ଏକାମ୍ରରେ ମତଦାନ ହାର ସର୍ବାଧିକ

ଭୁବନେଶ୍ୱର,୨୩ ।୪(ବ୍ୟୁରୋ): ରାଜଧାନୀର ୩ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଏକାମ୍ର ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ମତଦାନ ହୋଇଛି । ସୂଚନା ମୁତାବକ ଚୂଡ଼ାନ୍ତ ମତଦାନ ହାର ୫୦ ପ୍ରତିଶତରୁ ଅଧିକ ହୋଇଥିବା ଜଣାପଡ଼ିଛି । ତେବେ ଜନବସତି ଅନୁଯାୟୀ ବୁଥରେ ଏପାଖ ସେପାଖ ଏବଂ ଭୋଟର ଲିଷ୍ଟରୁ ବହୁ ଭୋଟର ନାମ ନଥବା ହେତୁ ମତଦାନ ହାର ବଢ଼ିପାରିଲା ନାହିଁ ବୋଲି କୁହାଯାଉଛି । ଚଳିତ ନିର୍ବାଚନର ମତଦାନ ହାର ୨୦୧୪ ନିର୍ବାଚନ ମତଦାନ ହାର ଠାରୁ ପ୍ରାୟ ୫ ପ୍ରତିଶତ ଅଧିକ ବୋଲି ଜଣାପଡ଼ିଛି ।

ସକାଳେ ବିଭିନ୍ନ ଭୋଟଦାନ କେନ୍ଦ୍ର ଖୋଲିବା ମାତ୍ରେ ମତଦାନ ପାଇଁ ଲୋକଙ୍କ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଦିନ ୧୧ ଟା ପର୍ଯ୍ୟନ୍ତ ଧାଡ଼ି ଲାଗି ରହିଥିଲା । ଦିନ ୨ଟା ବେଳକୁ ବହୁ କେନ୍ଦ୍ରରେ ଭୋଟଦାନ ହାର ପାଖାପାଖି ୩୬ ପ୍ରତିଶତରେ ପହଞ୍ଚି ଯାଇଥିଲା । ତେବେ ଖରା ବଢ଼ିବା ଯୋଗୁ ଭୋଟରଙ୍କ ସଂଖ୍ୟା ପ୍ରଭାବିତ ହୋଇଥିଲା । ତେବେ ଅପରାହ୍ଣ ୪ଟା ପରେ ପୁଣି ଭିଡ଼ ବଢ଼ିଥିଲା । ବୁଥ ଗୁଡ଼ିକରେ ଧାଡ଼ି ଲମ୍ବି ଯାଇଥିଲା । ଅପରାହ୍ଣ ୫ଟାରେ ୪୫ ପ୍ରତିଶତ ଟପି ଯାଇଥିଲା । ବେଳକୁ ସନ୍ଧ୍ୟା ୬ଟା ପରେ ମଧ୍ୟ ବହୁ ମତଦାନ କେନ୍ଦ୍ରରେ ଲୋକ ଭୋଟ ଦେଉଥିବା ଲକ୍ଷ୍ୟ କରା ଯାଇଥିଲା ।
ସୁଭଦ୍ରା ମହତାବ ସ୍କୁଲ କେନ୍ଦ୍ରରେ ଭୋଟଦାନ ହାର ୭୦ ପ୍ରତିଶତ

ପୁରୁଣା ଭୁବନେଶ୍ୱର ସୁଭଦ୍ରା ମହତାବ ଭୋଟଦାନ କେନ୍ଦ୍ରରେ ମତଦାନ ହାର ୭୦ ପ୍ରତିଶତରୁ ଅଧିକ ହୋଇଥିବା ଜଣାପଡ଼ିଛି । ଏଠାରେ ଥିବା ସମସ୍ତ ବୁଥ୍‌ରେ ଭୋଟ ଦେବା ଲାଗି ଲୋକେ ଦିନତମାମ ଧାଡ଼ି ଲଗାଇଥିଲେ । ସନ୍ଧ୍ୟା ସୁଦ୍ଧା ପ୍ରାୟ ସବୁ ବୁ୍‌ଥରେ ୭୦ ପ୍ରତିଶତ ଭୋଟଦାନ ହୋଇଥିଲା । ନିକଟସ୍ଥ ବିଏମ୍‌ ହାଇସ୍କୁଲ କେନ୍ଦ୍ରରେ ମଡେଲ ବୁଥ୍‌ ହୋଇଥିଲେ ମଧ୍ୟ ସେଠାରେ ସନ୍ଧ୍ୟା ସୁଦ୍ଧା ଭୋଟଦାନ ୫୨ ପ୍ରତିଶତ ପହଞ୍ଚି ପାରିଥିଲା । ସେହିଭଳି କପିଳପ୍ରସାଦ ହାଇସ୍କୁଲ ଓ ଗୋସାଗରେଶ୍ୱର ସ୍କୁଲ କେନ୍ଦ୍ରରେ ମତଦାନ ହାର ୫୫ ପ୍ରତିଶତ ହୋଇଥିବା ଜଣାପଡ଼ିଛି ।

୬ ପଞ୍ଚାୟତରେ ୬୭ ପ୍ରତିଶତ ଲୋକ ଭୋଟ ଦେଲେ
ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୬ ପଞ୍ଚାୟତରେ ମଧ୍ୟ ମତଦାନ ହାର ଭଲ ଥିଲା । ଶିଶୁପାଳଗଡ଼, ଧଉଳି, ଇଟିପୁର, ଟିକରପଡ଼ା, ବାସୁଆଘାଇ ଓ ଲିଙ୍ଗିପୁର ପଞ୍ଚାୟତରେ ଥିବା ବୁଥ୍‌ ଗୁଡ଼ିକରେ ଲମ୍ବା ଲାଇନ ଲାଗି ରହିଥିଲା । ସନ୍ଧ୍ୟା ୬ ସୁଦ୍ଧା ପ୍ରତି ବୁଥରେ ଭୋଟଦାନ ହାର ୬୫ ପ୍ରତିଶତକୁ ଟପି ଯାଇଥିଲା ।
ରାତି ୯ଟା ଯାଏ ଚାଲିଲା ମତଦାନ
ନୂଆଗାଁ ଉପ୍ରା ସ୍କୁଲ ୧୬୮ ନମ୍ବର ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଦେଖାଯିବା ଫଳରେ ମତଦାନ ବିଳମ୍ବିତ ହୋଇଥିଲା । ମିଳିଥିବା ସୂଚନା ମୁତାବକ ସନ୍ଧ୍ୟା ୬ଟା ସୁଦ୍ଧା ଏହି ବୁଥ୍‌ରେ ପାଖାପାଖି ୯୦୦ ଲୋକ ଭୋଟଦାନ କରି ସାରିଥିଲେ । ତେବେ ଆଉ ୨୫୦ ହେବ ଭୋଟର ମତଦାନ ପାଇଁ ପରିସରରେ ଅପେକ୍ଷା କରିଥିଲେ । ଏହି ସମୟରେ ହଠାତ୍‌ ବୁଥ୍‌ର ଏକ ଇଭିଏମ୍‌ ଖରାପ ହୋଇ ଯାଇଥିଲା । ମେକାନିକ ପହଞ୍ଚି ମରାମତି କଲାପରେ ଇଭିଏମ୍‌ ଚାଲିଥିଲା । ଅପେକ୍ଷାରତ ଲୋକେ ପାଖାପାଖି ରାତି ୯ଟା ପର୍ଯ୍ୟନ୍ତ ମତଦାନ କରିଥିଲେ । ଅନୁରୂପ ଭାବେ ରାଜଧାନୀ ଉପକଣ୍ଠ ଲକ୍ଷ୍ମୀନାରାୟଣପୁର ବାପୁଜୀ ମଡେଲ ସ୍କୁଲ କେନ୍ଦ୍ରରେ ରାତି ୮ଯାଏ ଭୋଟଦାନ ଚାଲିଥିଲା । ଶେଷ ବେଳକୁ କେନ୍ଦ୍ରରେ ଆଉ ୧୬୩ଜଣ ଭୋଟର ମତଦାନ ପାଇଁ ଅପେକ୍ଷା କରିଥିବା ବେଳେ ଏକ ଇଭିଏମ୍‌ ଅଚଳ ହୋଇଯାଇଥିଲା । ଆଉ ଏକ ନୂଆ ଇଭିଏମ୍‌ ମେସିନ ଲାଗିବା ପରେ ସେଠାରେ ମତଦାନ ରାତି ୮ଟା ଯାଏ ଚାଲିଥିଲା । ଆଉ ମଧ୍ୟ ଗୋସାଗରେଶ୍ୱର ସ୍କୁଲ କେନ୍ଦ୍ରରେ ଭୋଟଦାନ ଚାଲିଥିବା ବେଳେ ବୁଥ୍‌ ନମ୍ବର ୧୫୯ରେ ଇଭିଏମ୍‌ ଚାଲି ନଥିଲା । ତେଣୁ ସେଠାରେ ଦେଢ଼ଘଣ୍ଟା ଯାଏ ମତଦାନ ବନ୍ଦ ରହିଥିଲା । ଫଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ଇଭିଏମ୍‌ ତ୍ରୁଟି ସଜଡ଼ା ଯିବା ପରେ ମତଦାନ ସ୍ୱାଭାବିକ ହୋଇଥିଲା ।
