ତାତି ବଢୁଛି, ଜଳାଶୟ ଶୁଖୁଛି; ଚିନ୍ତା ବଢ଼ାଇଲାଣି ପିଇବା ପାଣି

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ରାଜଧାନୀ ଏବେ ତତଲା ତାୱା । ତାପମାତ୍ରା ଏଇ ଦୁଇ ସପ୍ତାହ ହେବ ୪୦ ଛୁଉଁଛି । ଏଭଳି ସମୟରେ ରାଜଧାନୀ ଓ ଏହାର ଉପକଣ୍ଠରେ ଜଳାଶୟ ସବୁ ଶୁଖିବାରେ ଲାଗିଲାଣି । ଉତ୍ତାପ ବୃଦ୍ଧି ସାଙ୍ଗକୁ ଉତ୍କଟ ଜଳସଙ୍କଟ ରାଜଧାନୀର ପ୍ରମୁଖ ସମସ୍ୟା ହୋଇ ଉଭା ହେଲାଣି ।
ଭୁବନେଶ୍ୱରକୁ ଜଳ ଯୋଗାଣ ପାଇଁ ଏକମାତ୍ର ଭରସା କୁଆଖାଇ ନଦୀ । ଏଠାରେ ମଧ୍ୟ ଜଳସ୍ତର ଅତି ନିମ୍ନକୁ ଖସିଗଲାଣି । ଯେଉଁ ସ୍ଥାନରୁ ପାଣି ଉଠାଯାଇ ବିଶୋଧନ କରାଯାଉଛି, ସେଠାରେ ଲୋକଟିଏ ଠିଆ ହେଲେ ତାକୁ ଅଣ୍ଟାଏ ମାତ୍ର ପାଣି ହେବ । ନଦୀର ସ୍ରୋତ ବି ଗ୍ରୀଷ୍ମ ପ୍ରଭାବରେ କମି ଗଲାଣି ।

ଯେତିକି ମାତ୍ରାରେ ଜଳ ବିଶୋଧନ ପାଇଁ ଲିଫ୍ଟ୍‌ ଜରିଆରେ ଉଠାଯିବା କଥା ତା’ଠୁ ଢେର କମ୍‌ ଜଳ ଏବେ କୁଆଖାଇରେ ଉପଲବ୍ଧ ହେଉଛି । ଏଭଳି ସ୍ଥିତିରେ ପିଇବା ପାଣି ରାଜଧାନୀବାସୀଙ୍କ ଚିନ୍ତା ବଢାଇଦେଇଛି । ବସ୍ତି ଅଞ୍ଚଳର ଅବସ୍ଥା ନକହିବା ଭଲ । ରାଜଧାନୀର ମଞ୍ଚେଶ୍ୱର ନିକଟ ପୁରୁଷୋତ୍ତମ ବସ୍ତି, ରଙ୍ଗମାଟିଆ ଗାଁ, ରସୁଲଗଡ଼, ଜିଜିପି କଲୋନୀ, ଝାରପଡ଼ା ନିକଟ ସଂଖ୍ୟାଲଘୁ ବସ୍ତିରେ ଜଳସଙ୍କଟ ଉତ୍କଟ ରୂପ ନେଲାଣି ।
ସେହିପରି ରାଜଧାନୀର ସମ୍ଭ୍ରାନ୍ତ ଅଞ୍ଚଳ କୁହାଯାଉଥିବା ସହିଦନଗର, ବାଣୀବିହାର, ଜୟଦେବ ବିହାର, ଶୈଳଶ୍ରୀ ବିହାର ଆଦି ଅଞ୍ଚଳରେ ମଧ୍ୟ ଜଳ କଷ୍ଟ ଦେଖାଦେଲାଣି । ଏପରିକି ଅନେକ ବସ୍ତିରେ ଷ୍ଟାଣ୍ଡ ପୋଷ୍ଟ୍‌ ଅଛି ମାତ୍ର ପାଣି ଆସୁନି । ବସ୍ତିର ଲୋକେ ଲମ୍ବା ଲାଇନରେ ଠିଆ ହୋଇ ପାଣି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରି ଫେରୁଛନ୍ତି ।
ପ୍ରଶାସନିକ ସ୍ତରରେ ଏପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହକୁ ଦେଖି କୌଣସି ସ୍ଥାନରେ ଜଳଛତ୍ର ବି ଖୋଲାଯାଇନି । ଯେଉଁ କେତୋଟି ହାତ ଗଣତି ସ୍ଥାନରେ ଜଳଛତ୍ର ଖୋଲିଛି ସେତିକି ଯଥେଷ୍ଟ ନୁହେଁ । ଅନେକ ସ୍ଥାନରେ ଦେଖାଯାଉଛି ଯେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଇପ୍‌ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି । ମଝିରେ ମଝିରେ ଷ୍ଟାଣ୍ଡ ପୋଷ୍ଟ ଲଗାଯାଇଛି । ମାତ୍ର ସେହି ସବୁ ପୋଷ୍ଟକୁ ପାଣି ଆସୁନି । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଜାଗମରା ‘ପ୍ରମେୟ’ କାର୍ଯ୍ୟାଳୟ ନିକଟ ଷ୍ଟାଣ୍ଡପୋଷ୍ଟ ।

