ଆସୁଛି ବାତ୍ୟା! ୭ରୁ ବର୍ଷା, ୪ ଦିନ ପର୍ଯ୍ୟନ୍ତ ବର୍ଷିବ, ୧୦ରେ କେନ୍ଦ୍ରାପଡ଼ାରେ ମାଡ଼ ହେବା ସମ୍ଭାବନ

ଭୁବନେଶ୍ୱର ୪/୧୧: ଓଡ଼ିଶା ଆସୁଛି ବାତ୍ୟା। ଆସନ୍ତା ୧୦ ତାରିଖ ରାତି କିମ୍ବା ୧୧ ତାରିଖ ସକାଳେ କେନ୍ଦ୍ରାପଡା ଜିଲ୍ଲାରେ ମାଡ ହେବ ବୋଲି ଇଣ୍ଡିଆନ୍‌ ନ୍ୟାସନାଲ୍‌ ସେଣ୍ଟର୍‌ ଫର୍‌ ଓସେନ୍‌ ଇନଫର୍ମେସନ୍‌ ସର୍ଭିସେସ୍‌ (ଇନକୋଇସ୍‌) ପକ୍ଷରୁ ଏହି ଭଳି ପୂର୍ବାନୁମାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ମାଡ଼ ହେବା ପରେ ବାତ୍ୟା ଉତ୍ତର ଓଡ଼ିଶା ଆଡକୁ ମୁହାଁଇବ । ଫଳରେ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗବିତ୍‌ ଆକଳନ କରିଛନ୍ତି ।

ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ, ଆସନ୍ତା ୧୦ ତାରିଖରେ ଓଡ଼ିଶାରେ ବାତ୍ୟା ମାଡ ହେବ ବୋଲି ଇନକୋଇସ୍‌ ପୂର୍ବାନୁମାନ କରିଛି। ତେବେ ଇନକୋଇସ୍‌ କେନ୍ଦ୍ରାପଡ଼ାରେ ମାଡ ହେବା ନେଇ ପୂର୍ବାନୁମାନ କରିଥିବା ବେଳେ ଏହା କେନ୍ଦ୍ରାପଡ଼ା ସମେତ ପୁରୀ କିମ୍ବା ଜଗତସିଂହପୁର ମଝିରେ କୌଣସି ସ୍ଥାନରେ ହୋଇପାରେ ବୋଲି ଡ. ସାହୁ ପୂର୍ବାନୁମାନ କରିଛନ୍ତି। ଯାହାର ପ୍ରଭାବରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆସନ୍ତା ୭ ତାରିଖରୁ ବର୍ଷା ହେବ।

୮ ତାରିଖ ରାତି କିମ୍ବା ୯ ତାରିଖ ସକାଳରୁ ବର୍ଷାର ପରିମାଣ ବଢିବ । ସେହିପରି ‘ମହା’ ମହାବାତ୍ୟାର ପ୍ରଭାବ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାରେ ଅନୁଭୂତ ହେବ । ଯାହାର ପ୍ରଭାବରେ ୮ ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । ତେବେ ୪ ଦିନ ଧରି ରାଜ୍ୟରେ ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି । ତେବେ ବାତ୍ୟାର ସମ୍ଭାବନା ଓ ବେଗ ବାବଦରେ ଆସନ୍ତା ୫ କିମ୍ବା ୬ ତାରିଖ ବେଳକୁ ଅଧିକ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

ଅପରପକ୍ଷେ କୃଷିପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତାକାଲି ସକାଳ ସୁଦ୍ଧା ଲଘୁଚାପ ସ୍ପଷ୍ଟ ହେବ। ଯାହା ୫ତାରିଖ ବେଳକୁ ଅବପାତ ରୁପ ନେବ। ୬ ତାରିଖ ବେଳକୁ ଗଭୀର ଅବପାତ ରୁପ ନେବା ସହିତ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ୮ ତାରିଖ ବେଳକୁ ଅଧିକ ଘନୀଭୂତ ହେବ। ଓଡ଼ିଶାରୁ ପଶ୍ଚିମବଙ୍ଗ ଆଡକୁ ମୁହାଁଇବ। ତେବେ ଉପକୂଳ ଆଡକୁ ପହଞ୍ଚିବା ବେଳକୁ ପବନର ବେଗ କମିବା ସହିତ ଦୁର୍ବଳ ହେବ। ତେବେ ଏହାର ପ୍ରଭାବରେ ୯ରୁ ରାଜ୍ୟରେ ପାଗ ବଦଳିବ। ୧୦ ଓ ୧୧ ତାରିଖରେ ଜଗତସିଂହପୁରରୁ ବାଲେଶ୍ୱର ମଧ୍ୟମରୁ ଅଧିକ ବର୍ଷା ହେବାର ସମ୍ଭାବନା ଅଛି। ତେବେ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶା ଆଡକୁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ, ଉତ୍ତର ଆଣ୍ଡାମାନରେ ଲଘୁଚାପ ସୃଷ୍ଟି ହୋଇଛି। ଯାହା ଧୀରେ ଧୀରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଆଡକୁ ଗତି କରୁଛି। ଫଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବୋଗରେ ପବନ ବୋହିବା ସହିତ ସମୁଦ୍ର ଅଶାନ୍ତ ରହିବ। ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ଭିତରକୁ ଯିବା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ତେବେ ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଶୀତର ପ୍ରକୋପ ବଢିଛି। ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୩ଂ ସେଲସିୟସରେ ପହଞ୍ଚିଥିବା ବେଳେ ସୁନ୍ଦରଗଡ଼ରେ ୧୫ଂ ସେଲସିୟସ୍‌, କୋରାପୁଟରେ ୧୫.୬ଂ ସେଲସିୟସ୍‌କୁ ଖସିଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

   ସମ୍ବନ୍ଧିତ ଖବର


ଏଣିକି ଗାଁରେ କରିହେବନି ମନଇଛା ଘର, ନେବାକୁ ପଡିବ ଅନୁମତି

ପରିବା ଟ୍ରେରେ ଫସିଗଲା ନାଗ ସାପ! ଦେଖନ୍ତୁ ଉଦ୍ଧାର ସମୟର ଭିଡିଓ…

ବାଲିଯାତ୍ରା: ସ୍ୱଚ୍ଛତା ଓ ଖାଦ୍ୟ ସୁରକ୍ଷା ପାଇଁ ପଡ଼ିଆରେ ଖାଦ୍ୟ ଯାଞ୍ଚ୍‌ କରିବ ଏମ୍‌ଏଫ୍‌ଟିଏଲ୍‌ ଭ୍ୟାନ୍‌

ଐତିହାସିକ ବାଲିଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି ଚୂଡ଼ାନ୍ତ: ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ, ଡିସିପି ଓ କମିସନର୍‌