ପ୍ରମୁଖ ଖବର
  • ଜୟପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆରମ୍ଭ କରିବେ ପ୍ରଚାର
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଏସ୍‌ ଜୟଶଙ୍କର
  • ||
  • ରାଜଧାନୀରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ରୁମ୍‌ରେ ଥିବା ଅନ୍ୟ ଜଣେ ଯୁବତୀ ଫେରାର
  • ||
  • ବ୍ରହ୍ମଗିରି ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର
  • ||
  • କଂଗ୍ରେସ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତ ଫେରାଇଲେ ଟିକେଟ୍
  • ||
  • ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର, ୫ରେ ପୁଣି ଆସିବେ ଜେପି ନଡ୍ଡା
  • ||
  • ଶନିବାର ୪ ଜିଲ୍ଲାରେ ପ୍ରଚାର କରିବେ ନବୀନ, ସକାଳ ସାଢ଼େ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କମ୍ପିବ ମଇଦାନ୍
  • ||
  • IPL 2024: ଚିନ୍ନାସ୍ୱାମୀରେ ବେଙ୍ଗାଲୁରୁକୁ ଭେଟିବ ଗୁଜରାଟ, ଦେଖିବାକୁ ମିଳିବ ରୋଚକ ଲଢ଼େଇ
  • ||
  • ତାତିରେ ଲାଗିବ ବ୍ରେକ୍: ଆଜିଠୁ ଉପକୂଳ, ୭ରୁ ସାରା ଓଡ଼ିଶାରେ ଖସିବ ପାରଦ, ୧୨ ଯାଏଁ ବିକ୍ଷିପ୍ତ ବର୍ଷା ଆଶାଙ୍କା
  • ||

ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର,୨୫/୦୪: ଆଶା ଥିଲା କାଳବୈଶାଖୀ ତ୍ରାହି ଆଣିବ । ମାତ୍ର ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ଛାଡ଼ିଦେଲେ, ସେଭଳି ବର୍ଷା ହେଲାନି । ବୁଧବାର ଭୁବନେଶ୍ୱରରେ ଦିନ ୨ଟା ଯାଏଁ ଜଳେଇବା ପରେ ଅପରାହ୍ନରେ ଟିକିଏ ବର୍ଷା ଛିଞ୍ଚିଲା । ଆଗକୁ ଆଉ ବର୍ଷା ନାହିଁ । ଦୂର ଦୂର ଯାଏଁ ବର୍ଷା ସମ୍ଭାବନା ଦେଖାଯାଉନି । 

ପାଣିପାଗ ପୂର୍ବାନୁମାନ ଦେଖାଉଛି ଛାତି ଥରାଇ ଦେଲା ଭଳି ଚିତ୍ର । ଲଗାତାର ୧୦ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ହେଉଥିବା ଓଡ଼ିଶାବାସୀ ଆହୁରି ୧୦ ଦିନ ଯମ ଯନ୍ତ୍ରଣାରେ ଛଯପଟ ହେବେ । ଜଳିବେ, ସିଝିବେ, ସନ୍ତୁଳି ହେବେ ଏ ନିଆଁ ମାଡ଼ରେ । 

ସୋଆ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି, ଏବେ ବର୍ଷା ନାହିଁ । ଆସନ୍ତା ମେ’ ପହିଲା ବେଳକୁ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ହୋଇପାରେ । ଏହା ସାମାନ୍ୟ ଆଶ୍ୱସ୍ତି ଦେବ । ମାତ୍ର ତା’ ପରେ ବି ତାତି ଖସିବନି । ଆସନ୍ତା ୪/୫ ତାରିଖ ଯାଏଁ ତାତିରୁ ବଡ଼ ଧରଣର ଆଶ୍ୱସ୍ତି ଆଶା ଦେଖାଯାଉନି । ତା’ପରେ ବି ବର୍ଷା ହେବ କି ନାହିଁ, ଏବେଠାରୁ ଆକଳନ ସହଜ ନୁହେଁ । 

ସାରା ରାଜ୍ୟରେ ଅଗ୍ନିବର୍ଷା, ୪୧ ଡିଗ୍ରୀ ଉପରେ ୩ ସହର

ଚଳିତ ଏପ୍ରିଲରେ ଏଯାବତ୍‌ ରାଜ୍ୟରେ ୧୨ ଦିନ ଗ୍ରୀଷ୍ମ ପ୍ରବାହ ସହିଲାଣି ଓଡ଼ିଶା । ଗତ ୧୫ ତାରିଖରୁ ଲଗାତାର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସ୍ୱାଭାବିକଠାରୁ ଏଥର ଏପ୍ରିଲରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ୪ ଗୁଣା ବଢ଼ିଗଲାଣି ଏଯାବତ୍‌ । ପୂର୍ବାନୁମାନ ଯାହା, ଏଥର ଏପ୍ରିଲରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ୬ ଗୁଣା ବଢ଼ିପାରେ ସ୍ୱାଭାବିକ ତୁଳନାରେ । 

ବୁଧବାର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା ଭୁବନେଶ୍ୱର ଓ ନୂଆପଡ଼ା । ଉଭୟ ସ୍ଥାନରେ ତାପମାତ୍ରା ୪୩.୨ ଡିଗ୍ରୀ ସେଲସିୟସ ଛୁଇଁଥିଲା। ଝାରସୁଗୁଡ଼ା ବି ୪୩.୧ ଡିଗ୍ରୀରେ ସିଝିଥିଲା । ୧୧ ସହର ୪୨ ଡିଗ୍ରୀ ଟପିଥିଲା । ୨୧ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଉପରେ ଥିଲା । 

ପାଣିପାଗ ବିଭାଗ ଆଶା କରିଥିଲା, କାଳବୈଶାଖୀ ବର୍ଷା ତାତିରୁ ସାମୟିକ ଆଶ୍ୱସ୍ତି ଦେବ । ମାତ୍ର ଏଯାଏଁ ସେଭଳି ବଡ଼ ବର୍ଷା ହେଲାନି । ପଶ୍ଚିମା ଝଡ଼ ପ୍ରଭାବରେ  ରାଜ୍ୟକୁ ବାଦଲ ଆସିଲା ସତ, ମାତ୍ର ବର୍ଷା ବିସ୍ତୃତ ଅଞ୍ଚଳରେ ହେଲାନି । ଦକ୍ଷିଣ ଓଡ଼ିଶାର ଗଞ୍ଜାମରେ ଆଜି ଅପରାହ୍ନରେ ପବନ ସହ ପ୍ରବଳ ବର୍ଷା ହୋଇଛି । ମାତ୍ର ଭୁବନେଶ୍ୱରରେ ଅତି ହାଲୁକା ବର୍ଷା ରେକର୍ଡ ହୋଇଛି । ଅପରପକ୍ଷରେ ବାଦଲ ଆକାଶରୁ ହଟିବା ଆରମ୍ଭ ହୋଇଯାଇଛି । ଏବେ ଆଉ ବର୍ଷା ସମ୍ଭାବନା ନାହିଁ । ଗୁରୁବାରଠାରୁ ସାରା ରାଜ୍ୟରେ ସାଏଁ କରି ଉପରମୁହାଁ ହେବ ପାରଦ, ରେକର୍ଡ ଭାଙ୍ଗିବ ତାତି । 

ପାଣିପାଗ ବିଭାଗର ତାଜା ପୂର୍ବାନୁମାନ ଅନୁସାରେ ଆସନ୍ତା ୫ ଦିନ ଭୀଷଣ ଗ୍ରୀଷ୍ମ ପ୍ରବାହ କଲବଲ କରିବ । ସାରା ଓଡ଼ିଶା ଜଳିବ ତାତି ପ୍ରକୋପରେ । ୨୫ ତାରିଖ (ଗୁରୁବାର) ଗଜପତି ଓ ଗଞ୍ଜାମରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ, ନୟାଗଡ଼, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ା, କନ୍ଧମାଳ, ଖୋର୍ଦ୍ଧା, କଟକ ଓ ଢେଙ୍କାନାଳରେ ଗ୍ରୀଷ୍ମ ପ୍ରବାହ ଛଟପଟ କରିବ ।   

ଆସନ୍ତା ୨୬, ୨୭, ୨୮, ୨୯ ଓ ୩୦ ତାରିଖରେ ବି ସ୍ଥିତି ବଦଳିବନି । ବେଳକୁ ବେଳ ଆହୁରି କୋପ ବଢ଼ାଇବ ଗ୍ରୀଷ୍ମ ଲହରୀ । ୨୬ ତାରିଖ ବେଳକୁ ଟକଟକ ହୋଇ ଫୁଟୁଥିବ ସାରା ଓଡ଼ିଶା । ୨୬ରୁ ୩୦ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ଓ ଉପକୂଳ ଓଡ଼ିଶା ୪୪ ଡିଗ୍ରୀ ସେଲସିୟସ୍‌ ତାଉରେ ଭାଜି ହେଉଥିବ । ଏ ସମ୍ଭାବ୍ୟ ସ୍ଥିତି ସ୍ପଷ୍ଟ କରୁଛି, ପ୍ରଚଣ୍ଡ ତାତିର ଲହରୀ ଭୟାନକ ରୂପ ନେଇ ଚାଲିଛି । ଆଗକୁ ଆହୁରି ଭୟଙ୍କର ହେବ ।

ଆହୁରି ଏକ ସପ୍ତାହ ଜାରି ରହିବ ପ୍ରଚଣ୍ଡ ଖରା ତାତି

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, କାଳବୈଶାଖୀ ସମ୍ଭାବନା ନାହିଁ । ବର୍ତ୍ତମାନ ବର୍ଷା ହେବାର ନାହିଁ । ତାତି କମିବାର ଆଶା ବି ଦେଖାଯାଉନି । ମାସ ଶେଷବେଳକୁ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ୍‌ ଡେଇଁପାରେ ।

ସାଧାରଣତଃ ଏପ୍ରିଲରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ୩ ଦିନ ଭିତରେ ରହିବା କଥା । ଗତବର୍ଷ ଏପ୍ରିଲ ମାସରେ ଓଡ଼ିଶାରେ ୫ ଦିନ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା । ଏ ବର୍ଷ ଏଯାଏଁ ଏପ୍ରିଲରେ ୧୨ ଦିନ ଛଟପଟ କଲାଣି ଗ୍ରୀଷ୍ମ ପ୍ରବାହ । ମାସ ଶେଷବେଳକୁ ଏ ସଂଖ୍ୟା ୧୮ ହୋଇଯିବ । 

୨୦୧୬ ଏପ୍ରିଲ ମାସରେ ଓଡ଼ିଶାରେ ଏଭଳି ଭୟାନକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା । ଗତ ବର୍ଷ ଜୁନ୍‌ ମାସରେ ରାଜ୍ୟରେ ଲଗାତାର ୧୨ ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାରା ଓଡ଼ିଶାକୁ କଲବଲ କରିଥିଲା ।

ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଧସେଇ ପଶୁଛି ତତଲା ପବନ । ଗୁରୁଚାପ ବଳୟ ଏହାକୁ ଆହୁରି ଶକ୍ତିଶାଳୀ କରି ରାଜ୍ୟକୁ ଟାଣି ଆଣିବାରେ ସହାୟକ ହେଉଛି । ଅନ୍ୟପଟେ ସାମୁଦ୍ରିକ ପବନ ଦୁର୍ବଳ ରହୁଛି । ଜଳୀୟବାଷ୍ପ କମ୍‌ ରହୁଥିବାରୁ ବର୍ଷା ହୋଇପାରୁନି । ଦେଶରେ ସବୁଠୁ ଉତ୍ତପ୍ତ ପିଣ୍ଡ ପାଲଟିଛି ଓଡ଼ିଶା । ଓଡ଼ିଶାରେ ୧୫ ତାରିଖରୁ ଓ ପଶ୍ଚିମବଙ୍ଗରେ ୧୭ ତାରିଖରୁ ଏଭଳି ଗ୍ରୀଷ୍ମ ପ୍ରବାହ ସ୍ଥିତି ବଳବତ୍ତର ରହିଛି ।

ବୁଧବାର ବାରିପଦା, ଚାନ୍ଦବାଲି, ପାରଳାଖେମୁଣ୍ଡି, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ ସହର ୪୨ ଡିଗ୍ରୀ ତାତିରେ ସିଝିଥିଲା । ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ପାରଳାଖେମୁଣ୍ଡିରେ ୨୭.୪ ମିଲିମିଟର, ନୟାଗଡ଼ରେ ୬, ପୁରୀରେ ୯.୮, ଭୁବନେଶ୍ୱରରେ ୧.୬ ମିମି ବର୍ଷା ରେକର୍ଡ ହୋଇଛି । ଏହା କିଛି ଜାଗାରେ ହାଲୁକା ଆଶ୍ୱସ୍ତି ଦେଇଛି । ମାତ୍ର ଗୁରୁବାରଠାରୁ ପୁଣି ତାତି ବଢ଼ିବ, ଅଧିକ ଜଳିବ ।

  • PrameyaOdia
  • prameya
  • Weather
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.