ପାଣି ମିଟର ଲଗାଇବାକୁ ଭୁଲିଗଲେ ରାଜ୍ୟ ସରକାର! ଫାଇଲ୍‌ ଭିତରେ ପଡ଼ିରହିଛି ପ୍ରସ୍ତାବ

ଭୁବନେଶ୍ୱର ୨୬/୮: ପାଣି ଯେତିକି ବ୍ୟବହାର କରିବେ, ସେତିକି ପାଉଣା ଗଣିବେ । ମନଇଚ୍ଛା ବେହିସାବ ପାଣି ଖର୍ଚ୍ଚ କରିପାରିବେନି । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ସମେତ ୮ଟି ସହରରେ ପାଣି ମିଟର ଲଗାଇବାକୁ ଯୋଜନା କରିଥିଲେ ରାଜ୍ୟ ସରକାର । ଉଦ୍ଦେଶ୍ୟ ଥିଲା, ପାଣିର ମନଇଚ୍ଛା ବ୍ୟବହାର ରୋକିବା । ଆଗାମୀଦିନରେ ଜଳ ସଙ୍କଟକୁ ମୁକାବିଲା ପାଇଁ ଏଭଳି ଯୋଜନା କରାଯାଇଥିଲା । ମାତ୍ର ଦୀର୍ଘ ବର୍ଷ ଧରି ଏହି ପ୍ରସ୍ତାବଟି ଯେମିତି ଫାଇଲ୍‌ ଭିତରେ ପଡ଼ିରହିଛି । ଏ ପ୍ରସ୍ତାବକୁ ଭୁଲି ଯାଇଛନ୍ତି ରାଜ୍ୟ ସରକାର ।

ଜଳ ସଙ୍କଟର ମୁକାବିଲା ନିକଟରେ କେନ୍ଦ୍ର ସରକାର ଜଳ ମିଟର ଲଗାଇବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଉପଭୋକ୍ତାଙ୍କ ଘରେ ଏହି ମିଟର ଲାଗିଲେ ପାଣିର ବ୍ୟବହାର ସୁନିୟନ୍ତ୍ରିତ ହେବ ବୋଲି କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରାଳୟ କହିଛି । ମାତ୍ର ରାଜ୍ୟ ସରକାରଙ୍କ ଗତିବଧି ଯାହା, ଏ ପ୍ରସଙ୍ଗରେ ସେମିତି କେହି ଚିନ୍ତାଶୀଳ ଲାଗୁ ନାହାନ୍ତି । ଏକଥା ନୁହେଁ ଯେ, ଏହି ପ୍ରସ୍ତାବ ରାଜ୍ୟ ସରକାରଙ୍କ ମୁଣ୍ଡରେ ନାହିଁ । ବହୁ ପୂର୍ବରୁ ଏ ଦିଗରେ ରାଜ୍ୟ ସରକାର ଚିନ୍ତା କରି ବିଧିବଦ୍ଧ ଯୋଜନା କରିଥିଲେ । ସର୍ଭେ ବି ହୋଇଥିଲା । ମାତ୍ର ଏବେ ଏହି ପ୍ରସ୍ତାବ କୁଆଡ଼େ ହଜିଯାଇଛି ।

ଗତ ୨-୩ ବର୍ଷ ତଳେ ରାଜ୍ୟ ସରକାର ଭୁବନେଶ୍ୱରରେ ପ୍ରଥମେ ଜଳ ମିଟର ଲଗାଇବାକୁ ଯୋଜନା କରିଥିଲେ । ପ୍ରଥମେ ବ୍ୟବସାୟିକ ଓ ସରକାରୀ କ୍ୱାର୍ଟସରେ ଏହାକୁ ଲଗାଇବାକୁ ସ୍ଥିର ହୋଇଥିଲା । ଗତବର୍ଷ ଏ ଦିଗରେ ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଂ ବିଭାଗ (ପିଏଚଇଓ) ଆଉ ପାଦେ ଆଗକୁ ବଢ଼ିଥିଲା । ଚେନ୍ନାଇର ଏକ ସଂସ୍ଥାକୁ ଡକାଇ ପାଣିର ଆବଶ୍ୟକତା, ବ୍ୟବହାର ଉପରେ ଅନୁଧ୍ୟାନ କରାଇଥିଲା । ଜନସ୍ୱାସ୍ଥ୍ୟ ବିଭାଗରୁ କେତେ ଉପଭୋକ୍ତା ପାଣି ସଂଯୋଗ ନେଇଛନ୍ତି? ମୁଣ୍ଡ ପିଛା କେତେ ପାଣି ଦିଆଯାଉଛି? କେତେ ପାଣି ଅପବ୍ୟୟ ହେଉଛି? କେତେ ଜାଗାରେ ପାଣି ଚୋରି ହେଉଛି? ଆଉ କେତେ ଲୋକଙ୍କ ଘରେ ପାଣି ପହଞ୍ଚିବାକୁ ବାକି ଅଛି? ଏସବୁ ଦିଗକୁ ଅନୁଧ୍ୟାନ କରାଯାଇଥିଲା ସର୍ଭେବେଳେ । ଉଭୟ ଘରୋଇ ଓ ବ୍ୟବସାୟିକ ଉପଭୋକ୍ତାଙ୍କ ଘରେ ଜଳ ମିଟର ଲଗାଯିବ ବୋଲି କୁହାଯାଉଥିଲା । ମାତ୍ର ବର୍ତ୍ତମାନ ଏ ପ୍ରସ୍ତାବ ଶୀତଳଭଣ୍ଡାରକୁ ଚାଲିଯାଇଛି । ଏ ଦିଗରେ ଆଉ କୌଣସି ଅଗ୍ରଗତି ନାହିଁ ।

ପିଏଚ୍‌ଇଓ (ଭୁବନେଶ୍ୱର) ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ସି.ଆର୍‌.ଜେନା କହିଛନ୍ତି, ଜଳ ମିଟର ଲଗାଇବାକୁ ନେଇ ପୂର୍ବରୁ ଯୋଜନା ରହିଛି । ମାତ୍ର ଏବେ ଆମେ ପ୍ରତି ଘରେ ପାଣି ପହଞ୍ଚାଇବାକୁ ଗୁରୁତ୍ୱ ଦେଉଛୁ । ବର୍ତ୍ତମାନ ଭୁବନେଶ୍ୱରରେ ପ୍ରାୟ ୧ ଲକ୍ଷ ଉପଭୋକ୍ତା ଅଛନ୍ତି । ମାର୍ଚ୍ଚ ସୁଦ୍ଧା ଆଉ ୮୫ ହଜାର ଘରକୁ ପିଇବା ପାଣି ସଂଯୋଗ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଘରେ ଘରେ ପିଇବା ପାଇପ୍‌ ପାଣି ସଂଯୋଗ ପ୍ରାଥମିକତା ଥିବାବେଳେ ବର୍ତ୍ତମାନ ଜଳ ମିଟର ପ୍ରସ୍ତାବ ନେଇ କୌଣସି ପଦକ୍ଷେପ ନିଆଯାଇନି ।

ଏ ନେଇ କେବେ ପଦକ୍ଷେପ ନିଆଯିବ? କେବେ ପ୍ରକ୍ରିୟା ଆରମ୍ଭ ହେବ? ସେ ବାବଦରେ କେହି କିଛି କହିପାରୁନାହାନ୍ତି । ସୂଚନାଯୋଗ୍ୟ, ମୁଣ୍ଡପିଛା ଆବଶ୍ୟକତା ଅନୁଯାୟୀ ଭୁବନେଶ୍ୱରରେ ଦୈନିକ ପ୍ରାୟ ୧୩୫ ମିଲିଅନ ଲିଟର ପାଣି ଆବଶ୍ୟକ ହେଉଛି । ମାତ୍ର ଜନସ୍ୱାସ୍ଥ୍ୟ ବିଭାଗ ପାଇପ୍‌ ଯୋଗେ ପ୍ରାୟ ୨୫୦ ମିଲିଅନ୍‌ ଲିଟରରୁ ଅଧିକ ପରିମାଣର ପାଣି ଯୋଗାଉଛି । ଏଥିରୁ ଅନୁମାନ କରାଯାଇପାରେ, କେତେ ପାଣି ନଷ୍ଟ ହେଉଛି । ଲୋକେ ମନଇଚ୍ଛା ପାଣି ବ୍ୟବହାର କରୁଛନ୍ତି । ଏପରିକି ପିଇବା ପାଇଁ ଆସୁଥିବା ପାଣିରେ ଗାଡ଼ିମୋଟର ସଫା କରିବା ସହ ବଗିଚାରେ ପାଣି ଦେଉଛନ୍ତି । ଆଗକୁ ଜଳ ସଙ୍କଟ ବଢ଼ିବ ନେଇ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ବାଡିରୁ ଫୁଲ ତୋଳିଦେଲା ବୋଲି, ଦିବ୍ୟାଙ୍ଗ ନାବାଳିକାକୁ ନିସ୍ତୁକ ମାଡ ମାରିଲେ ପଡୋଶୀ…

ସାବଧାନ ! ପାର୍ବଣରେ ମାତିଛନ୍ତି ଲୁଟେରା, ଜୋର୍ ଜବରଦସ୍ତ ମହିଳାଙ୍କ ଠାରୁ ଝାମ୍ପିନେଲେ କାନଫୁଲ…

ରାସ୍ତାରେ ଝାଡୁମାରି ଚର୍ଚ୍ଚାରେ ଥିବା ଟ୍ରାଫିକ୍ କନେଷ୍ଟବଳଙ୍କୁ ସମ୍ବର୍ଦ୍ଦିତ କଲେ କମିଶନର…

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଫୁଙ୍ଗୁଳା; ମାଳ ମାଳ ପୁଲିସ ଦ୍ୱାର ମୁହଁରେ ଥାଇ ବି ଭିତରେ ପଶିଥିଲେ ୫ଜଣ ଅଣସେବାୟତ…

ପୂଜାରେ ଦଦାବଟି ମାଗିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ, ଡିଜିପି ଜାରି କଲେ ଟୋଲ ଫ୍ରି ନମ୍ବର…

ରାଉରକେଲାରେ ୧୨ କୋଟିର GST ଠକେଇ !