ବୁଥରେ ପ୍ରାର୍ଥୀଙ୍କ ପ୍ରବେଶକୁ ନେଇ ଉତ୍ତେଜନା
ବିଏମ୍‌ ହାଇସ୍କୁଲରେ ମତଦାନ ଚାଲିଥିବା ବେଳେ ମତଦାତାଙ୍କ ସାଙ୍ଗରେ ସଦଳବଳେ ଏକ ବୁଥ୍‌କୁ ପ୍ରବେଶ କରିବା ଅଭିଯୋଗ ହୋଇଥିଲା । ଦିନ ପ୍ରାୟ ଗୋଟାଏ ବେଳେ ବିଜେପି ପ୍ରାର୍ଥୀ ବାବୁ ସିଂ ଜଣେ ମତଦାତାଙ୍କ ସହିତ ଏକ ବୁଥ୍‌ରେ ପ୍ରବେଶ କରିବାକୁ କେନ୍ଦ୍ର କରି ବିଜେପି-ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ ।
ଷ୍ଟ୍ରେଚରରେ ଆସି ଭୋଟ ଦେଲେ
ସ୍ୱାଧୀନ ପ୍ରାର୍ଥୀ ଭୀଷ୍ମ ନାରାୟଣ ନାୟକଙ୍କୁ ଗତକାଲି ଛୁରାମାଡ଼ ହୋଇଥିଲା । ଗୁରୁତର ଆହତ ଅବସ୍ଥାରେ ସେ କ୍ୟାପିଟାଲ ହସ୍ପିଟାଲରେ ପଡ଼ିଥିଲେ । ଆଜି ଅପରାହ୍ଣରେ ସେ ସାମାନ୍ୟ ସୁସ୍ଥ ହେବା ପରେ ବିଏମ୍‌ ହାଇସ୍କୁଲ କେନ୍ଦ୍ରକୁ ଆମ୍ବୁଲାନ୍ସରେ ଆସିଥିଲେ । ସେଠାରୁ ଷ୍ଟ୍ରେଚରରେ ବୁହା ହୋଇ ଆସି ମତଦାନ କରିଥିଲେ ।

   ସମ୍ବନ୍ଧିତ ଖବର


ଲାଲୁ ଯାଦବଙ୍କ ସେବାଦାର ଇରଫାନ୍‌ ଅନସାରୀ ନିଖୋଜ ! ଅଡ଼ିଓ ଭାଇରାଲ ହେବା ପରଠୁ ଗାଏବ୍‌

ପୁଣି ୧୭ ଜୀବନ ନେଲା କରୋନା, ମୃତକଙ୍କ ସଂଖ୍ୟା ୧୭ଶହ ଟପିଲା

୨୪ଘଣ୍ଟା ଆଉ ୬୪୪ କରୋନା ପଜିଟିଭ ଚିହ୍ନଟ୍: ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୬ ହଜାର ୬୪୫କୁ ବୃଦ୍ଧି

ଆଜି ମହାପ୍ରଭୁଙ୍କ ବାମନ ବେଶ

ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା: ଓଡ଼ିଶାକୁ ଥରାଇଲା କୋହଲା ପାଗ

କଟକ IIFL ଶାଖାରୁ ଲୁଟ୍ ଘଟଣା : ଜଣେ ମହିଳାଙ୍କ ସମେତ ୪ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା