ଆରମ୍ଭ ହେଲା ବାହା ଋତୁ: ‘କାହା ମନରେ ଜୁଆର, କାହା ମନରେ ଭଟ୍ଟା’

ସିଜିନ ବେପାରରେ କରୋନା ମାଡ଼

ଜୟପୁର,୨୮/୧୧: ଆରମ୍ଭ ହୋଇଛି ବିବାହ ଋତୁ । ବିବାହ ଏବଂ ଅନ୍ୟାନ୍ୟ ଉତ୍ସବ ପାଇଁ ଅନୁମତି ମିଳିବା ପରେ କଲ୍ୟାଣ ମଣ୍ଡପ ମାଲିକ ଖୁସ୍‌ । ଦୀର୍ଘ ୮ ମାସ କଲ୍ୟାଣ ମଣ୍ଡପ ବନ୍ଦ ପରେ ଏବେ ଖୋଲିଛି। କିନ୍ତୁ ବିବାହ ଏବଂ ଅନ୍ୟାନ୍ୟ ଉତ୍ସବରେ ନିୟୋଜିତ ରୋଷେୟା, ବ୍ୟାଣ୍ଡପାର୍ଟି, ଡିଜେ ମ୍ୟୁଜିକ ମାଲିକ ମନଦୁଃଖରେ। ଯେଉଁ ରୋଷେୟା ଆଗରୁ ୩ ହଜାରରୁ ୫ ହଜାର ଲୋକଙ୍କ ପାଇଁ ରୋଷେଇ କରୁଥିଲେ, ଏବେ ସେମାନଙ୍କୁ ୨୦୦ରୁ ୩୦୦ ଜଣଙ୍କ ପାଇଁ ରୋଷେଇ କରିବାକୁ ବରାଦ ମିଳୁଛି। କୋଭିଡ କଟକଣା ଥିବାରୁ ବର ଶୋଭାଯାତ୍ରା ଉପରେ କଟକଣା ଲଗାଯାଇଛି।ଶୋଭାଯାତ୍ରାରେ ବ୍ୟାଣ୍ଡପାର୍ଟି ଓ ଡିଜେ ବନ୍ଦ ଥିବାରୁ ଏହାର ମାଲିକମାନେ ବି ନିରାଶ । ଚଳିତ ସିଜିନରେ ଆଉ ବେପାର ହେବ ନାହିଁ ବୋଲି ଜାଣିସାରିଲେଣି ।

କରୋନା ସଂକ୍ରମଣ ଆରମ୍ଭ ହେବା ପରେ ବିବାହ ଉତ୍ସବ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ରୋକ୍‌ ଲାଗିଥିଲା । କଲ୍ୟାଣ ମଣ୍ଡପଗୁଡିକ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲା ପ୍ରଶାସନ । ଏଥିଯୋଗୁ ଅନେକ ବିବାହ ଉତ୍ସବ ବାତିଲ କରିଥିଲେ ଲୋକେ। ପରେ କଟକଣା କୋହଳ କରାଯାଇଥିଲା । ଅଳ୍ପସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ଉତ୍ସବ ଆୟୋଜନ ଲାଗି ଅନୁମତି ଦିଆଯାଇଥିଲା । କିନ୍ତୁ ପୂର୍ବଭଳି କଲ୍ୟାଣମଣ୍ଡପ ଖୋଲାଯାଇପାରିବ ନାହିଁ ବୋଲି କୁହାଯାଇଥିଲା । ଏବେ କରୋନା ସଂକ୍ରମଣ କମିବା ପରେ କଟକଣା କୋହଳ କରାଯାଇଛି । ବିବାହ ଉତ୍ସବ ସହ କଲ୍ୟାଣମଣ୍ଡପ ଖୋଲିବାକୁ ଅନୁମତି ମିଳିଛି । ଆଜିଠାରୁ ବିବାହ ଋତୁ ଆରମ୍ଭ ହେବା ପରେ କଲ୍ୟାଣମଣ୍ଡପରେ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସର୍ବାଧିକ ୨୦୦ ଲୋକଙ୍କ ସମାଗମ ଲାଗି ଅନୁମତି ଦିଆଯାଇଛି ।