ଏହି ପୋଷ୍ଟଟି ୨୦୧୬ ଜୁଲାଇ ୭ ତାରିଖରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ୬୩ ନମ୍ବର ୱାର୍ଡର କର୍ପୋରେଟର ରଘୁନାଥ ମହାନ୍ତିଙ୍କ ଉପସ୍ଥିତିରେ ଉଦ୍‌ଘାଟନ ହୋଇଥିଲା । ସିଦେ୍ଧଶ୍ୱର ନଗରକୁ ପାଇପ୍‌ ଯୋଗେ ଜଳ ଯୋଗାଣ ହେଲା । ମାତ୍ର ଏହି ଷ୍ଟାଣ୍ଡ ପୋଷ୍ଟ କଥା ସମସ୍ତେ ଭୁଲିଗଲେ । ଉଦ୍‌ଘାଟନ ୩ ବର୍ଷ ପୂରିବାକୁ ବସିଲାଣି ତଥାପି ଏହି ପୋଷ୍ଟରେ ନା ନଳ ଲାଗିଲା, ନା ପାଣି ଦିଆଗଲା ।
ପଥଚାରୀମାନେ ପ୍ରବଳ ଗରମରେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଥିବା ବେଳେ ଏଭଳି ଶୁଖିଲା ଷ୍ଟାଣ୍ଡ ପୋଷ୍ଟ କେବଳ ସେମାନଙ୍କୁ ଅଟ୍ଟହାସ୍ୟ କରୁଛି । ଏଭଳି ଭାବରେ ରାଜଧାନୀର ଅନେକ ସ୍ଥାନରେ କେବଳ ଫଳକ ଲଗାଯାଇ ଷ୍ଟାଣ୍ଡ ପୋଷ୍ଟ ମାନ ଉଦ୍‌ଘାଟନ କରାଯାଇଛି । ମାତ୍ର ପାଣି ଟୋପେ ଦେବା ବ୍ୟବସ୍ଥା ହୋଇନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଉଛି ।

ଏବେ ରାଜଧାନୀର ବୋରିଂ ବ୍ୟବସ୍ଥା ଉପରେ ନଜର ପକାଇବା । ଆକଳନ ଅନୁସାରେ ପ୍ରାୟ ୬୦ ଭାଗ ଲୋକ ନିଜ ନିଜ ଘରେ ବୋରିଂ କରି ପାଣିର ବ୍ୟବସ୍ଥା କରିଛନ୍ତି । ମାତ୍ର ଦେଖାଯାଉଛି ଯେ ଖରାଦିନେ ସେମାନଙ୍କୁ ଯଥେଷ୍ଟ ପାଣି ମିଳୁନାହିଁ । ଏହାର କାରଣ ଭୂତଳ ଜଳସ୍ତର ହ୍ରାସ । ତେଣୁ ସେମାନେ ବାଧ୍ୟ ହୋଇ ସପ୍ଲାଇ ପାଣିକୁ ଭରସା କରୁଛନ୍ତି ।

   ସମ୍ବନ୍ଧିତ ଖବର


୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର

ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା