ଆସନ୍ତା ଦୁଇଦିନ ଯାଏଁ ଜାରି ରହିବ ଥଣ୍ଡା ପ୍ରକୋପ: ଆଜି ୭ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର,୧୭/୦୧: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଲହରୀ ଜାରି ରହିଛି । କିଛି ଦିନ ଶୀତ କମିଥିବା ବେଳେ ହଠାତ ପୁଣି ବଢ଼ିଛି । ବିଶେଷକରି ପଶ୍ଚିମ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି । ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ସେଲସିୟସ୍ରେ ପହଞ୍ଚିଛି । ରାଜ୍ୟରେ ୫ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି । ଆହୁରି ଦୁଇ ଦିନ ଏଭଳି ଥଣ୍ଡା ଜାରି ରହିବ । ସୋମବାରରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ । ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇ ଶୀତ କମିବ ବୋଲି ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି ।
ଅପରପକ୍ଷେ ଆଜି ରାଜ୍ୟର ୭ଟି ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ତେଣୁ ସ୍ୱତନ୍ତ୍ର ରିଲିଫ୍ କମିଶନର୍ ସତର୍କ ସୂଚନା ଜାରି କରିଛନ୍ତି । ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ବୌଦ୍ଧ ଓ ଗଞ୍ଜାମ ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ଥିବାରୁ ଜିଲ୍ଲାପାଳ ଓ ଏସପିମାନେ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ବିଶେଷକରି ଦୁର୍ଘଟଣା ଏଡ଼ାଇବା ପାଇଁ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।
ସେହିପରି ଆସନ୍ତାକାଲି କଟକ, କେନ୍ଦ୍ରାପଡ଼ା, ଭଦ୍ରକ, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆସନ୍ତା ଦୁଇଦିନ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି କେନ୍ଦ୍ର ଆକଳନ କରିଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି, ଦୁଇଦିନ ପରେ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବ। ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୩-୪ ଡିଗ୍ରୀ ସେଲସିୟସ୍ ବଢ଼ିବା ସହିତ ଉପକୂଳ ଓଡ଼ିଶାରେ ୨ ଡିଗ୍ରୀ ସେଲସିୟସ୍ ବଢ଼ିବ ବୋଲି ସେ ଆକଳନ କରିଛି ।
ଅପରପକ୍ଷେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ପୂର୍ବାନୁମାନ କରିଛନ୍ତି, ଆସନ୍ତାକାଲି ମଧ୍ୟ ଥଣ୍ଡା ରହିବ । ସୋମବାରରୁ ସର୍ବନିମ୍ନ ତାପମାତ୍ରା ବଢ଼ିବା ସହିତ ଶୀତ କମିବ । ଫେବ୍ରୁଆରୀ ପହିଲା ପର୍ଯ୍ୟନ୍ତ ରାଜ୍ୟରେ ଶୀତ ବଢ଼ିବା ଓ କମିବା ଲାଗି ରହିବ ବୋଲି ଡ. ସାହୁ ଆକଳନ କରିଛନ୍ତି ।