ବର୍ଷା ଅଭାବ ଭରିଲା ଲଘୁଚାପ: ୯ରେ ପୁଣି ଲଘୁଚାପ ବର୍ଷା, ୩ରୁ ୪ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୭/୦୮: ସପ୍ତାହେ ତଳେ ଜଳଜଳ ଦିଶୁଥିଲା ଗଜା ମରୁଡ଼ି ସ୍ଥିତି ମାଡ଼ି ଆସୁଛି । ବର୍ଷା ଅଭାବରୁ ଉପକୂଳ ଓଡ଼ିଶା ସ୍ଥିତି ପୂରା ବିଗିଡ଼ିଯାଇଥିଲା । ଆଉ କିଛି ଦିନ ବିଳମ୍ବ ହୋଇଥିଲେ ଚାଷୀ ବି ଆଶା ଛାଡ଼ି ଦେଇଥାନ୍ତେ । ଏମିତିରେ ବଞ୍ଚାଇଦେଲା ଲଘୁଚାପ । ବର୍ଷାର ଅଭାବକୁ ଭରଣା କରିଛି ଏଇ ଲଘୁଚାପ । ପୁଣି ଆଉ ଏକ ଲଘୁଚାପ ଆସୁଛି ୯ ତାରିଖକୁ । ଯାହାକି ଚାଷ କାମ ଆଗେଇବାକୁ ବାଟ ଫିଟାଇବା ସହ ଚାଷୀ ମନରେ ସକରାତ୍ମକ ଆଶା ଭରିଛି । ଅଗଷ୍ଟ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ପ୍ରାୟତଃ ଭଲ ବର୍ଷା ହୋଇଛି । ୧୦ଟି ଜିଲ୍ଲାରେ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି । ଯେଉଁ ପୁରୀ ଜିଲ୍ଲାରେ ଅଗଷ୍ଟ ୩ ତାରିଖ ସୁଦ୍ଧା ୪୮% କମ୍‌ ବର୍ଷା ହୋଇଥିଲା, ସେଠାରେ ଅଗଷ୍ଟର ୬ ଦିନ ଭିତରେ ୧୮୯.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ଅଗଷ୍ଟ ପହିଲାରୁ ଆଜି ଭିତରେ ପୁରୀରେ ଯେତିକି ବର୍ଷା ହେବା କଥା, ତା’ଠାରୁ ୧୮୯.୪ ମିଲିମିଟର ଅଧିକ ବର୍ଷା ହୋଇଛି । ପୁରୀ ସମେତ ୧୦ ଜିଲ୍ଲାରେ ସ୍ୱାଭାବିକଠାରୁ ୬୦%ରୁ ଅଧିକ ବର୍ଷା ହୋଇଛି ଏଇ ୬ ଦିନ ଭିତରେ । ଆଉ ୬ଟି ଜିଲ୍ଲାରେ ସ୍ୱାଭାବିକଠାରୁ ୨୦%ରୁ ୫୯% ପର୍ଯ୍ୟନ୍ତ ଅଧିକ ବର୍ଷା ରେକର୍ଡ ହୋଇଛି । ଅଗଷ୍ଟ ପହିଲାରୁ ଆଜି ସୁଦ୍ଧା ଭଦ୍ରକରେ ୧୨୬% ଅଧିକ ବର୍ଷା ହୋଇଛି । ସେହିପରି ଅନୁଗୁଳରେ ୧୧୯%, ସୁନ୍ଦରଗଡ଼ରେ ୯୩%, ଖୋର୍ଦ୍ଧାରେ ୮୭%, କେନ୍ଦୁଝରରେ ୬୬%, ଦେବଗଡ଼ରେ ୮୧%, ଢେଙ୍କାନାଳରେ ୮୦%, କଟକରେ ୬୫% ଅଧିକ ବର୍ଷା ହୋଇଛି ।

ଏହି ସମୟ ଭିତରେ କେନ୍ଦ୍ରାପଡ଼ାରେ ୪୧%, ଜଗତସିଂହପୁରରେ ୩୮% ସମ୍ବଲପୁରରେ ୪୫%, ବରଗଡ଼ରେ ୩୮%, ସୋନପୁରରେ ୪୯%, ବୌଦ୍ଧରେ ୩୯%, ଝାରସୁଗୁଡ଼ାରେ ୨୮% ଅଧିକ ବର୍ଷା ହୋଇଛି । ଏହାବାଦ୍‌ ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଗଞ୍ଜାମ, କନ୍ଧମାଳ, ବଲାଙ୍ଗିର, କୋରାପୁଟ, ମାଲକାନଗିରିରେ ସ୍ୱାଭାବିକ ବର୍ଷା ହୋଇଛି । ଅଗଷ୍ଟ ପ୍ରଥମ ସପ୍ତାହର ୬ ଦିନରେ ୬ଟି ଜିଲ୍ଲାରେ ବର୍ଷା ପରିମାଣ କମ୍‌ ରହିଛି । ନୂଆପଡ଼ାରେ ୭୧% ଓ କଳାହାଣ୍ଡିରେ ୬୩% କମ୍‌ ବର୍ଷିଛି ମୌସୁମୀ । ଏହାବାଦ୍‌ ନବରଙ୍ଗପୁର, ରାୟଗଡ଼ା, ଗଜପତି, ନୟାଗଡ଼ରେ ବର୍ଷା କମ୍‌ ରହିଛି । ଜୁନ୍‌ ପହିଲାରୁ ଅଗଷ୍ଟ ୩ ସୁଦ୍ଧା ଓଡ଼ିଶାରେ ୧୭% କମ୍‌ ବର୍ଷିଥିଲା ମୌସୁମୀ । ଏବେ ଏହି ସ୍ଥିତିରେ ସୁଧାର ଆସିଛି । ୬% ବର୍ଷା ଅଭାବକୁ ପୂରଣ କରିଛି ଲଘୁଚାପ ବର୍ଷା । ଏବେ ରାଜ୍ୟରେ ୧୧% କମ୍‌ ରହିଛି ମୋଟ ବର୍ଷା ପରିମାଣ ।

ଜୁନ୍‌ ପହିଲାରୁ ଏବେ ସୁଦ୍ଧା ୧୦ ଜିଲ୍ଲାରେ ବର୍ଷା କମ୍‌ ରହିଛି । ତେବେ ପୂର୍ବାପେକ୍ଷା ସେ ସବୁ ଜିଲ୍ଲାରେ ସ୍ଥିତି ସୁଧୁରିଛି । ୩ ତାରିଖ ସୁଦ୍ଧା ପୁରୀରେ ୪୭% କମ୍‌ ବର୍ଷା ଥିବାବେଳେ ଏବେ ମାତ୍ର ୨୦% କମ୍‌ ରହିଛି । ସେହିପରି ଜୁନ୍‌ ପହିଲାରୁ ଆଜି ସୁଦ୍ଧା କେନ୍ଦ୍ରାପଡ଼ାରେ ୩୧%, ଯାଜପୁରରେ ୩୮%, ବାଲେଶ୍ୱରରେ ୩୪%, ଖୋର୍ଦ୍ଧାରେ ୩୦%, ସୋନପୁରରେ ୨୫%, ନୟାଗଡ଼ରେ ୨୫%, ଜଗତସିଂହପୁରରେ ୨୩%, ମୟୂରଭଞ୍ଜରେ ୨୨%, କଟକରେ ୨୬% କମ୍‌ ବର୍ଷା ହେଇଛି ।

ପାଣିପାଗ ବିଭାଗ କହିଛି, ଆସନ୍ତା ୯ ତାରିଖବେଳକୁ ଏକ ଲଘୁଚାପ ସମ୍ଭାବନା ଅଛି । ଏହା ପ୍ରଭାବରେ ୮ରୁ କ୍ରମଶଃ ବର୍ଷା ବଢ଼ିବ । ୯-୧୦ରୁ ପ୍ରବଳ ବର୍ଷା ହୋଇପାରେ । ୩-୪ ଦିନ ଧରି ଅଧିକ ବର୍ଷା ହେବ । କୃଷି ବିଶେଷଜ୍ଞଙ୍କ କହିବାନୁଯାୟୀ ବର୍ତ୍ତମାନ ବର୍ଷା ବଢ଼ିଥିବାରୁ ତଳି ରୁଆ କାମ ଆଗେଇପାରିବ । ସିଧା ବୁଣା ଧାନ ବେଉଷଣ ମଧ୍ୟ ହୋଇପାରିବ । ଆଉ ବିଳମ୍ବ ନ କରି ଚାଷୀ ଏବେ ଚାଷ କାମ ଆଗେଇବା କଥା ।

   ସମ୍ବନ୍ଧିତ ଖବର


କୂଳପତି ପଦ ପାଇଁ ଆଶାୟୀ ରାଜବନରେ ଦେଇଥିଲେ ଲିଖିତ ପରୀକ୍ଷା, ଏତିକିଟି ପ୍ରଶ୍ନର ଉତ୍ତର ରଖିଲେ ଆଶାୟୀ…

ଲିଭର ପ୍ରତ୍ୟାରୋପଣ ପାଇଁ ସମ ହସ୍ପିଟାଲ ଓ ଏସିଆନ ଇନ୍ଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ

ରାଜ୍ୟ ସରକାର ଜାରି କଲେ ଡିସେମ୍ବର ଗାଇଡଲାଇନ୍

ଏବେ ବାହନ ପଞ୍ଜୀକରଣ ବେଳେ ନୋମିନିଙ୍କ ନାଁ ଦେବାକୁ ପଡିବ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ପ୍ରସ୍ତାବ

ଚୀନ୍ ସୈନିକଙ୍କୁ ଜିନପିଙ୍ଗ୍‌ଙ୍କ ମନ୍ତ୍ର: ମୃତ୍ୟୁକୁ ଭୟ ନକରି ଯୁଦ୍ଧ ଜିତିବାର ପ୍ରସ୍ତୁତି କର

ବ୍ଲାକହୋଲ୍‌ର ଖୁବ୍ ନିକଟରେ ପୃଥିବୀ, ଜାଣନ୍ତୁ ଗବେଷକଙ୍କ ମତ କ’ଣ?