ଏଥର ପାର୍ବଣକୁ ଭିଜାଇବ ବର୍ଷା ! ଆସନ୍ତା ୨୮ ଯାଏଁ ବର୍ଷା ଆଶଙ୍କା

ଭୁବନେଶ୍ୱର,୨୦/୧୦: ଏଥର ଦଶହରା ପାର୍ବଣକୁ ଭିଜାଇପାରେ ବର୍ଷା । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । ଏଭଳି ଆକଳନ କରିଛନ୍ତି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ।

ଡକ୍ଟର ପଶୁପାଳକଙ୍କ କହିବାନୁଯାୟୀ ବର୍ତ୍ତମାନ ସୃଷ୍ଟି ହେବାକୁ ଲଘୁଚାପ ଆସନ୍ତା ୨୧ ତାରିଖରେ ଆନ୍ଧ୍ରର ମଛଲିପଟନମ୍‌ ଓ କାକିନାଡ଼ା ମଧ୍ୟରେ ସ୍ଥଳଭାଗ ଛୁଇଁବ । ଓଡ଼ିଶାରେ ଏବେ ବିଶେଷ ବର୍ଷା ସମ୍ଭାବନା ନାହିଁ । କେବଳ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଅଞ୍ଚଳରେ ସ୍ୱଳ୍ପ ବର୍ଷା ହୋଇପାରେ ।

ଆସନ୍ତା ୨୨ ତାରିଖରେ ଉତ୍ତର-ଦକ୍ଷିଣ ଦିଗରେ ଓଡ଼ିଶାରୁ ଆନ୍ଧ୍ର ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ବଙ୍ଗୋପସାଗର ଉପରେ ରହିବ । ଏହା କ୍ରମଶଃ ସଂଗଠିତ ହୋଇ ସଙ୍କୋଚିତ ହେବା ସହ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୨୪ ତାରିଖବେଳକୁ ରହିବ । ସମ୍ଭବତଃ ସେଇ ସମୟରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ଉପରୋକ୍ତ ଘୂର୍ଣ୍ଣିବଳୟ ସହ ମିଶିଯିବ । ଦକ୍ଷିଣ ବଙ୍ଗୋପସାଗରରୁ ପବନ କେନ୍ଦ୍ରୀୟ ବଙ୍ଗୋପସାଗର ଦେଇ ବାଂଲାଦେଶ ଯିବ । ଏହା ପ୍ରଭାବରେ ଆସନ୍ତା ୨୮ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ । ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୨୪ରୁ ୨୮ ଏବଂ ଆଭ୍ୟନ୍ତରୀଣ ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଓଡ଼ିଶାରେ ୨୫ରୁ ୨୮, ଉପକୂଳ ଓ ସଂଲଗ୍ନ ଜିଲ୍ଲା ସହ ଗଜପତି ଏବଂ ରାୟଗଡ଼ାରେ ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ।