟିର ଲୁଟେରାଙ୍କୁ ବାନ୍ଧିଲା ପୋଲିସ, କମ୍ପାନୀ କର୍ମଚାରୀ ମାଷ୍ଟରମାଇଣ୍ଡ

ନାଗାର୍ଜୁନ ବେଶ ଆଉ ୩ ଦିନ: ବେଶ ଲାଗିରେ ରହିବେ ୨୨ ପୁଷ୍ପାଳକ ସେବକ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣା: ଅଭିଯୋଗପତ୍ର ପ୍ରତ୍ୟାହାର କଲେ ମୃତକଙ୍କ ପରିବାର