ଏ ବର୍ଷ ପ୍ରଚଣ୍ଡ ତାତି, ଆକାଶରୁ ବର୍ଷିବ ନିଆଁ : ଆଜି ୯ ଜିଲ୍ଲାରେ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ପାରଦ

ଭୁବନେଶ୍ୱର,୦୨/୦୩: ଆଉ ତ୍ରାହି ନାହିଁ । ଆଗକୁ ଘରୁ ବାହାରକୁ ଯିବା ବି ମୁସ୍କିଲ ହୋଇଯିବ । ଆକାଶରୁ ଅଗ୍ନିବର୍ଷା ହେବ । ଆସନ୍ତା ମେ’ ମାସ ଯାଏ ଓଡ଼ିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହେବ । ଦିନବେଳାର ସ୍ୱାଭାବିକ ତାପମାତ୍ରା ୦.୬୬ ରୁ ୧ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍ଡି) ଏଭଳି ପୂର୍ବାନୁମାନ କରିଛି ।
ଆଇଏମ୍ଡି ଓ ଭୂବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ଆଜି ଆସନ୍ତା ତିନି ମାସର ଋତୁକାଳୀନ ତାପମାତ୍ରାର ସମ୍ଭାବ୍ୟ ପୂର୍ବାନୁମାନ ରିପୋର୍ଟ ପ୍ରକାଶ ପାଇଛି । ଆସନ୍ତା ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ଦେଶର ବିଭିନ୍ନ ରାଜ୍ୟର ତାପମାତ୍ରା କିଭଳି ରହିବ ତାକୁ ନେଇ ଏହି ମଡେଲ ମାଧ୍ୟମରେ ଦର୍ଶାଯାଇଛି । ଏହି ରିପୋର୍ଟରୁ ବିଚଳିତ କରିବା ଭଳି ପୂର୍ବାନୁମାନ ଆସିଛି ।
ମାର୍ଚ୍ଚରୁ ମେ ଯାଏ ଦିନବେଳା ଓଡ଼ିଶାରେ ସ୍ୱାଭାବିକ ସର୍ବୋଚ୍ଚ ତାପମାତ୍ରା ଯେତିକି ରୁହେ ତା’ ଠାରୁ ତାତି ପ୍ରାୟ ୧ ଡିଗ୍ରୀ ବଢ଼ିଯିିବ । ଏଭଳି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ପାଇଁ ଆଇଏମ୍ଡି ପକ୍ଷରୁ ଓଡ଼ିଶା ପାଇଁ ରେଡ୍ମାର୍କ ଜାରି କରାଯାଇଛି । ଦେଶରେ କେବଳ ଛତିଶଗଡ ଏବଂ ଓଡ଼ିଶା ଭଳି ଦୁଇଟି ରାଜ୍ୟ ଏଭଳି ଅଧିକ ତାତି ପୂର୍ବାନୁମାନ ଥିବା ରାଜ୍ୟ ତାଲିକାରେ ଅଛନ୍ତି ।ତେବେ ରାତିବେଳା ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିବ ବୋଲି ଆଇଏମ୍ଡି ଦର୍ଶାଇଛି ।
ସେପଟେ ମଙ୍ଗଳବାର ମଧ୍ୟ ରାଜ୍ୟରେ ଭୀଷଣ ତାତି ଅନୁଭୂତ ହେବ । ୯ଟି ଜିଲ୍ଲାର କିଛି ସ୍ଥାନରେ ତାପମାତ୍ରା ୫ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଯିବ । ଆସନ୍ତା ୨୪ ଘଣ୍ଟା ଭିତରେ ଖୋର୍ଦ୍ଧା, କଟକ, ଅନୁଗୁଳ, ବୌଦ୍ଧ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ନୟାଗଡ଼ରେ ତାତି ବଢ଼ିବ । ଏହି ସବୁ ଜିଲ୍ଲାରେ ଦିନ ୧୧ଟାରୁ ୫ଟା ଭିତରେ ବାହାରକୁ ଯାଉଥିଲେ ସତର୍କତାମୂଳକ ପଦକ୍ଷେପ ନେବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।
ସେହିଭଳି ଆସନ୍ତା ୨ରୁ ୩ ଦିନ ଯାଏ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଦିନର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ବଢ଼ିଯିବ । ସେପଟେ ଦକ୍ଷିଣ ଉପକୂଳରେ ଆଗକୁ ତାତିରୁ ଆଶ୍ୱସ୍ତି ମିଳିବ ବୋଲି ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ପୂର୍ବାନୁମାନ ମୁତାବକ ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ତାତି କମିଛି । ଆସନ୍ତାକାଲି ଭୁବନେଶ୍ୱର ଓ ଦକ୍ଷିଣ ଉପକୂଳ ଜିଲ୍ଲାରେ ସର୍ବାଧିକ ତାତି ଆହୁରି ୨ଡିଗ୍ରୀ କମିବ । ଅନୁଗୁଳ ଓ ତାଳଚେର ଭଳି କେନ୍ଦ୍ରୀୟ ଓଡ଼ିଶାରେ ଗରମ ବଢ଼ିବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ୪ରେ ତାଳଚେର ତାପମାତ୍ରା ୪୧ ଡିଗ୍ରୀରୁ ଅଧିକ ଓ ଅନୁଗୁଳରେ ୪୨ ଡିଗ୍ରୀ ରହିବ ।
ଆଭ୍ୟନ୍ତରୀଣ ଉତ୍ତରରେ ୪ ତାରିଖରୁ ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ୫ ତାରିଖରୁ ତାତି ବଢ଼ିବ । ଉତ୍ତର ଉପକୂଳରେ ୪ରୁ ତାତି କମିବ ।
ଗତକାଲି ସନ୍ଧ୍ୟାଠାରୁ ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ବଙ୍ଗୋପସାଗରୀୟ ପବନ ବହିବା ଆରମ୍ଭ କରିଛି । ଏହା ୧୦ ଯାଏ ଜାରି ରହିବ । ସାମୁଦ୍ରିକ ପବନର ସମୁଦ୍ରଠାରୁ ଦୂରତା ମଝିରେ ମଝିରେ ସଙ୍କୁଚିତ ହେବ । ପବନ ପ୍ରବାହର ଏଭଳି ସ୍ଥିତି ପାଇଁ ୩ ତାରିଖ ଓ ୬ ତାରିଖରେ ତାତି ବଢ଼ିବ । ବାକି ଦିନରେ ୧୦ ତାରିଖ ଯାଏ ତାପମାତ୍ରା ୩୭ ଡିଗ୍ରୀ ତଳେ ରହିବ । ଭୁବନେଶ୍ୱର ସମେତ ଉପକୂଳ ଜିଲ୍ଲାରେ ବାୟୁର ଆର୍ଦ୍ରତା ବଢ଼ିବା ଯୋଗୁ ଗୁଳୁଗୁଳି ବଢ଼ିବ ବୋଲି ସେ ପୂର୍ବାନୁମାନ କରିଛନ୍ତି।
ରବିବାର ତୁଳନାରେ ସୋମବାର ତାପମାତ୍ରା ସାମାନ୍ୟ କମ୍ ଥିଲା । ତାଳଚେରରେ ସର୍ବାଧିକ ତାପମାତ୍ରା ୩୯.୮ ଡିଗ୍ରୀ ଥିଲା । ଅନୁଗୁଳରେ ୩୯.୭, ବୌଦ୍ଧରେ ୩୯.୫, ଭୁବନେଶ୍ୱରରେ ୩୯, ବଲାଙ୍ଗୀରରେ ୩୯, ଝାରସୁଗୁଡା ୩୮.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।